Latest Odisha News

BREAKING NEWS

ଲେଖକ ହରପ୍ରସନ୍ନ ଦାସଙ୍କ ପୁସ୍ତକ ‘ଏନରିଚିଂ ଲାଇଫ’ ଉନ୍ମୋଚିତ…

ଭୁବନେଶ୍ୱର: ପ୍ରସିଦ୍ଧ ମୋଟିଭେସନାଲ୍ ପୁସ୍ତକ ରଚୟିତା ତଥା ସୁବକ୍ତା ଡଃ ହରପ୍ରସନ୍ନ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏନ୍ରିଚିଂ ଲାଇଫ’ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ହିମାଚଳ ପ୍ରଦେଶ ସେଣ୍ଟ୍ରାଲ୍ ୟୁନିଭର୍ସିଟିର ଉପ କୂଳପତି ଡଃ କୁଲଦୀପ ଚାନ୍ଦ ଯୋଗଦେଇଥିଲେ । ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ମ୍ୟାନେଜମେଣ୍ଟ ପରାମର୍ଶଦାତା ରାଜକୁମାର ସୂତ୍ର ଏହି ପୁସ୍ତକଟିର ସମୀକ୍ଷା କରିଥିଲେ ।

ଲେଖକ ଡଃ ହରପ୍ରସନ୍ନ ଦାସଙ୍କ ପୁସ୍ତକ ‘ଏନରିଚିଂ ଲାଇଫ’ର ରୂପରେଖ:

ବର୍ତ୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି । ଏହା ଆମ ମାନସିକ ଶାନ୍ତି ଓ ସୁଖରେ ବ୍ୟାଘାତ ସାଜୁଛି । ଆମେ କ’ଣ ଅଟୁ ଓ କ’ଣ ହେବାକୁ ଚାହୁଁଛୁ, ଆମେ କିଏ ଏବଂ ଅନ୍ୟମାନେ କ’ଣ ଆମଠୁଁ ଚାହାଁନ୍ତି, ଆମର ସ୍ୱପ୍ନ ଓ ତିକ୍ତ ବାସ୍ତବତା ଭିତରେ ଆମେ ବାଂଟି ହୋଇ ଯାଉଛୁ । ଆମେ ବାହାରେ ଆମପାଇଁ ମାନସିକ ଶାନ୍ତି ଓ ସୁଖ ଖୋଜୁଛୁ କିନ୍ତୁ ଭୁଲି ଯାଉଛୁ ସେସବୁ ଆମ ଭିତରେ ହିଁ ରହିଛି । ତେବେ କଥା ହେଉଛି ତାକୁ ଖୋଜିବା କେମିତି? ବିଶିଷ୍ଟ ପ୍ରେରଣାଦାୟକ ବକ୍ତା ତଥା ଜୀବନ ପ୍ରଶିକ୍ଷକ ଡଃ ହରପ୍ରସନ୍ନ ଦାସଙ୍କ ପୁସ୍ତକ ‘ସମୃଦ୍ଧ ଜୀବନ’ ରେ ରହିଛି ଏହାର ଉତର ।

ଏହି ପୁସ୍ତକରେ ୪ ଟି ପ୍ରମୁଖ ଭାଗ ରହିଛି । ନିଜକୁ ବୁଝିବା, ନିଜକୁ ପରିଚାଳନା କରିବା, ନିଜକୁ ପୁନଃ ଆବିଷ୍କାର କରିବା ଏବଂ ନିଜକୁ ସଶକ୍ତ କରିବା । ଆମ ପ୍ରତିଭାକୁ ବୁଝିବା, ବର୍ଜନ ଓ ବଂଚିବାର କଳା, ପ୍ରେମର ଚାରୋଟି ସ୍ତମ୍ଭ, ଆତ୍ମ ନେତୃତ୍ୱ- ସବୁଠୁଁ ବଡ଼ ନେତୃତ୍ୱ, ହସି ହସି ‘ନା’ କୁ ଆପଣେଇ ନେବା, ଜୀବନ ସରଳ କିନ୍ତୁ…, ଜଣେ ପେଷାଦାର ହୋବାପାଇଁ ପ୍ରଚେଷ୍ଟା, ଯେଉଁ କାମ ପାଇଁ ନିଜ ଉପରେ ଭରସା ଅଛି ସେହି କାମ କରନ୍ତୁ , ଆତ୍ମ ବିଶ୍ଳେଷଣ ଆତ୍ମବିକାଶ ଆଡ଼କୁ ବାଟ କଢ଼ାଏ, ସକରାତ୍ମକ ଚିନ୍ତାଧାରା ଏବଂ ଆତ୍ମ ପ୍ରେରଣା, ନିଜ ଭାଗ୍ୟର ମୁନିବ ହୁଅନ୍ତୁ, ପ୍ରଭାବଶାଳୀ ଜୀବନ ପାଇଁ ଆମର ଅଭ୍ୟାସରେ ପରିବର୍ତନ, ସମ୍ପର୍କରେ ଆସ୍ଥା ଓ ଗ୍ରହଣଶୀଳତା, ଆତ୍ମ ଅନ୍ୱେଷଣ, ନିଜକୁ ଅନୁଭବ କରିବା ଓ ପୁନଃପରିଭାଷିତ କରିବା, ନିଜକୁ ଓ ଅନ୍ୟକୁ ଗ୍ରହଣ କରିବା, ଜାଣିବା ବନାମ ଅନୁଭବ କରିବା, ଭୁଲିଯିବା ଅଲଗା କରିବା ଓ ସ୍ୱପ୍ନ ଦେଖିବା, ଜୀବନର ଉତ୍ସବକୁ ପାଳନ କରିବା, ପ୍ରଥମେ ନିଜକୁ ସଶକ୍ତ କରନ୍ତୁ, ଶିଖିବାର କଳା ଶିଖିବା, ହସି ହସି ବାସ୍ତବତାକୁ ଗ୍ରହଣ କରିବା, ଜୀବନର ବାସ୍ତବତା ସହିତ ପରିକ୍ଷାନିରୀକ୍ଷା, ପସନ୍ଦ ସବୁବେଳେ ଆପଣଙ୍କର ଭଳି ୩୪ ଟି ପ୍ରେରଣାଦାୟୀ ଆଲେଖ୍ୟ ରହିଛି ଏହି ପୁସ୍ତକରେ ।

ଆଲେଖ୍ୟ ଗୁଡ଼ିକର ଶିର୍ଷକ ହିଁ ଦର୍ଶାଉଛି ପୁସ୍ତକଟି ଆତ୍ମବିକାଶର ଏକ ସାଧନ । ପୁସ୍ତକଟିର ସମ୍ପୂର୍ଣ୍ଣ ପଠନ ପାଠକକୁ ଆତ୍ମାନୁଭବ ଆଡ଼କୁ ନେଇଯିବ ଏବଂ ନିଜ ଭିତରେ ଥିବା ସୁଖ ଓ ମାନସିକ ଶାନ୍ତିର ଉତ୍ସକୁ ଖୋଜିବାର ସୁପ୍ତ କ୍ଷମତାକୁ ଜଗେଇଦେବ ଯେଉଁ ସୁଖ ଶାନ୍ତି ପ୍ରତ୍ୟେକ ମଣିଷର ଅନ୍ତିମ ଲକ୍ଷ ।

ଡଃ ହରପ୍ରସନ୍ନ ଦାସ ଜଣେ ଜଣାଶୁଣା ଲେଖକ ଯିଏ ତାଙ୍କ ସ୍କୁଲ ଜୀବନରୁ ସାହିତ୍ୟ ସାଧନାରେ ବ୍ରତୀ ରହିଛନ୍ତି । ସେ କେବଳ ଅନେକ ପୁସ୍ତକ, ନିବନ୍ଧର ଲେଖକ ନୁହଁନ୍ତି ବରଂ ଜଣେ ସମ୍ପାଦକ, ସ୍ତମ୍ଭକାର, ଟିଭି ଏବଂ ରେଡ଼ିଓ ଉପସ୍ଥାପକ, ମ୍ୟାନେଜମେଂଟ୍ ଗୁରୁ, ତାଲିମ୍ ଦାତା, ମନୋଚିକିତ୍ସକ ଏବଂ ପରାମର୍ଶଦାତା ।

ଏହି ପୁସ୍ତକଟି ହେଉଛି ଡଃ ଦାସଙ୍କ ନିଜ ଜୀବନର ଅନୁଭବ ଓ ବିଭିନ୍ନ କ୍ଷେତ୍ରରେ ଥିବା ଲୋକମାନଙ୍କ ସହିତ ଭାବ ବିନିମୟର ଏକ ଫଳଶ୍ରୁତି । ଏହା ଅତି ସରଳ ଭାଷା ଓ ସ୍ପଷ୍ଟ ଶୈଳୀରେ ଲେଖା ଯାଇଛି ଯାହା ସବୁ ବୟସ ଓ ସବୁ ସ୍ତରର ପାଠକମାନଙ୍କ ପାଇଁ ବୋଧଗମ୍ୟ ହୋଇପାରିବ ।

Leave A Reply

Your email address will not be published.