Latest Odisha News

BREAKING NEWS

ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଲାଗୁ, ସିଇଓ କହିଲେ; ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ କରିବା ଲକ୍ଷ୍ୟ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ମତଦାନ ଓ ୧୩ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ଏହି କ୍ରମରେ ଆଜି(ବୁଧବାର)ଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସିଇଓ କହିଛନ୍ତି ଯେ, ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ ଏବଂ ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଭୋଟର ତାଲିକା ଅନୁସାରେ ଝାରସୁଗୁଡ଼ାରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଅଛନ୍ତି। ଯେଉଁଥିରେ ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ଓ ୧ ଲକ୍ଷ ୧୦ ହଜାର ୬୮୭ଜଣ ମହିଳା ଭୋଟର ଅଛନ୍ତି। ତାଲିକାରେ ୮୦ ବର୍ଷରୁ ଊର୍ଦ୍ଧ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେହିପରି ୬୩ ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ୨୫୩ ପୋଲିଂ ସେଣ୍ଟର ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ନିର୍ବାଚନ ପାଇଁ ଆବଶ୍ୟକ EVM ଆମ ପାଖରେ ରହିଛି ଏବଂ ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସିଇଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖରାଦିନ ଥିବାରୁ ଗୀଷ୍ମ ପ୍ରବାହ ଦୃଷ୍ଟିରୁ ଭୋଟ ଗ୍ରହଣ ଦିନ ମତଦାନ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିସହ ସମ୍ଭାବ୍ୟ କୋଭିଡ଼ ସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ସହ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ ପାଇଁ ଚେଷ୍ଟା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

Leave A Reply

Your email address will not be published.