Latest Odisha News

BREAKING NEWS

ସ୍ୱର ସାମ୍ରାଜ୍ଞୀ ଲତା ଅମର ରହେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ସମସ୍ତଙ୍କ ପାଇଁ ଅବିଶ୍ବାସ ହେଲେ ବି ସତ ଥିଲା । ରବିବାର ସକାଳ ୮ଟାରେ ଲତା ମଙ୍ଗେସକରଙ୍କ ଦେହାନ୍ତ ଭାରତକୁ ଅଶ୍ରୁସିକ୍ତ କରିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ତାର କୋକିଳ କଣ୍ଠ ସୁର ସାମାଜ୍ଞୀ ଲତାଙ୍କୁ ହରାଇ ମର୍ମାହତ ଓ ସ୍ତମ୍ଭୀଭୂତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗୁରୁତର ଅବସ୍ଥାରେ ଲତାଙ୍କୁ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଥିଲା । ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁଁ ଲତାଙ୍କ ମୃତ୍ୟ ଘଟିଥିବା ଡାକ୍ତର କହିଛନ୍ତି । ସ୍ୱର ସାମ୍ରାଜ୍ଞୀଙ୍କୁ ଦେହାନ୍ତରେ ଦେଶ ଦୁଇ ଦିନିଆ ଶୋକ ପାଳନ କରିଥିବା ବେଳେ, ତାଙ୍କର ଶେଷକୃତ୍ୟ ଶିବାଜୀ ପାର୍କରେ ଭାରତୀୟ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।

ଭାରତ ରତ୍ନ, କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ସହିତ ଗୋଟିଏ ଯୁଗର ଅନ୍ତ ହୋଇଛି । କୁହାଯାଏ ଲତା ଦିଦିଙ୍କ କଣ୍ଠରେ ସ୍ୱୟଂ ଦେବୀ ସରସ୍ୱତୀ ବାସ କରୁଥିଲେ । ସରସ୍ୱତୀ ପୂଜା ବିସର୍ଜନ ଅବସରରେ ଲତା ମଙ୍ଗେସକର ମଧ୍ୟ ସ୍ଵର୍ଗାରୋହଣ କରିଛନ୍ତିି । ସ୍ୱର ସାମ୍ରାଜ୍ଞୀ ଚାଲିଯିବା ପରେ ଯେଭଳି ଗୋଟିଏ ଯୁଗର ସଙ୍ଗୀତ ଜଗତ ଠାରୁ ଅଲଗା ହୋଇଯାଇଛି । ଲତା ମଙ୍ଗେସକରଙ୍କ ସ୍ୱର ମନକୁ ଭିଜଉ ଥିଲା । ହୃଦୟ ଭିତରର ଭାବନାର ଅନୁଭବ ଭରି ଦେଉଥିଲା । କାହାର ଅପେକ୍ଷାରେ ନିଜକୁ ହଜାଇ ଦେବା ଓ ଶାଶ୍ୱତ ପ୍ରେମର ପରିଭାଷା ଯେମିତି ତାଙ୍କ ସ୍ୱର ଶିଖାଇଥିଲା । ନବ ଉନ୍ମାଦନାରେ ପୁଲକିତ କରୁଥିଲା । “ଏ ମେରେ ବଚନ କେ ଲୋଗଁ” ଦେଶଭକ୍ତିଙ୍କ ଭାବନା ଉଦ୍ରେକ କରିବା ସହ ସୀମାର ପ୍ରାଚୀର ଟପିବାରେ ସମର୍ଥ ହୋଇଥିଲା ଲତାଙ୍କ ସ୍ୱର । ସବୁବେଳେ ଯେମିତି ତାଙ୍କ ଗୀତରେ ହଜିଯିବାକୁ ବାଧ୍ୟ କରୁଥିଲା । ଲାଗୁଥିଲା ସେହି ସ୍ୱରରେ ଭିଜି ମଣିଷ ଭିନ୍ନ ଏକ ଦୁନିଆରେ ପ୍ରବେଶ କରୁଛି । ସମୟ ତ ଆଗକୁ ବଢ଼ିବ । କିନ୍ତୁ ତାଙ୍କ ପରି ନା, କେହି ଥିଲେ ନା କେହି ହେବେ । ସ୍ମୃତିର ଆଇନାରେ ଲତାଙ୍କ ସ୍ୱର ସବୁବେଳେ ସେମିତି ସାଇତା ହୋଇ ରହିଥିବେ ।

ଦଶନ୍ଧି ଦଶନ୍ଧି ଧରି ଶୁଭୁଥିବା ଲତାଙ୍କ ସ୍ୱର ଏବେ ନିରବୀ ଯାଇଛି । ଯେଉଁ ସ୍ୱର ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲା, ତାହା ଯୁଗ ଯୁଗ ଧରି, ପୀଢ଼ି ପରେ ପୀଢ଼ି ହୃଦୟରେ ଛାପ ଛାଡ଼ିବାରେ ସମର୍ଥ ହେବ । ଯେତେବେଳେ ବି କାନରେ ଏହି ସ୍ୱର ପଡ଼ିବ, ମନ ଓ ହୃଦୟ ସବୁ ରୋମାଞ୍ଚିତ ହୋଇ ଉଠୁଥିବ । ବର୍ଷବର୍ଷ ଧରି ନୁହେଁ ବରଂ ଅନନ୍ତକାଳ ଯାଏଁ ଏହା ଅମର ହୋଇ ରହିବ । ଆଉ ଏଭଳି ସ୍ୱରର କେହି ଯଦି ଅଧିକାରିଣୀ ଥିଲେ ସେ ଥିଲେ ଦେଶର ସ୍ୱର ସାମ୍ରାଜ୍ଞୀ, ସୁରୋଁ କି ମଲ୍ଲିକା, ଲତା ମଙ୍ଗେସକର । ସ୍ୱର ସାଧନା ଲତାଙ୍କର ଧର୍ମ ଆଉ ସଙ୍ଗୀତ ତାଙ୍କର ଆତ୍ମା ଥିଲା । ଗୀତ ଯେକୌଣସି ଭାଷାରେ ହେଲେ ବି ସେ ବିନା ଦିଗ୍ଧାରେ ଗାଉଥିଲେ । ଲତାଙ୍କ ସ୍ୱର ସମସ୍ତଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ ଥିଲା । ଗୀତର ପ୍ରତିଟି ଶବ୍ଦ, ପ୍ରତିଟି ଅକ୍ଷରକୁ ଅନୁଭବ କରିବା ଆଉ କରାଇବାର କଳା ତାଙ୍କୁ ମାତା ସରସ୍ୱତୀଙ୍କଠାରୁ ଉପହାରରେ ମିଳିଥିଲା । କିନ୍ତୁ ଏବେ ଏହି ସ୍ୱର ସାମ୍ରାଜ୍ଞୀ ସଙ୍ଗୀତ ଦୁନିଆରୁ ଦୂରକୁ ଚାଲି ଯାଇଛନ୍ତି । ବିଶ୍ୱକୁ ଭଗବାନ ଲତା ଦିଦିଙ୍କ ରୂପରେ ଉପହାର ଦେଇଥିଲେ, ଏବେ ସେହି ଲତାଙ୍କୁ ତାଙ୍କ ନିକଟକୁ ଫେରାଇ ନେଇଛନ୍ତି ।

ମେଲୋଡି କୁଇନ୍ ଅଫ ଇଣ୍ଡିଆ ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ପାଞ୍ଚ ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ତେର ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ଲତା ପରିବାରର ଜ୍ୟେଷ୍ଠ ସନ୍ତାନ ଥିଲେ । ଜନ୍ମ କ୍ରମରେ ମୀନା, ଆଶା, ଉଷା, ଏବଂ ହୃଦନାଥ ଥିଲେ ତାଙ୍କ ଭାଇ , ସମସ୍ତେ ଗାୟକ ଏବଂ ସଂଗୀତଜ୍ଞ ଅଟନ୍ତି । କୁହାଯାଏ ଦିନନାଥ ଗୋଆଙ୍କ ଜନ୍ମ ସହର ସହିତ ତାଙ୍କ ପରିବାରକୁ ଚିହ୍ନିବା ପାଇଁ ସେମାନେ ମଙ୍ଗେଶକର ଉପନାମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟରେ ଲତାଙ୍କ ନାମ “ହେମା” ରଖାଯାଇଥିଲା । ପରେ ତାଙ୍କ ପିତାମାତା ତାଙ୍କ ପିତାଙ୍କ ଏକ ନାଟକରେ ଏକ ମହିଳା ଚରିତ୍ର ଲାଟିକା ପରେ ତାଙ୍କ ନାଁ ଲତା ନାମକରଣ କରିଥିଲେ ।

ଧର୍ମ ପରାୟଣା ଲତା ମଙ୍ଗେସକର ଆଜୀବନ ଅବିବାହିତ ରହିଥିଲେ । ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲତା ମଙ୍ଗେସକର କାହାକୁ ବିବାହ ନକରିବା ନିଷ୍ପତ୍ତି ପଛରେ ଦୁଇଟି ମୁଖ୍ୟ କାରଣ ଥିଲା । ପ୍ରଥମଟି ସେ ପିଲାଦିନରୁ ନିଜ ପିତାଙ୍କ ଦେହାନ୍ତ ପରେ ଭାଇଭଉଣୀଙ୍କ ଦାୟିତ୍ୱ ତାଙ୍କ ଉପରେ ଆସିଯାଇଥିଲା । କାରଣ ସେ ଥିଲେ ଘରର ବଡ଼ ଝିଅ । ସେ ଜ୍ୟେଷ୍ଟର କର୍ତ୍ତବ୍ୟ ପାଳନରେ ନିଜ ଭାଇଭଉଣୀଙ୍କ ଯତ୍ନ ନେବା ବିବାହ କରିବାକୁ ମନା କରିଦେଇଥିଲେ । ଦ୍ୱିତୀୟତଃ ବହୁ ଦଶନ୍ଧି ପରେ ଯେତେବେଳେ ଲତା ମଙ୍ଗେସକର ବିବାହ କରିବାକୁ ଚିନ୍ତା କରିଥିଲେ, ସେତେବେଳେ ଭାଗ୍ୟ ତାଙ୍କୁ ସମର୍ଥନ କଲା ନାହିଁ । ରିପୋର୍ଟ ଅନୁଯାୟୀ, କ୍ରିକେଟର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସଭାପତି ରାଜ ସିଂ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେଶକରଙ୍କ ଘନିଷ୍ଠ ବନ୍ଧୁ ଥିଲେ । ରାଜ ସିଂ ରାଜସ୍ଥାନର ରାଜ ପରିବାରର ଥିଲେ ଏବଂ ଡୁଙ୍ଗରପୁରର ତତ୍କାଳୀନ ରାଜା ମହାରାୱାଲ ଲକ୍ଷ୍ମଣ ସିଂହଜୀଙ୍କ ସାନପୁଅ ଥିଲେ । ଉଭୟ ହୃଦୟନାଥ ମଙ୍ଗେସକର ଏବଂ ରାଜ ସିଂ (ଡୁଙ୍ଗରପୁର ) ବହୁତ ଭଲ ବନ୍ଧୁ ଥିବାରୁ ସେମାନଙ୍କର ଅଧିକାଂଶ ସମୟ ହୃଦୟନାଥଙ୍କ ଘରେ କଟୁଥିଲା । ଏହି ସମୟରେ ରାଜ ସିଂ ତାଙ୍କ ବନ୍ଧୁଙ୍କ ବଡ ଭଉଣୀ ତଥା ଲତା ମଙ୍ଗେସକରଙ୍କ ସହ କଥା ହେବା ଆରମ୍ଭ ହେବାରୁ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କରେ ଆସିଯାଇଥିଲା । ରାଜ ସିଂ, ଲତା ମଙ୍ଗେଶକରଙ୍କୁ ସ୍ନେହରେ ମିଠୁ ବୋଲି ଡ଼ାକୁଥିଲେ । ଉଭୟ ଲତା ମଙ୍ଗେଶକର ଏବଂ ରାଜ ସିଂ ବିବାହ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ଯେତେବେଳେ ରାଜ ସିଂ ତାଙ୍କ ପିତାମାତାଙ୍କୁ ଏହା କହିଥିଲେ ସେତେବେଳେ ତାଙ୍କ ପିତା ମହାରାୱାଲ ଲକ୍ଷ୍ମଣ ସିଂହଜୀ ଏହି ବିବାହକୁ ସ୍ବୀକୃତି ଦେଇନଥିଲେ । ଏହା ପଛର କାରଣ ଥିଲା ଲତା ରାଜ ପରିବାରର ନଥିଲେ । ମହାରାୱଲ ଲକ୍ଷ୍ମଣ ସିଂହଜୀଙ୍କ ନିଷ୍ପତ୍ତି ରାଜ ସିଂ ଡୁଙ୍ଗରପୁର ଏବଂ ଲତା ମଙ୍ଗେଶକରଙ୍କ ସ୍ୱପ୍ନକୁ ଗୋଟିଏ ଝଟକାରେ ଭାଙ୍ଗି ଦେଇଥିଲା । ରାଜ ସିଂ ତାଙ୍କ ପିତାଙ୍କ ସମ୍ମାନାର୍ଥେ ତାଙ୍କ ନିଷ୍ପତ୍ତି ଗ୍ରହଣ କରିଥିଲେ କିନ୍ତୁ ସେ ଆଜୀବନ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜ ସିଂଙ୍କ ନିଷ୍ପତ୍ତି ପରି ଜୀବନବ୍ୟାପୀ ବିବାହ ନକରିବାକୁ ଲତା ମଙ୍ଗେସକର ମଧ୍ୟ ନିଷ୍ପତ୍ତି ନେଇଥିଲେ । ଯଦିଓ ଦୁହେଁ ଆଜୀବନ ପାଇଁ ଭଲ ବନ୍ଧୁ ରହିଥିଲେ । ବନ୍ଧୁ ଭାବେ ଲତା ବିବିସିଆଇକୁ ସଂକଟରୁ ଉଦ୍ଧାର କରିଥିଲେ । ଜଣେ ଉଦାର, ପରୋପକାରୀ, କୋମଳ ହୃୟର, ଜାତୀୟ ପ୍ରେରଣାର ଉତ୍ସ ଥିଲେ ଲତା ମଙ୍ଗେସକର ।

ଲତା ମଙ୍ଗେସକର ବିବାହ ନ କରି ସେ ସ୍ୱର ସାମ୍ରାଜ୍ଞୀ ପାଲଟି ଯାଇଥିଲେ । ସମଗ୍ର ସଂଗୀତ ପ୍ରେମୀଙ୍କ ହୃଦୟରେ ସେ ସାମ୍ରାଜ୍ଞୀ  ସାଜିଥିଲେ । ପ୍ରାୟ ଆଠ ଦଶକ ଧରି ସଙ୍ଗୀତ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି । ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ସେ ସଂଗୀତରୁ ଅବ୍ୟାହତି ନେଇନଥିଲେ । ସୁର ସାମ୍ରାଜ୍ଞୀ ଲତା ଲତା ମଙ୍ଗେସକର ଷାଠିଏରୁ ଅଧିକ ଭାରତୀୟ ଭାଷା ଏବଂ କିଛି ବିଦେଶୀ ଭାଷାରେ ଗୀତ ରେକର୍ଡ କରିଥିଲେ । ଯଦିଓ ମୁଖ୍ୟତଃ ହିନ୍ଦୀ ଏବଂ ମରାଠୀରେ ସେ ତାଙ୍କ କ୍ୟାରିଅରରେ ଅନେକ ପ୍ରଶଂସା ଏବଂ ସମ୍ମାନ ଗ୍ରହଣ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ‘ ଚୁନା ଚୁନା ତାରା ଫୁଲ ଓ ଶ୍ରାବଣୀ କଣ୍ଠଦାନ ଅବିସ୍ମରଣୀୟ । ୧୯୮୭ ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ଭାରତ ସରକାର ପକ୍ଷରୁ ପ୍ରଦାନ କରାଯାଇଥିଲା । ୨୦୦୧ ରେ, ଜାତି ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ଏବଂ ଏହି ସମ୍ମାନ ପାଇବାରେ ଏମ ୨୦୦୭ ରେ ଫ୍ରାନ୍ସ ତାଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଥିଲା । ସେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧୫ ଟି ବଙ୍ଗଳା ଚଳଚ୍ଚିତ୍ର ସାମ୍ବାଦିକ ସଂଘ ଆସୋସିଏସନ୍ ପୁରସ୍କାର, ଚାରିଟି ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ପ୍ଲେକ୍ ପୁରସ୍କାର, ଦୁଇଟି ଫିଲ୍ମ ଫେୟାର ସ୍ୱତନ୍ତ୍ର ପୁରସ୍କାର, ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଏବଂ ଅନ୍ୟାନ୍ୟ ପୁରସ୍କାର ପାଇଥିଲେ । ୧୯୭୪ ରେ, ସେ ଲଣ୍ଡନର ରୟାଲ ଆଲବର୍ଟ ହଲରେ ଅଭିନୟ କରିଥିବା ପ୍ରଥମ ଭାରତୀୟ ହୋଇଥିଲେ ।

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବହୁ ସମ୍ମାନରେ ସମ୍ମାନିତ । ଭାରତୀୟ ଗାୟକ ଏବଂ ସଂଗୀତ ଦୁନିଆଁରେ ସେ ଥିଲେ ଏକାନ୍ତ ଚକ୍ରବର୍ତ୍ତୀ ସାମ୍ରାଜ୍ଞୀ । ସେ ଭାରତର ସର୍ବଶ୍ରେଷ୍ଠ ତଥା ପ୍ରଭାବଶାଳୀ ଗାୟକମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ହୋଇଥିଲେ । ସାତ ଦଶନ୍ଧି ଧରି କ୍ୟାରିଅରରେ ଭାରତୀୟ ସଙ୍ଗୀତ ଶିଳ୍ପରେ ତାଙ୍କର ଅବଦାନ ତାଙ୍କର ନାଇଟିଙ୍ଗଲେ ଅଫ୍ ଇଣ୍ଡିଆ ଏବଂ ରାଣୀ ଅଫ୍ ମେଲୋଡି ଭଳି ସମ୍ମାନଜନକ ଆଖ୍ୟା ଅର୍ଜନ କରିଥିଲା । ୧୯୫୮ – ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ, ୧୯୬୯ – ପଦ୍ମ ଭୂଷଣ, ୧୯୬୯ – ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା , ୧୯୮୯ – ଦାଦା ସାହେବ୍ ଫାଲକେ ପୁରସ୍କାର , ୧୯୯୩ – ଜୀବନ ବ୍ୟାପି ସାଧନା ପୁରସ୍କାର , ୧୯୯୭ – ମହାରାଷ୍ଟ୍ର ଭୂଷଣ ପୁରସ୍କାର, ୧୯୯୯ – ପଦ୍ମ ବିଭୂଷଣ, ୨୦୦୧ – ଭାରତ ରତ୍ନ, ୨୦୦୯ – ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ, ୨୦୧୧ – ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ ହୋଇଅଛି ।

ଲତା ମଙ୍ଗସେକର ଯେବେଠାରୁ ନିଜର ସ୍ୱର ଓ କଣ୍ଠ ବଳରେ ଦୁନିଆରେ ଉଜ୍ଜ୍ୱଳତାରେ ଭରି ଯାଇଛନ୍ତି, ସେବେଠାରୁ ପ୍ରତ୍ୟେକଟି ଦିନ ସ୍ମରଣୀୟ ରହିଛି । ସବୁଦିନ ତାଙ୍କ ସ୍ୱର ଉଲ୍ଲସିତ କରିଛି । ବର୍ଷବର୍ଷ ଧରି ତାଙ୍କର ପ୍ରତ୍ୟେକଟି ଗୀତ ମୋଗଲ-ଇ-ଆଜମରେ ଲତାଙ୍କ ଗୀତ “ପ୍ୟାର କିୟା ଟୁ ଡର୍ନା କାୟା”, “ବିଟି ନା ବିଟାଇ” , ଦୋସ୍ତାନାରେ “କିଟନା ଆସାନ୍ ହ ”, “ମେରେ ନାସିବ ମେନ୍”, କ୍ରାନ୍ତିରେ “ଜିନ୍ଦାଗି କି ନା ଟୁଟେ” , ଏକ ଡୁଜେ କେ ଲିୟେରେ “ସୋଲା ବାରାସ କି”, ପ୍ରେମ୍ ରୋଗରେ “ୟେ ଗାଲିଆନ୍ ୟେଚ ବାରା”, ଆରପାନରେ “ଲିଖନେୱାଲ୍ ନେ ଲିଖ୍ ଡାଲ୍”, ଅବତାରରେ “ଦିନ୍ ମହେନ୍ ସାଲ୍” , “ପ୍ୟାର୍ କର୍ନେୱାଲ୍” ଏବଂ “ନିନ୍ଦିଆ ସେ ଜାଗି” , ରାମ ଅବତାରରେ “ଅଙ୍ଗଲି ମେନ୍ ଅଙ୍ଗୋତି” , ରାମ ଲାଖାନରେ “ହେ ରାମଜୀ ତେରେ ଲାଖାନ୍ ନେ”, “ଆଜା ସର-ଇ-ବଜାର”, ଫିର ୱୋହି ରାଟରେ “ବିନ୍ଦିଆ ତରାସେ”, ସୀତାରାରେ “ଥୋଡି ସି ଜାମିନ୍” , ରକିରେ “କାୟା ୟାହି ପ୍ୟାର ହ i” ଲଭ୍ ଷ୍ଟୋରୀରେ “ଡେକୋ ମେନ୍ ଦେଖା”, କୁଡ୍ରାଟରେ “ଟ୍ୟୁନ୍ ହେ ରେଙ୍ଗିଲ୍”, ଶକ୍ତିରେ “ଜାନେ କେଏସ୍ କାବ” , “ଜବ୍ ହମ୍” ବେଟାବରେ ଜବାନ୍ ହୋଙ୍ଗେ , ଅଗର ତୁମ୍ ନା ହୋଟ୍ ରେ “ହୁମେନ୍ ଆରୁ ଜୀନ୍”, ସାଗରରେ “ସାଗର କିନାରେ” ଆଦି ସବୁରି କାନରେ ଗୁଞ୍ଜରିତ ହେଉଥିବ । କିନ୍ତୁ ଅବଶୋଷ ଏତିକି ଏଦେଶ ଜଣେ ରତ୍ନକୁ ହରାଇଛି, ଯାହାକୁ କୋଟିକୋଟି ଟଙ୍କା ବା ରତ୍ନର ଭଣ୍ଡାର ଅଜାଡ଼ିଲେ ମଧ୍ୟ ଆଉ ଥରେ ପାଇ ହେବନାହିଁ । କେବଳ ସେ ଯେଉଁ ଗୀତସବୁ ଛାଡ଼ି ଯାଇଛନ୍ତି, ସେସବୁ ହିଁ ତାଙ୍କର ପ୍ରକୃତ ଉତ୍ତରାଧିକାରୀ ହୋଇ ରହିବେ । ଯାହା ଶତାବ୍ଦୀ ଶତାବ୍ଦୀ ଧରି ସଙ୍ଗୀତକାରମାନଙ୍କ ଧାଡ଼ିରେ ତାଙ୍କୁ ସବୁଠୁ ଆଗରେ ରଖିଥିବ…!!!

ଓଡ଼ିଆ  ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ: ୯୪୩୭୭ ୪୦୨୮୦
Email : Laxmansahoo9040@gmail.com

Comments are closed, but trackbacks and pingbacks are open.