Latest Odisha News

BREAKING NEWS

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି ।

ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ କାଳୁଆ ନିକଟ ଉପର କୁମ୍ଭଝର ପାଖରେ ଚଢ଼ଉ କରାଯାଇଥିଲା । ସେଠାରେ ସମ୍ବର ଶିକାର ଚାଲିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା ।

ଚଢ଼ଉ ବେଳେ ସେଠାରେ ଜଣେ ବ୍ୟକ୍ତି ଏକ ମୃତ ସମ୍ବରକୁ କାଟୁଥିଲେ । ନିକଟରେ ଆଉ ଏକ ଶିଶୁ ସମ୍ବରର ଶବ ପଡ଼ିଥିଲା । ବନ ବିଭାଗର ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କୁ ଧରିବା ସହ ସମ୍ବର ମାଂସକୁ ଜବତ କରିଛନ୍ତି ।

ଗର୍ଭବତୀ ସମ୍ବରକୁ ମାରି ପେଟରୁ ଶିଶୁ ସମ୍ବରଟିକୁ କଢ଼ା ଯାଇଥିବା ସନ୍ଦେହ କରାଯାଉଛି । ଏଣୁ ଶିଶୁ ସମ୍ବର ଏବଂ ସମ୍ବର ମାଂସକୁ ଜବତ ପରେ କୁକୁଡ଼ାଖଣ୍ଡି ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ମୃତ୍ୟୁର କାରଣ ।

ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି, ସେ ହିଁ ଶିକାରୀ ହୋଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ର ସୂଚନା ଦେଇଛନ୍ତି। ଜଣେ ନୁହଁନ୍ତି ବରଂ ଆହୁରି ଦୁଇ-ତିନି ଜଣ ଏହି ଶିକାରରେ ସଂପୃକ୍ତ ଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

Leave A Reply

Your email address will not be published.