Latest Odisha News

BREAKING NEWS

ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ମିଶନ ଶକ୍ତି କାଫେ, ମିଳୁଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ

ଯାଜପୁର: ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ଶକ୍ତି ହେଲେ ମହିଳା । ସେହି ମିଶନ ଶକ୍ତି ଜରିଆରେ ରାଜ୍ୟର କୋଣ ଅନୁକୋଣରେ ଗ୍ରାହକ ପର୍ଯ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟକରି ଲୋକାର୍ପିତ ହେଉଛି ମିଶନ ଶକ୍ତି କାଫେ । ମହିଳା ମାନେ ହିଁ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି । ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି ଏହି ମିଶନ ଶକ୍ତି କାଫେ । କାଫେରେ ଉପଲବ୍ଧ ହେଉଛି ବିଭିନ୍ନ ପ୍ରକାରର ଘରୋଇ ସୁସ୍ୱାଦୁ ଖାଦ୍ୟ । ଏବେ ଏପରି ଏକ ମିଶନ ଶକ୍ତି କାଫେ ଲୋକାର୍ପିତ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର ନିକଟରେ । ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ଆଗନ୍ତୁକ ମାନେ ଦର୍ଶନ ସାରି ଏହି କାଫେରେ ଖାଦ୍ୟ ଗ୍ରହଣ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ।

ବିରଜା ମନ୍ଦିର ପାଖରେ ଖୋଲିଛି ଏହି ମିଶନ ଶକ୍ତି କାଫେ । ରୁଟି ସହିତ ମିଳୁଛ ଡାଲି, ଡାଲମା, ଭଜା, ଭର୍ତ୍ତା, ରାଇ, ବଢି ଚୁରା, ପାମ୍ପଡ, ସାଲାଡ୍‌, ଖଟା, ଆଚାର, ରସା, ଦହି, ଲସି ଆଦି ବିଭିନ୍ନ ପ୍ରକାରର ବ୍ୟଞ୍ଜନ । ମେନୁରୁ ରସଗୋଲା ବି ବାଦ ପଡିନି । ହେଲେ ପ୍ଲେଟର ଦାମ୍ ରହିଛି ମାତ୍ର ୧୦୦ଟଙ୍କା । ଇଏ ତ ନିରାମିଷ ପ୍ଲେଟର କଥା । ଆମିଷ ପ୍ଲେଟ ବି ସୁଲଭ ଦାମରେ ମିଳୁଛି । ଏଠି ମିଶନ ଶକ୍ତିର ମହିଳା ମାନେ ହିଁ ନିଜେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଆଉ ଖାଦ୍ୟ ବି ପରସୁଛନ୍ତି । ଆଜିକାଲିର ଖାଦ୍ୟପେୟକୁ ଲକ୍ଷ୍ୟ କରି ଏଠାରେ ସମ୍ପୂର୍ଣ ନିରୋଗୀ ଖାଦ୍ୟ ପ୍ରସ୍ତୁତ ହେଉଛି । ତେଲ ମସଲା ବି ବହୁ ପରିମାଣରେ କମ୍ ଦିଆଯାଉଛି । ମା ଉଭଣୀମାନେ ଅତିଥି ଅଭ୍ୟାଗତ ବା ଘର ଲୋକଙ୍କ ଭଳି ପାଖରେ ରହି ଆଉ କଣ ଲାଗିବ କି ବୋଲି ପଚାରୁଛନ୍ତି । ଯେଉଁଥିରେ ବେଶ୍ ସନ୍ତୁଷ୍ଟି ଲାଭ କରୁଛନ୍ତି ଗ୍ରାହକ । ମହିଳା ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି । ସେପଟେ ଏହା ଦ୍ୱାରା ମିଶନ ଶକ୍ତିର ଏହି ମହିଳା ମାନେ ସ୍ୱାବଲମ୍ବୀ ମଧ୍ୟ ହୋଇପାରୁଛନ୍ତି । ସେଥିପାଇଁ ମହିଳା ମାନେ ମଧ୍ୟ ବେଶ୍ ଖୁସି ଓ ଆନନ୍ଦିତ । ମିଶନ ଶକ୍ତି ଫେଡେରେସନ ଦ୍ୱାରା ପରିଚାଳିତ ହେଉଛି ଏହି ମିଶନ ଶକ୍ତି କାଫେ । ସଫେଡେରେସନର କର୍ମକର୍ତ୍ତା ମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.