Latest Odisha News

BREAKING NEWS

କୋଣାର୍କ ମହୋତ୍ସବର ୨ୟ ସନ୍ଧ୍ୟା; ଶାସ୍ତ୍ରୀୟ ମଣିପୁରୀରେ ଶ୍ୱାସତ ପ୍ରେମ ପରିବେଷକୁ କଲା ଆବେଗମୟ

କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ କ୍ଷ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ନୈସର୍ଗିକ ସୁଷମା ଓ ଅପ୍ରାକୃତ ପ୍ରେମର ଭାବଧାରାକୁ ସ୍ପଷ୍ଟ କରିଥିଲା ବେଳେ ନୃତ୍ୟଶିଳ୍ପୀଙ୍କ ନିଖୁଣ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କୋଭିଡ଼ କଟକଣାର ଅନୁପାଳନରେ ମୁକ୍ତାକାଶ ମଞ୍ଚର ପ୍ରେକ୍ଷାଳୟରେ ଦର୍ଶକଙ୍କ ସଂଖ୍ୟା ସଙ୍କୁଚିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମରେ ଉତ୍ସାହ ଓ ଶିଳ୍ପୀମାନଙ୍କର ପରିବେଷଣ ଜନିତ ତୃପ୍ତି ବେଶ ବାରି ହୋଇ ପଡୁଥିଲା ।

ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଶାସ୍ତ୍ରୀୟ ମଣିପୁରୀ ନୃତ୍ୟ । ବୈଷ୍ଣବ ଚେତନାର ପୃଷ୍ଟ ଭୁମିରେ ବର୍ଷାକୁ ନେଇ ନାୟକ ନାୟିକାଙ୍କ ପ୍ରେମ, ଶକ୍ତି ଓ ମିଳନର ନୃତ୍ୟାୟନରେ ଯିବାତ୍ମା ଓ ପରମାତ୍ମାଙ୍କ ଏକାମ୍ର ଭାବକୁ ପରସି ଦେଇଥିଲେ ଶିଳ୍ପୀ । ଗୁରୁ ବିମ୍ବାବତୀ ଦେବୀଙ୍କ ସଂରଚନାରେ ପ୍ରସ୍ତୁତ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟ ବର୍ଷା ରୂତୁ ଅନ୍ତର୍ଗତ ବିବିଧ ବର୍ଣ୍ଣନା ଆଧାରରେ ନଟ ସଂକୀର୍ତ୍ତନର ଭାକ୍ତିକ ଆବେଗକୁ ବ୍ୟକ୍ତ କରିଥିଲା । ନୃତ୍ୟ ଶିଳ୍ପୀଗଣଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଆଧ୍ୟାତ୍ମିକତାର ଅନୁଭବ ଦେଇଥିଲା।

ପରବର୍ତ୍ତୀ ପରିବେଷଣରେ ମଞ୍ଚ ପ୍ରବେଶ କରିଥିଲେ ଶର୍ମିଲା ମୁଖାର୍ଜୀଙ୍କ ସଂଜଳୀ ଅନୁଷ୍ଠାନର ଶିଳ୍ପୀ । ଓଡ଼ିଶୀ ନୃତ୍ୟର ବିବିଧତାକୁ ନେଇ ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ସୂର୍ଯ୍ୟ ବନ୍ଧନା । ସକଳ ଭକ୍ତିର ଆଧାର ସୂର୍ଯ୍ୟଦେବଙ୍କ ସ୍ତୁତିକୁ ନେଇ ପ୍ରଭାତ ସୂର୍ଯ୍ୟ, ମଧ୍ୟାନ୍ନ ସୂର୍ଯ୍ୟ ଓ ପ୍ରଦୋଷ ସୂର୍ଯ୍ୟ ଉପସ୍ଥାପିତ ହୋଇଥିଲା । ଓଡ଼ିଶୀ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତି ଥିଲା ଶୁଦ୍ଧନୃତ୍ୟ ପଲ୍ଲବୀ ଯାହା ରାଗ ଝିଂଝୋଟି ଓ ତାଳ ଏକତାଳୀରେ ନିବଦ୍ଧ ଥିଲା । ପରେ ପରେ ଶିଶିର ସ୍ନାନ ଓ ସୁସମାକୁ ନେଇ ଶିଶିରଗିତମ୍‍ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ମହାକବୀ କାଳିଦାସଙ୍କ ରୂତୁ ସଂହାରକୁ ନେଇ ପ୍ରସ୍ତୁତ ଏହି ନୃତ୍ୟାଭିନୟ ଶୀତ ରୂତୁର ପରିବେଶ ଓ ପ୍ରକୃତିର ପ୍ରଭାବକୁ ଚିତ୍ରିତ କରିଥିଲା । ଅନ୍ତିମ ଉପସ୍ଥାପନାରେ ମୋକ୍ଷର ମଞ୍ଚାୟନ ଆସରକୁ ପୂର୍ଣ୍ଣତା ଦେଇଥିଲା ।

ସଂଧ୍ୟାର ଅତିଥୀଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍‍ କୁମାର ସାମଲ, ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରଦିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟାର ପରିବେଶଣକୁ ସଂଯୋଜିତ କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ପରିଚାଳନାରେ ସହାୟତା କରିଥିଲେ । ଚନ୍ଦ୍ରଭାଗା ବେଳାଭୁମିରେ ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀରେ ୭୦ ଜଣ ଶିଳ୍ପୀଙ୍କ କଳା ଚାତୁରିକୁ ପ୍ରକାଶ କରିଛି ।

Leave A Reply

Your email address will not be published.