ଜଳେଶ୍ୱର:ଆଇନଜୀବୀଙ୍କ ଉପରେ ଭୁଜାଲିରେ ଆକ୍ରମଣ ଘଟଣା ।ଗୁରୁତର ଆହତ ଆଇନଜୀବୀଙ୍କୁ ଜଳେଶ୍ୱର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ଜଳେଶ୍ୱର ପୋଲିସ। ଆଇନଜୀବୀ ଜଣକ ହେଲେ ସିଦ୍ଧାର୍ଥ ଦାସ । ଜଳେଶ୍ୱରରେ କୋର୍ଟରୁ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନାମୁତାବକ, ଜଳେଶ୍ୱରର ବିଶିଷ୍ଟ ଆଇନଜୀବୀ ସିଦ୍ଧାର୍ଥ ଦାସ କୋର୍ଟରୁ ନିଜ କାର୍ଯ୍ୟ ସାରି ଫେରୁଥିବା ବେଳେ ଜାତୀୟ ରାଜପଥ-୧୬ର ଶାନ୍ତିଆ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ହଠାତ୍ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ଡାହାଣ ପାର୍ଶ୍ୱ କାନ୍ଧ ଓ ଦୁଇ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।
ଡାକ୍ତରମାନେ ଆହତ ଆଇନଜୀବୀଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଖବର ପାଇ ଜଳେଶ୍ୱର ପୋଲିସ ହସ୍ପିଟାଲରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
