Latest Odisha News

BREAKING NEWS

ବଡ଼ ପରଦାରେ ବି ହିଟ୍ ହେଲା ‘ମିର୍ଜାପୁର’: ୪ ଦିନରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା

ମୁମ୍ବାଇ: ମୋବାଇଲ୍ ଓ ଟିଭି ପରଦାରେ ଦର୍ଶକଙ୍କ ମନ ଜିଣିଥିବା ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ ଏବେ ବଡ଼ ପରଦାରେ ବି କମାଲ୍ କରୁଛି । ଗତ ସେପ୍ଟେମ୍ବର ୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ମିର୍ଜାପୁର: ଦି ମୁଭି’ ବକ୍ସ ଅଫିସ୍‌ରେ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ବିନା କୌଣସି ବଡ଼ ବଲିଉଡ୍ ସୁପରଷ୍ଟାରରେ ଏହି ଫିଲ୍ମ ମାତ୍ର ୪ ଦିନ ଭିତରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇ ଏକ ନୂଆ ଇତିହାସ ରଚିଛି। ଫିଲ୍ମ ବିଶେଷଜ୍ଞଙ୍କ ଅନୁମାନକୁ ପଛରେ ପକାଇ ପ୍ରଥମ ଦିନରୁ ହିଁ ଏହି ସିନେମା ଦେଖିବାକୁ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଓଟିଟି ପ୍ଲାଟଫର୍ମରେ ଅପାର ସଫଳତା ପାଇବା ପରେ ଏବେ ସିନେମା ହଲ୍‌ରେ କାଲିନ୍ ଭୈୟା ଓ ଗୁଡ୍ଡୁ ପଣ୍ଡିତଙ୍କୁ ବଡ଼ ପରଦାରେ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ଟ୍ରେଡ୍ ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ‘ମିର୍ଜାପୁର: ଦି ମୁଭି’ ପ୍ରାୟ ୨୫.୭୫ କୋଟି ଟଙ୍କାର ବ୍ୟବସାୟ କରି ଏକ ଦମଦାର୍ ଓପନିଂ କରିଥିଲା। ଏହା ପରେ ଶନିବାର ଦିନ ୩୨ କୋଟି ଏବଂ ରବିବାର ଦିନ ୩୬ କୋଟି ଟଙ୍କା ଆୟ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସୋମବାର ପରି ଏକ ୱାର୍କିଂ ଡେ (କାର୍ଯ୍ୟ ଦିବସ)ରେ ମଧ୍ୟ ଫିଲ୍ମର କ୍ରେଜ୍ କମିନଥିଲା ଏବଂ ଏହା ୧୫.୫୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା । ଏଥିସହ ମାତ୍ର ୪ ଦିନରେ ଏହାର ମୋଟ ଘରୋଇ ଆୟ ପ୍ରାୟ ୧୦୯.୨୫ କୋଟି ଟଙ୍କା ହୋଇଛି। ସେହିପରି ବିଶ୍ୱବ୍ୟାପୀ ବକ୍ସ ଅଫିସ୍ କଲେକ୍ସନ୍ ପ୍ରାୟ ୧୫୪ କୋଟି ଟଙ୍କା ପାର୍ କରିଛି ।

ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ ଏବଂ ଆମାଜନ୍ ଏମ୍‌ଜିଏମ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁରମୀତ ସିଂହ। ଏଥିରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ୍, ଦିବ୍ୟେନ୍ଦୁ ଶର୍ମାଙ୍କ ସହ ରବି କିଷନ ଓ ଜିତେନ୍ଦ୍ର କୁମାରଙ୍କ ପରି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିଛି । ଟିଭି ସିରିଜ୍‌ର କାହାଣୀ ଯେଉଁଠୁ ଶେଷ ହୋଇଥିଲା, ସେହିଠାରୁ ହିଁ ଏହି ଫିଲ୍ମର କାହାଣୀ ଆଗକୁ ବଢ଼ିଛି। ୨୦୧୮ ମସିହା ଉପରେ ଆଧାରିତ ଏହି କାହାଣୀରେ କ୍ଷମତା ପାଇଁ ସଂଘର୍ଷ, ବିଶ୍ୱାସଘାତକତା ଓ ପ୍ରତିଶୋଧର ଏକ ଭୟଙ୍କର ଝଲକ ଦେଖିବାକୁ ମିଳିଛି ।

ପ୍ରଥମ ଥର ପାଇଁ ଏକ ୱେବ୍ ସିରିଜ୍‌ର ଦୁନିଆକୁ ନେଇ ବଡ଼ ପରଦାରେ ଆସିଥିବା ଏହି ଫିଲ୍ମର ସଫଳତା ଦର୍ଶାଇଛି ଯେ, ଏକ ଦମଦାର୍ କାହାଣୀ ଓ ଜବରଦସ୍ତ ଅଭିନୟ ଥିଲେ ଦର୍ଶକ ସିନେମା ହଲ୍‌କୁ ଆସିବାକୁ ବାଧ୍ୟ ହେବେ । ଆଗାମୀ ଦିନରେ ଏହି ଫିଲ୍ମ ଆହୁରି ଅନେକ ରେକର୍ଡ ଭାଙ୍ଗିବ ବୋଲି ସିନେମା ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.