ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅବସରରେ ଗସ୍ତ କରିଥିଲେ।
ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଶିକ୍ଷା ପଦ୍ଧତି ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏବେ ନିଯୁକ୍ତି ଓ ରୋଜଗାରର ଅମାପ ସୁଯୋଗ ରହିଛି। ଏହାର ସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ ଦକ୍ଷତା ବିକାଶ ତାଲିମର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀ ମାନଙ୍କ ଜରିଆରେ ଶିଳ୍ପଉପଯୋଗୀ କରିବାପାଇଁ ଷ୍ଟାଇପେଣ୍ଡ ସହ ଇଣ୍ଟନସିପର ବ୍ୟବସ୍ଥା କରିଛନ୍ତି। ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ଵାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ବା ଚ୩ମ୍ପିଅନସିପରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Comments are closed.