Latest Odisha News

BREAKING NEWS

କେସିଆର ଗଡ଼ରେ ଗର୍ଜିଲେ ମୋଦୀ, ନଡ୍ଡା କହିଲେ ବିଜେପି ଆସୁଛି, ଟିଆରଏସ ଯିବା ଥୟ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକକୁ ସମ୍ବୋଧିତ କରି ଏପରି କହିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

2019 ନିର୍ବାଚନ ପରେ ତେଲେଙ୍ଗାନାରେ ବିଜେପିକୁ ଯେଉଁ ସମର୍ଥନ ମିଳିଛି ତାହା କ୍ରମାଗତ ଭାବେ ଦଳ ପ୍ରତି ଲୋକଙ୍କ ଭଲ ପାଇବାକୁ ପ୍ରମାଣ କରିଛି । ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ମହିଳାମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଜୀବନ ସହଜ ହୋଇଛି, ସେମାନଙ୍କ ସୁବିଧା ବଢ଼ିଛି। ଏବେ ସେମାନେ ଦେଶର ବିକାଶରେ ଅଧିକ ଯୋଗଦାନ ଦେଇପାରିବେ। ତେଲେଙ୍ଗାନାର ପ୍ରତ୍ୟେକ ଗରିବ, ପଛୁଆ, ଦଳିତ ଓ ମଧ୍ୟବିତ୍ତଙ୍କୁ ତାଙ୍କ ସରକାରର ‘ସେବା ଭାବ’ର ଲାଭ ମିଳୁଛି ବୋଲି ସେ କହିଛନ୍ତି।

ଯେତେବେଳେ ତେଲେଙ୍ଗାନାରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବ, ସେତେବେଳେ ତେଲେଙ୍ଗାନାର ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁର ବିକାଶ ପାଇଁ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ। ଆମ ସମସ୍ତଙ୍କୁ ସକାରାତ୍ମକତା ସହିତ ସଂଯୋଗ କରିବାକୁ ହେବ, ବିକାଶ ସହିତ ସମସ୍ତଙ୍କୁ ସଂଯୋଗ କରିବାକୁ ପଡିବ ବୋଲି ମୋଦୀ କହିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତେଲେଙ୍ଗାନାର ବିକାଶ, ସର୍ବାଙ୍ଗୀନ ବିକାଶ ବିଜେପିର ପ୍ରଥମ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ମନ୍ତ୍ରକୁ ଅନୁସରଣ କରି ଆମେ ତେଲେଙ୍ଗାନାର ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛୁ। ହାଇଦ୍ରାବାଦ ସହର ସହିତ ଦେଶର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିଜେପି ଦିନରାତି ଏକ କରିଦେଇଛି।

ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ, ଆଜି ‘ଭାଗ୍ୟନଗର’ରେ (ହାଇଦ୍ରାବାଦ) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ଶୁଣିବା ପାଇଁ ପ୍ରବଳ ଜନସମାଗମ ହୋଇଛି। ଏଥିରୁ ଜଣାପଡ଼ୁଛି ଯେ କେସିଆର ଯିବାର ଅଛି ଏବଂ ବିଜେପି ଆସିବା ନିଶ୍ଚିତ।

ଉଲ୍ଲେଖଯୋଗ୍ୟ, ଆଗକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ ଏଠାରେ ବିଜେପି ଭଲ ପ୍ରଦର୍ଶନ କରିଛି। ଯାହା ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ଟିଆରଏସ ଏବଂ ଏଆଇଏମଆଇଏମଙ୍କୁ କଡା ଚ୍ୟାଲେଞ୍ଜ ଦେଇଛି। ତେଣୁ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏଠାରେ ପୌର ନିର୍ବାଚନର ସଫଳତା ବିଧାନସଭାରେ ଦୋହରାଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ସେହିପରି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ମୋଦୀ ତେଲେଙ୍ଗାନା ଗସ୍ତରେ ରହିଛନ୍ତି। ହାଇଦ୍ରାବାଦରେ ବିମାନ ଯୋଗେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କେସିଆର ସ୍ୱାଗତ କରିବାକୁ ଆସିନଥିଲେ। ଏହାକୁ ନେଇ ବିଜେପି ଏବଂ ଟିଆରଏସ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ବିଜେପି କହିଛି କେସିଆର ଏକ ଇନଷ୍ଟିଚ୍ୟୁସନକୁ ଅପମାନ କରିଛନ୍ତି।

Leave A Reply

Your email address will not be published.