Latest Odisha News

BREAKING NEWS

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି ରାସ୍ତାର ମାଧିଆପାଲି ରେଲୱେ ଅଣ୍ଡରବ୍ରିଜ ନିକଟରେ ଘଟିଛି ଏହି ଘଟଣା ।

ଗତକାଲି ରାତିରେ ଲୁଟେରାଙ୍କ ଶିକାର ହୋଇଛନ୍ତି ପୁଇଁନ୍ତଲା ବ୍ଲକ ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସାହୁ । ବଲାଙ୍ଗିରରୁ ଗାଁକୁ ଫେରିବା ବେଳେ ମାଧିଆପାଲି ରେଲୱେ ଅଣ୍ଡରବ୍ରିଜଠାରେ ଅନ୍ଧାରୁଆ ରାସ୍ତାରେ ହଠାତ କିଛି ଯୁବକ ତାଙ୍କୁ ଲୁହାରଡରେ ଆକ୍ରମଣ କରିଥିଲେ । ଉକାଲୁ ତଳେ ପଡିଯିବା ପରେ ପର୍ସରେ ଥିବା କୋଡିଏ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ସ୍ଥାନୀୟ ଲୋକେ ଉକାଲୁଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିକ୍ଷକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ପୁଇଁନ୍ତଲା ଥାନା ପୋଲିସ ଲୁଟେରାଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସଂପୃକ୍ତ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ବଢୁଥିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଦାବି କରିଛନ୍ତି ଅଇଁଲାସାରି ଗାଁ ଲୋକ ।

Leave A Reply

Your email address will not be published.