ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ

 କଥାଟିଏ କହୁଁ : 2 

ମୁଁ ନାସ୍ତିକ, କିନ୍ତୁ ଗର୍ବିତ ହିନ୍ଦୁ
ପରଂବ୍ରହ୍ମ ତ୍ରିପାଠୀ

ବ୍ରାହ୍ମଣ ହୋଇ ପଇତା ପିନ୍ଧୁ ନଥିବା, ବିନା ଆମିଷରେ ଖାଉନଥିବା, ମନ୍ଦିର ଯାଉ ନଥିବା, ପ୍ରଥା ପରମ୍ପରାକୁ ନେଇ ସବୁବେଳେ ଯୁକ୍ତିତର୍କ କରୁଥିବା, ବ୍ୟକ୍ତି ଜଣଙ୍କୁ ତାଙ୍କ ବନ୍ଧୁ ଲଘୁ ପରିହାସରେ ପଚାରିଲେ, ବାବୁ ତୁମର କାଗଜପତ୍ରରେ ଧର୍ମ ଜାଗାରେ କିଛି ଲେଖୁଛ କି ଜାଗାଟି ଖାଲି ଛାଡିଦେଇଛ? ସତ କହିଲ, ତୁମର ଧର୍ମ ବୋଲି କିଛି ଅଛି କି ନାହିଁ?

ବ୍ୟକ୍ତି ଜଣଙ୍କ ଗମ୍ଭୀର ଭାବେ ଉତ୍ତର ଦେଲେ, ମୁଁ ନାସ୍ତିକ କିନ୍ତୁ ଜଣେ ଗର୍ବିତ ହିନ୍ଦୁ।

ବନ୍ଧୁ ପଡିଲେ ଧର୍ମ ସଂକଟରେ, କହିଲେ ଇଏ କି ପ୍ରକାରର କଥା, ମାନୁଛ ନାସ୍ତିକ, ତାପରେ ପୁଣି କୋଉ ଆଡୁଆ ଗର୍ବିତ ହିନ୍ଦୁ? ସେଇଠୁ ହିଁ ଆରମ୍ଭ ହେଲା ଦୁଇ ବନ୍ଧୁଙ୍କ ଭିତରେ ପ୍ରକୃତ କଥୋପକଥନ। ବ୍ୟକ୍ତି ଜଣଙ୍କ କହିଲେ ନାସ୍ତିକ ବା ହେତୁବାଦୀ ହେବା ମୋ ବ୍ୟକ୍ତିଗତ ବିଶ୍ୱାସ, ହେଲେ ମୁଁ ସନାତନୀ ହିନ୍ଦୁ ସେଇଟା ମୋ ପରିଚୟ। ବନ୍ଧୁ ତଥାପି ବୁଝି ପାରିଲେ ନାହିଁ। ବ୍ୟକ୍ତିଙ୍କୁ ପଚାରିଲେ ସିଧା ସଳଖ ଚାରୋଟି କାରଣ କୁହନ୍ତୁ ଯାହା ପାଇଁ ଆପଣ ନିଜକୁ ହିନ୍ଦୁ ଭାବେ ଗର୍ବ କରନ୍ତି, ଏହାର ସକାଳ ପ୍ରଥା ପରମ୍ପରାକୁ ପ୍ରଶ୍ନ କରିବା ସତ୍ତ୍ୱେ।

ବ୍ୟକ୍ତି ଜଣଙ୍କ ହସିଲେ, କହିଲେ ଲକ୍ଷେ କାରଣ ରହିଛି, ଆପଣ ଯଦି କହୁଛନ୍ତି, ସେଥିରୁ ମୁଖ୍ୟ ଚାରୋଟି କହୁଛି। ପ୍ରଥମଟି ହେଲା, ସାରା ବିଶ୍ୱର ଯେତେ ପ୍ରମୁଖ ଧର୍ମ ଅଛି, ତା ଭିତରୁ ଏକ ମାତ୍ର ଧର୍ମ ହେଉଛି ହିନ୍ଦୁ ଧର୍ମ ଯାହା ନିଜକୁ କେବେ ଶ୍ରେଷ୍ଠ ବୋଲି ଦାବି କରି ନାହିଁ କିମ୍ବା ନିଜର ଶ୍ରେଷ୍ଠତ୍ୱ ଅନ୍ୟ ଉପରେ ଲଦି ଦେଇନାହିଁ। ସବୁ ଧର୍ମ, ସବୁ ମାର୍ଗ, ସବୁ ସନ୍ଥ, ସବୁ ପଥକୁ ସମ୍ମାନ ଦେଇ ଆସିଛି। ଅନ୍ୟକୁ ଛୋଟ ଦେଖାଇ ନିଜକୁ ବଡ଼ କରିବାର ପରମ୍ପରା କିମ୍ବା ମାନସିକତା ହିନ୍ଦୁ ଧର୍ମରେ ନା କେବେ ଥିଲା ନା ଏବେ ଅଛି। ମନ୍ଦିର ଯାଉଥିବା ଲୋକଟି ମନ୍ଦିରରେ ଯେତିକି ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କରିଛି, ସେହି ଲୋକଟି ଯେବେ କୌଣସି ଦରଘା, ପିର ବାବାଙ୍କ ମଜାର କିମ୍ବା ଚର୍ଚ୍ଚ ଯାଇଛି, ସେଠାରେ ମଧ୍ୟ ଶ୍ରଦ୍ଧା ସମ୍ମାନ ପ୍ରଦର୍ଶନ କରିବାରେ କାଣିଚାଏ ଉଣା କରିନାହିଁ। ବିଶାଳ ପାଖରେ ନିଜକୁ ସମର୍ପି ଦେବା, ସବୁ ବିଶାଳକୁ ସମ୍ମାନ ଦେବା ହିଁ ହିନ୍ଦୁତ୍ୱ। ଏଠି ସଂକୀର୍ଣ୍ଣତା, ମୋର ବଡ଼ ତୋର ଛୋଟର ଲେଶମାତ୍ର ଚିହ୍ନ ନାହିଁ।

ଦ୍ଵିତୀୟଟି ହେଲା ଏହି ଧର୍ମରେ କେହି ବେଶୀ ହିନ୍ଦୁ କେହି କମ ହିନ୍ଦୁ ନାହାନ୍ତି। ବାର ମାସରେ ତେର ଓଷା, ଉପବାସ କରୁଥିବା ଲୋକଟି ଯେତିକି ହିନ୍ଦୁ, ନକରୁଥିବା ଲୋକଟି ବି ସେତିକି। ତେତିଶ କୋଟି ଦେବା ଦେବୀଙ୍କ ପାଖରେ ମଥାନତ କରୁଥିବା ଲୋକଟି ଯେତିକି ହିନ୍ଦୁ, ସେମାନଙ୍କ ଅସ୍ତିତ୍ତ୍ୱକୁ ପ୍ରଶ୍ନ କରୁଥିବା ଲୋକଟି ବି ସେତିକି ହିନ୍ଦୁ। ହିନ୍ଦୁତ୍ୱ କୌଣସି ଏକ ରୁଦ୍ଧ କୋଠରୀ ନୁହେଁ, ବରଂ ଏକ ମୁକ୍ତ ସଂସ୍କୃତି ଓ ସଭ୍ୟତା। ” ସର୍ବ ଜନ ହିତାୟ, ସର୍ବ ଜନ ସୁଖାୟ” ଓ ବସୁଧେବ କୁଟୁମ୍ବକମ”ରେ ଛଳଛଳ ଗଙ୍ଗା, ବ୍ରହ୍ମପୁତ୍ର, ନର୍ମଦା, କାବେରୀର ନିରନ୍ତର ଧାରା।

ତୃତୀୟଟି ହେଲା, ସତ୍ୟ ଉପରେ ଏହି ଧର୍ମ କେବେ ବି ନିଜର ଏକଚାଟିଆ ଅଧିକାର ଦାବି କରିନାହିଁ। ମୋ ସତ୍ୟ ବି ସତ୍ୟ, ଆପଣଙ୍କ ସତ୍ୟ ବି ସତ୍ୟ ଏବଂ ଆପଣଙ୍କ ସତ୍ୟ ପ୍ରତି ମୋର ସମ୍ମାନ ରହିଛି। ଏହି ଗ୍ରହଣୀୟତା ହିଁ ହିନ୍ଦୁ ଧର୍ମକୁ ଅନ୍ୟ ଧର୍ମ ମାନଙ୍କ ମଧ୍ୟରେ ନିଆରା କରି ଗଢି ତୋଳିଛି। କେବଳ ଭିନ୍ନ ଧର୍ମାବଲମ୍ବୀ ନୁହେଁ, ନିଜ ଧର୍ମ ଭିତରେ ଥିବା ଭିନ୍ନ ମତବାଦକୁ ଯଥୋଚିତ ସମ୍ମାନ ଦେଇ ହିନ୍ଦୁ ଧର୍ମ ନିଜକୁ କରିଛି ଅଧିକ ଜୀବନ୍ତ, ଅଧିକ ମାନବୀୟ। ଏଠି ଆଦିଗୁରୁ ଶଙ୍କରାଚାର୍ଯ୍ୟ ବି ନିଜ ମତ ରଖିଛନ୍ତି, ଗ୍ରହଣୀୟ ହୋଇଛନ୍ତି, ଚାରବାକ ମଧ୍ୟ ନିଜ ମତ ରଖିଛନ୍ତି ଗ୍ରହଣୀୟ ହୋଇଛନ୍ତି। ସମସ୍ତ ଭିନ୍ନ ମତକୁ ସମ୍ମାନ ଦେଇ, ଗ୍ରହଣ କରି ହିନ୍ଦୁ ଧର୍ମ ନିଜକୁ କରିପାରିଛି ଏକ ବିଶାଳ ବଟବୃକ୍ଷ। ମୁଁ ନିଜେ ନାସ୍ତିକ, ମାତ୍ର ମୋ ନାସ୍ତିକପଣ ପାଇଁ ମୋ ପରିବାର, ମୋ ସମାଜ, ମୋ ପରିପାର୍ଶ୍ଵ ମତେ ଏକଘରକିଆ କରିଦେଇ ନାହାନ୍ତି। ବରଂ, ଉଦାର ଭାବେ ମତେ ସେମାନଙ୍କ ଭିତରୁ ଜଣେ ବୋଲି ଗ୍ରହଣ କରିଛନ୍ତି ଓ ମୋ ମତ ରଖିବାର ସୁଯୋଗ ମଧ୍ୟ ଦେଇଛନ୍ତି।

ଚତୁର୍ଥଟି ହେଲା କୌଣସି ଏକ ନିର୍ଦ୍ଦିଷ୍ଟ ଗଣ୍ଡି ବା ମତବାଦର ପ୍ରାବଲ୍ୟ ଭିତରେ ମଣିଷକୁ ହିନ୍ଦୁ ଧର୍ମ କେବେ ବି ବାନ୍ଧି ଦେଇ ନାହିଁ। ଗୀତାକୁ ବେଦକୁ ମାନିଲେ କିଛି ଅସୁବିଧା ନାହିଁ, ଲୋକାୟତକୁ ମାନିଲେ ବି କିଛି ଅସୁବିଧା ନାହିଁ, ବା କୌଣସି ଦର୍ଶନ, ମତବାଦକୁ ନମାନିଲେ ବି କିଛି ଅସୁବିଧା ନାହିଁ । ଏହାର କୌଣସି ସର୍ବମାନ୍ୟ ଧର୍ମଗ୍ରନ୍ଥ, ରୀତିନୀତି କିମ୍ବା ଆଚାର ସଂହିତା ହିଁ ନାହିଁ। ଏହା ଧର୍ମର କଥା କହିଛି, ତା ସହ ସମାନ ଭାବେ ଗୁରୁତ୍ୱ ଦେଇଛି, କାମ, ଅର୍ଥ ଓ ମୋକ୍ଷ ଉପରେ। ମୋଟା ମୋଟି କହିଲେ ହିନ୍ଦୁ ଧର୍ମ ଅନେକ ଜିନିଷ ଛାଡି ଦେଇଛି ପାଳିଲା ବାଲାର ବିଚାର ଓ ବୁଦ୍ଧି ଉପରେ। ଯିଏ ମୁକ୍ତ କରିବା ଶିଖାଏ, ଯିଏ ମୁକ୍ତ କରିବା ପାଇଁ ପ୍ରବର୍ତାଇପାରେ, ସେହି ଧର୍ମ ଯଦି ମୋର, ତାହାଲେ ଗର୍ବିତ ହେବିନି କେମିତି?

ବନ୍ଧୁ ଜଣକ ଅପଲକ ନୟନରେ ଶୁଣି ଚାଲିଥାନ୍ତି ନାସ୍ତିକର ସ୍ୱୀକାରୋକ୍ତି। କଣ ଭାବିଥିଲେ, କଣ ଶୁଣିଲେ? ଏବେ ସିଏ ପଚାରିଲେ, ତାହାଲେ ହିନ୍ଦୁ ଧର୍ମରେ କଣ କିଛି କଠୋରତା, କିଛି ସଂକୀର୍ଣ୍ଣ ଭାବ ନାହିଁ? ମୃଦୁହାସ୍ୟ ଦେଲେ ନାସ୍ତିକ। କହିଲେ ନାହିଁ କାହିଁକି? ଅଛି, ହେଲେ ଧର୍ମରେ ନୁହେଁ, ଧର୍ମ ଭିତରେ ଥିବା କିଛି ଲୋକଙ୍କ ପାଖରେ। ଏଥର କଡା ଓ ଶେଷ ପ୍ରଶ୍ନଟି କଲେ ବନ୍ଧୁ। ପଚାରିଲେ, ତାହାଲେ ହିନ୍ଦୁ ମୌଳବାଦ?

ଏଥର ଟିକେ ଜୋରରେ ହସିଲେ ନାସ୍ତିକ। କହିଲେ, ଏହି ଅତିରଂଜିତ ଶବ୍ଦଟିର ସମ୍ପର୍କ ନିର୍ବାଚନ ସହ, ଜନଜୀବନ ସହ ଏହାର କୌଣସି ସମ୍ପର୍କ ନାହିଁ। କାରଣ ଯିଏ ମୌଳବାଦୀ ସିଏ ହିନ୍ଦୁ ହୋଇ ଜନ୍ମ ହୋଇଥିଲେ ବି ମନ ପ୍ରାଣରେ ହିନ୍ଦୁ ହୋଇ ପାରିବ ନାହିଁ, ଆଉ ଯିଏ ମନ ପ୍ରାଣରେ ହିନ୍ଦୁ ସିଏ ଶତ ଚେଷ୍ଟା କଲେ ବି, ପରିସ୍ଥିତି ତାକୁ ଯେତେ ବାଧ୍ୟ କଲେ ବି ସିଏ କେବେ ମୌଳବାଦ, କଠୋରତାକୁ ଆପଣାଇ ପାରିବ ନାହିଁ।

…………..
ନାଉଗାଁହାଟ, ଜଗତସିଂହପୁର
[email protected]