Latest Odisha News

BREAKING NEWS

ଶିମିଳିପାଳ ଅଭୟାରଣ୍ୟରେ ବାଘ ବାଘ ଲଢେଇରେ ବାଘର ମୃତ୍ୟୁ!

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଦକ୍ଷିଣ ଜୋନରେ ଏକ ବିରଳ ପ୍ରଜାତି କଳାବାଘର ରବିବାର ମୃତ୍ୟୁ ହୋଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶୀଲ କୁମାର ପୋପଲି ସୋମବାର ସୂଚନା ଦେଇଛନ୍ତି। ମୃତ ବାଘଟି ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ସନ୍ଦେହଜନକ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅଭୟାରଣ୍ୟର କୋର୍ ଏରିଆରେ 3ରୁ 3.5 ବର୍ଷ ବୟସର ଏହି ବାଘର ମୃତ୍ୟୁ ହୋଇଥିବା ବେଳେ ଏହାର ପ୍ରମାଣ ସଂଗ୍ରହ ଓ ମୃତ୍ୟୁର କାରଣ ଖୋଜିବା ପାଇଁ ଏକ ଯୁଗ୍ମ ଟାସ୍କ ଫୋର୍ସକୁ ସେହି ଅଞ୍ଚଳରେ ମୁତୟନ କରାଯାଇଛି। ଏନଟିସିଏ ପ୍ରୋଟୋକଲ ଅନୁଯାୟୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ପ୍ରତିନିଧିମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୟୁରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ।

ପିସିସିଏଫ୍ କହିଛନ୍ତି, ବାଘର ମୃତ୍ୟୁ ପ୍ରାକୃତିକ କାରଣରୁ ହେଉ କିମ୍ବା ଶିକାର ଭଳି ଅନ୍ୟ କାରଣରୁ ହେଉ, ଏନଟିସିଏ ଜାଣିବା ଆବଶ୍ୟକ। ପ୍ରମାଣ ଆଧାରରେ ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜ ଅଞ୍ଚଳକୁ ନେଇ ଲଢ଼େଇ କରୁଥିବା ଦୁଇ ପୁରୁଷ ବାଘଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାଘର ମୃତ ଶରୀରରେ କ୍ଷତ ଚିହ୍ନ ଥିବାରୁ ଏପରି ଏକ ଥିଓରୀକୁ ପ୍ରମାଣିତ କରିଛି। ବାଘର ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ୍ୟୁ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହୋଇଛି।

ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ରିପୋର୍ଟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭୟାରଣ୍ୟରେ କୌଣସି ହାତୀ ମୃତ୍ୟୁ ଗୁଜବ ସମ୍ପର୍କରେ ପିସିସିଏଫ୍ କହିଛନ୍ତି ଯେ ଏ ସମ୍ପର୍କରେ ତାଙ୍କ ପାଖେ କିଛି ଖବର ନାହିଁ ଏବଂ ସେ ରିପୋର୍ଟକୁ ତର୍ଜମା କରିବେ।

ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ବ୍ୟାଘ୍ର ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି। ଏହି ଅଭୟାରଣ୍ୟ ସମୃଦ୍ଧ ଜୈବ ବିବିଧତା ପାଇଁ ଜଣାଶୁଣା ଏବଂ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ଏକ ସଂରକ୍ଷିତ ଅଞ୍ଚଳ।

Leave A Reply

Your email address will not be published.