Latest Odisha News

BREAKING NEWS

ମଡ଼େଲ ସାଜିଲେ ମେୟର

ରାଜନୀତି ଏମିତି ଏକ କ୍ଷେତ୍ର ଯେଉଁଠି କି କେହି ବି କେତେବେଳେ ଏ କ୍ଷେତ୍ରକୁ ଆସିପାରିବେ । ଏଥିରେ କିଛି ବାଧକ ନାହିଁ । ଅର୍ଥାତ୍ ରାଜନୀତି ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା । ଅଭିନେତା ହୁଅନ୍ତୁ ବା ମଡେଲ ବା ଶିକ୍ଷକ, ଡ଼ାକ୍ତର, ବିଜ୍‌ନେସମ୍ୟାନ ସମସ୍ତେ ଏହି କାରଣ ପାଇଁ ରାଜନୀତିରେ ସଉକ ରଖିଥାନ୍ତି । ତେବେ ଲୋକଙ୍କ ଧାରଣା ଗ୍ଲାମର ଦୁନିଆ ସହିତ ଜଡ଼ିତ ଲୋକେ କେବଳ ଲୋକଙ୍କୁ ମନୋରଞ୍ଜନ ଦେଇ ପାରିଥାନ୍ତି । ସେମାନେ କେବେ ବି ଲୋକଙ୍କ ସେବା କରି ପାରନ୍ତି ନାହିଁ କିମ୍ବା ରାଜନୀତିରେ କ୍ୱଚିତ ସଫଳ ହେଇଥାନ୍ତି । କିନ୍ତୁ ଏମିତି ଜଣେ ମଡ଼େଲ ରାଜନୀତିକୁ ପ୍ରବେଶ କରି ମେୟର ହେବା ସହିତ ଲୋକଙ୍କ ଏପରି ଧାରଣାକୁ ଦୂର କରିପାରିଛନ୍ତି । ଏହି ଘଟଣାଟି ଦକ୍ଷିଣ ଆମେରିକାର ଇକୋଡ଼ୋରର ।

ମାରିଆ ଫର୍ନାଡ଼ା ବର୍ଗୋସ । ଗ୍ଲାମର୍ସ ଦୁନିଆରେ ଏକ ପରିଚିତ ଚେହେରା । ଏହି ଦୁନିଆରେ ପାଦ ଦେବା ପରେ ନିଜର ଏକ ପରିଚୟ ସୃଷ୍ଟି କରିବା ସହ ଇଛା ଥିଲା ଲୋକଙ୍କ ସେବା କରିବା । ହେଲେ ଲୋକଙ୍କ ସେବା କରିପାରିଲେ ନାହିଁ । ଏମିତି ଅନେକ ଉଦ୍ୟମ ପରେ ଗ୍ଲାମର ଦୁନିଆରେ ରହି ନିଜର ସ୍ୱପ୍ନ ପୂରଣ କରିବାକୁ ଯାଇ ଏବେ ରାଜନୀତିରେ ପାଦ ଦେଇଛନ୍ତି । ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ଚେଷ୍ଟା କରୁଛନ୍ତି ।

ଯେତେବେଳେ ମାରିଆ ରାଜନୀତିକୁ ପ୍ରବେଶ କଲେ ଲୋକେ ତାଙ୍କୁ ଗ୍ରହଣ କରିବାକୁ ଅନିଛୁକ ଥିଲେ । ଲୋକଙ୍କ ପାଖରୁ ଭୋଟ ଭିକ୍ଷା କଲା ବେଳେ ଲୋକେ ବି ସେ ଗ୍ଲାମର ଦୁନିଆ ପାଇଁ ଫିଟ୍‌, ରାଜନୀତି ପାଇଁ ନୁହେଁ ବୋଲି ମତ ରଖିଲେ । ହେଲେ ମାରିଆ କାହାରି କଥାକୁ ଖାତିର୍ ନ କରି ଆଗକୁ ବଢି ଚାଲିଥିଲେ । ରାଜନୀତିରେ ସଫଳ ହେବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ ।

ଏହି ଲକ୍ଷ୍ୟ ନେଇ ମାରିଆ ଇକୋଡ଼ୋରର ସିମନ ବୋଲିଭର ସହରର ମେୟର ନିର୍ବାଚନ ଲଢିଲେ । ଯେତେବେଳେ ସେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିଲେ ସେତେବେଳେ ଲୋକେ ତାଙ୍କୁ ଗମ୍ଭୀରତାର ସହ ଗ୍ରହଣ କରୁ ନ ଥିବା ଦେଖିବାକୁ ମିଳିଥିଲା । ଏମିତି କି ଅନେକ ଭୋଟର ଭାବୁଥିଲେ ଯେ, ସେ ନିଜର ଓ ନିଜ ପରିବାରର ଭୋଟକୁ ଛାଡ଼ି ଅନ୍ୟଠି ଗୋଟେ ହେଲେ ବି ଭୋଟ ପାଇବେ ନାହିଁ । କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ ମାରିଆ ସଂଖ୍ୟାଧିକ ଭୋଟରେ ବିଜୟୀ ହେଲେ ଓ ମେୟର ପଦବୀରେ ବସିବାକୁ ସକ୍ଷମ ହେଲେ ।

ଗୋଟିଏ ପଟେ ଜଣେ ମଡ଼େଲ ହିସାବରେ ତାଙ୍କ ପାଖରେ ଥିଲା ବ୍ୟୁଟିନେସ୍ । ଏବେ ମେୟର ହେବା ପରେ ବଢିଛି ପପୁଲାରିଟି । ଯାହା ଆଧାରରେ ସେ ଲୋକଙ୍କ ହୃଦୟ ଜିଣିପାରିଛନ୍ତି । ଅବଶ୍ୟ କିଛି ଲୋକଙ୍କର ମତ ହେଲା ଜଣେ ମଡ଼େଲ ଭାବେ ତାଙ୍କୁ ସୌନ୍ଦର୍ଯ୍ୟ କାରଣରୁ ଅନେକ ଭୋଟରଙ୍କୁ ସେ ନିଜ ଆଡ଼କୁ ଆକର୍ଷିତ କରିପାରିଛନ୍ତି । କିନ୍ତୁ ନିଜେ ମାରିଆ ଜାଣନ୍ତି ଯେ ଭୋଟରମାନେ ତାଙ୍କୁ କେତେ ଗମ୍ଭୀରତାର ସହ ନେଇଥିଲେ । ଲୋକମାନଙ୍କୁ ବୁଝାଇବା ପାଇଁ ତାଙ୍କୁ କେତେ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା ।

ସବୁଠୁ ବଡ଼ କଥା ହେଲା ନିର୍ବାଚନରେ ପ୍ରଚାର ପାଇଁ ଆବଶ୍ୟକ ହୋଇଥିବା ଖର୍ଚ୍ଚ ପୂରଣ ପାଇଁ ସେ ନିଜର ଅନେକ ଗ୍ଲାମର୍ସ ଫଟୋ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ମେୟର ନିର୍ବାଚନ ସମୟର ଅନେକ ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯେଉଁ ଫଟୋରେ ସେ ଲୋକଙ୍କ ପାଖକୁ ଯାଇ ଦୁଃଖସୁଖ ପଚାରି ବୁଝୁଥିବା ନଜରକୁ ଆସିଛି ।

Leave A Reply

Your email address will not be published.