Latest Odisha News

BREAKING NEWS

ଖଣି ପ୍ରଭାବିତ ବ୍ଲକ ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା; ଲୋକଙ୍କ ମତାମତ ସଂଗ୍ରହ ପାଇଁ ଡିସେମ୍ବର ୫ରୁ ଆରମ୍ଭ ହେବ ସର୍ଭେ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ଜାଣିବା ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ଲୋକଙ୍କ ମତାମତ ସଂଗ୍ରହ ଲାଗି ଘର ଘର ବୁଲି ଏକ ସର୍ଭେ ଆରମ୍ଭ କରାଯିବ। ଡିଏମଏଫର ଆର୍ଥିକ ସହାୟତାରେ ହେବାକୁ ଯାଉଥିବା ଏହି ସର୍ଭେରେ ପ୍ରାୟ ୪୦ ହଜାର ପରିବାରକୁ ସାମିଲ କରାଯାଇଛି। ଏଥିପାଇଁ ୩ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି।

ଏହି ସର୍ଭେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବ। ଏହି ସର୍ଭେ କରିବା ପାଇଁ ସଂପୃକ୍ତ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ସାମିଲ କରାଯାଇଛି। ଏମାନଙ୍କୁ ନେଇ ବିଭିନ୍ନ ବ୍ଲକରେ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଏହି ସର୍ଭେରେ ଘର ଘର ବୁଲି କେଉଁ ତଥ୍ୟ ସଂଗ୍ରହ କରାଯିବ ଏବଂ ମୋବାଇଲ ଆପର ବ୍ୟବହାର କିପରି କରାଯିବ ସେନେଇ ତାଲିମ୍ ଦିଆଯାଉଛି। ୩ରୁ ୪ ମାସ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ।

ଖଣି ପ୍ରଭାବିତ ହେମଗିରି, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ସର୍ଭେ ହେବ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଘର ଘର ବୁଲି ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରିବେ। ପରବର୍ତ୍ତୀ ସମୟରେ ଏହାର ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏହାକୁ ଆଧାର କରି ସଂପୃକ୍ତ ଅଞ୍ଚଳ ଏବଂ ଲୋକଙ୍କ ଜୀବନ ଓ ଜୀବିକାରେ ଉନ୍ନତି ଆଣିବା ଲାଗି ପ୍ରଶାସନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେବ।

ହେମଗିରି ବ୍ଲକରେ ସର୍ଭେ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇଏସଡିକୁ ଦାୟିତ୍ୱ ଦିଆଯାଇଥିବା ବେଳେ କୁଆରମୁଣ୍ଡା, କୁତ୍ରା ଏବଂ ରାଜଗାଙ୍ଗପୁର ବ୍ଲକରେ ନିୟତି ଫାଉଣ୍ଡେସନ, କୋଇଡ଼ା ଓ ଲହୁଣିପଡ଼ା ବ୍ଲକରେ ସାରଦା ଅନୁଷ୍ଠାନ ସର୍ଭେ କରିବ।

Leave A Reply

Your email address will not be published.