Latest Odisha News

BREAKING NEWS

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର ହୋଇଛି।

ଯେଉଁ କୋଲାରରେ ମୋଦି ସାଙ୍ଗିଆ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡାଦେଶ ହେବା ସହ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି। ଯାହାକୁ ନେଇ ରାହୁଲ ଆଇନଗତ ଲଢେଇ ଲଢ଼ୁଛନ୍ତି। ଏପରିକି ସେହି କୋଲାରରୁ ପୁଣିଥରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି।

କୋଲାରରେ ଆୟୋଜିତ ବିଶାଳ ସମାବେଶରେ ତାଙ୍କ ସ୍ୱରକୁ ଚାପିଦେବା ପାଇଁ କିଭଳି ଉଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଅଭିଯୋଗ କରିବା ସହ ଲୋକଙ୍କୁ ଅବଗତ କରାଇଛନ୍ତି। ଠିକ ସେହି ଯାଗାରେ ମୋଦି ସାଧାରଣ ସଭାରେ ଯୋଗ ଦେବେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୯ ତାରିଖଠାରୁ କର୍ଣ୍ଣାଟକରେ ପ୍ରଚାରକୁ ଓଲ୍ହାଇବେ ପ୍ରଧାନମନ୍ତ୍ରୀ ମୋଦି। ଏପ୍ରିଲ ଶେଷ ସୁଦ୍ଧା କର୍ଣ୍ଣାଟକରେ ମୋଦି ଦୁଇଟି ବଡ଼ ରୋଡ଼ ସୋ ଓ ୬ ଟି ସାଧାରଣ ସଭା କରିବା ନେଇ ସୂଚନା ମିଳିଛି। ପ୍ରଚାରର ପ୍ରଥମ ଦିନରେ ମୋଦି ବେଙ୍ଗାଲୁରୁରେ ମେଗା ରୋଡ଼ ଶୋ କରିବେ।

ଏପ୍ରିଲ ୩୦ ରେ ମୋଦି କୋଲାର ସମେତ ଅନ୍ୟାନ୍ୟ ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ଚନ୍ନାପାଟନ, ବେଲୁରରେ ସାଧାରଣ ସଭାରେ ଯୋଗ ଦେବା ସହ ମହୀଶୂର ସହରରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ସେହିପରି ମେ ୭ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ବହୁ ରୋଡ଼ ସୋ ଓ ସାଧାରଣ ସଭାରେ ଯୋଗ ଦେବେ ବୋଲି କୁହାଯାଉଛି।

ସେପଟେ କର୍ଣ୍ଣାଟକବାସୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ କଂଗ୍ରେସ ଓ ବିଜେପି ନିଜର ସବୁ ଶକ୍ତି ଖଟାଇଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଗଦା ଗଦା ପ୍ରତିଶ୍ରୁତି ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ଏହାକୁ ନେଇ ବର୍ଷିଛନ୍ତି। ପ୍ରଚାରକୁ ଓଲ୍ହାଇବା ପୂର୍ବରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଭରଚୁଆଲ ବୈଠକ କରି ସେ ମୁକ୍ତରେ ବିଭିନ୍ନ କଥା ଦେବାକୁ କଂଗ୍ରେସ ଦେଉଥିବ ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି।

ସେପଟେ କଂଗ୍ରେସ କର୍ଣ୍ଣାଟକବାସୀଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ ଚାଲିଛି। ଘରକୁ ଦୁଇଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ବିପିଏଲ ପରିବାର ସଦସ୍ୟଙ୍କୁ ୧୦ କେଜି ଲେଖାଏଁ ଚାଉଳ, ଘରୋଇ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା, ଗ୍ରାଜୁଏଟ ଯୁବକଙ୍କୁ ମାସିକ ତିନି ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫୦୦ ଟଙ୍କା ଦେବାକୁ କଂଗ୍ରେସ ଘୋଷଣା କରିଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ମହିଳାଙ୍କୁ ମାଗଣାରେ ବସରେ ଯାତାୟାତ ସୁବିଧା ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏଥିସହିତ ମସ୍ୟଜୀବୀ ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା, ୧ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ ଓ ଦିନକୁ ୫୦୦ ଲିଟର ଡିଜେଲ ଉପରେ ଲିଟର ପିଛା ୨୫ ଟଙ୍କା ଛାଡ଼ ପାଇଁ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି।

କଂଗ୍ରେସର ଏହି ମୁକ୍ତ ପ୍ରତିଶ୍ରୁତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ବିଜେପି ନେତାମାନେ ବର୍ଷିଥିବା ବେଳେ ଓଲଟା କଂଗ୍ରେସ ମଧ୍ୟ ବିଜେପି କିଭଳି ପ୍ରତିଶ୍ରୁତି ଦେଇ ପୂରଣ କରିନି ସେ କଥା କହିଛି। ପୂର୍ବରୁ ନିର୍ବାଚନ ବେଳେ ବିଜେପି ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଓ ବାର୍ଷିକ ୨ କୋଟି ଚାକିରିର ପ୍ରତିଶ୍ରୁତି ଦେଇଥିବା ବେଳେ ସେଥିରେ ପ୍ରଧାନମନ୍ତ୍ରୀ ମୋଦି ବିଫଳ ହୋଇଥିବା ରାହୁଲ କହିଛନ୍ତି।

ତେଣୁ ଏ ସବୁ ଲଢେଇ ତୀବ୍ର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ସିଧାସଳଖ ମଇଦାନକୁ ଓଲ୍ହାଇ କର୍ଣ୍ଣାଟକରେ ଜୋରଦାର ପ୍ରଚାର କରିବା ରାଜ୍ୟର ରାଜନୈତିକ ପାଣିପାଗ ଉପରେ କେତେ ପ୍ରଭାବ ପକାଇବ ତା ଉପରେ ନଜର।

Leave A Reply

Your email address will not be published.