Latest Odisha News

BREAKING NEWS

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଥିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ବିଧାୟକ ଭାଗିରଥୀ ସେଠୀ କହିଥିଲେ ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ଡିଜେ ବାଜୁଛି। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଏପରିକି ରାଜ୍ୟରେ ଡିଜେ ସାଉଣ୍ଡ ପାଇଁ ଗତ ବର୍ଷ ୧୦ଜଣଙ୍କ ଜୀବନ ଯାଇଥିବା ବିଧାୟକ ଗୃହରେ ତଥ୍ୟ ରଖିଥିଲେ। ଯେଉଁଥିରେ ଭଦ୍ରକରେ ଜଣେ ପିଲାର ବି ମୃତ୍ୟୁ ଘଟିଥିଲା। ବିଧାୟକଙ୍କ ବିଷୋଦଗାର ପରେ, ଏହା ଉପରେ ତତ୍ପରତା ଦେଖାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।

ଡିଜିପିଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଅନୁମତି ନେଇ ନ ଥିଲେ ଗାଁ ଗହଳିରେ ‘ଡିଜେ’ ବାଜି ପାରିବନି। ଆଉ ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡ଼ି ଜବତ ସହ ମାମଲା ରୁଜୁ କରିବାକୁ ସବୁ ଏସ୍‌‌ପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମ୍‌‌କୁ ନିୟମିତ ଚଢ଼ାଉ ସମେତ ସୁପ୍ରିମକୋର୍ଟର ଗାଇଡ୍‌‌ଲାଇନ୍‌‌କୁ କଡାକଡି ପାଳନ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ଥାନା ଅଧିକାରୀ ସର୍ବସାଧାରଣଙ୍କ ଅଭିଯୋଗ ପାଇଁ ଏକ ଯୋଗୋଯୋଗ ନମ୍ବର ରଖିବେ, ଯେଉଁଥିରେ କଲ୍‌‌ କରି ଲୋକେ ଅଧିକ ଶବ୍ଧରେ ଡିଜେ ବାଜୁଥିଲେ ପୋଲିସକୁ ସୂଚନା ଦେଇପାରିବେ।

ଯଦି ବିଶେଷଜ୍ଞମାନଙ୍କ ଏନେଇ ପ୍ରତିକ୍ରିୟା ଦେଖିବା; ସେମାନଙ୍କ କହିବା କଥା ଯେ, ଡିଜେ ସାଉଣ୍ଡ ହୃଦରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ଭାବେ ବିପଦଜନକ । ଏଥିସହ ଅତି ବିକଟାଳ ଧ୍ବନି ବୟୋଜ୍ୟଷ୍ଠ, ଛୋଟ ପିଲା ଏବଂ ପଶୁପକ୍ଷୀଙ୍କ ପାଇଁ ମଧ୍ୟ କ୍ଷତିକାରକ ଅଟେ।

Leave A Reply

Your email address will not be published.