Latest Odisha News

ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ

ଜ୍ୟୋତି ନନ୍ଦ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ବିଚକ୍ଷଣ କଥାକାର । କଥାବସ୍ତୁ ଓ ଗଳ୍ପଗଢ଼ଣରେ ଅପାରଂପରିକ ପରୀକ୍ଷାନିରୀକ୍ଷା ପାଇଁ ସେ ପାଠକମାନଙ୍କ ନିକଟରେ ଚର୍ଚ୍ଚିତ । ଗଳ୍ପ ସଂକଳନ- ପିଙ୍ଗଳ ପଞ୍ଜୁରି, ଅନ୍ଧ କାରିଗର, କାଉଁରି ହାଡ଼; ଉପନ୍ୟାସ- ପକ୍ଷୀଜନ୍ମ ଓ ପି୍ରୟ ଶତ୍ରୁ, ମାଧୁରୀ ଦୀକ୍ଷିତ ପାଇଁ ସେ ପାଠକମହଲରେ ସୁପରିଚିତ । ଅଖିଳମୋହନ କଥା ସମ୍ମାନ, ଧରିତ୍ରୀ ସମ୍ମାନ, ପଶ୍ଚିମା ସାହିତ୍ୟ ପୁରସ୍କାର, ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ସାରସ୍ୱତ ସମ୍ମାନ, ଅବନୀ ବରାଳ କଥା ସମ୍ମାନ ଆଦିରେ ସେ ସମ୍ମାନିତ । ଇତିହାସ ବିଭାଗର ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ ପରେ ସଂପ୍ରତି ସେ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି । ତାଙ୍କ ସହ ସରୋଜ ବଳଙ୍କ ଏକ ଅନ୍ତରଙ୍ଗ ଆଳାପ:

ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ 
ଜ୍ୟୋତି ନନ୍ଦ

ଗାଳ୍ପିକ ଜ୍ୟୋତି ନନ୍ଦଙ୍କ ଗଳ୍ପ ଆଉ ଦେଖିବାକୁ ମିଳୁନି ପତ୍ରପତ୍ରିକାରେ! କାରଣ କଣ?

ଏହାର ସିଧା ସଳଖ ସରଳ ଉତ୍ତରଟି ହେବ ଯେ ଲେଖା ନହେବା ପୂର୍ବରୁ ଭଲ ଲେଖା ନଲେଖିପାରିବାର ଏକ ଅହେତୁକ ଆଶଙ୍କା। ଯେତେ ନିଜକୁ ପ୍ରବୋଧନା ଦେଲେ ଯେ ସବୁଲେଖା କେବେ ଗୋଟିକଠୁ ଆଉ ଗୋଟିଏ ଅଧିକ ଭଲ ହେବନାହିଁ; ତଥାପି ଭୟ । ସେହି ଭୟକୁ କାଟି ଉଠିଲେ ହିଁ ଆସିବି । ହଁ ଏହାର ଜଟିଳ ଉତ୍ତରଟି ହେଉଛି, ଉପସ୍ଥିତ ଚରିତ୍ର ମଝିରେ ମଝିରେ ହିମଶୟନ ବା ହାଇବରନେସନ୍ରେ ବେଶ୍ ଅଭ୍ୟସ୍ତ । ସର୍ବଶେଷ ହିମଶୟନ ପୂର୍ବର ଏହି ଶେଷ ହିମଶୟନରେ ଏହି ଅହିଂସକ ସାପଟି ତାହାର ଖୋଳପାର ନବୀକରଣରେ ଅଛି । ଆଗରୁ ଗଳ୍ପକର୍ମକୁ ନିହାତି ବ୍ୟକ୍ତିଗତ କର୍ମ ଭାବିଆସୁଥିବା ଏହି ଚରିତ୍ରଟି ଗଳ୍ପକର୍ମକୁ ଏବେ ଏକ ସାମାଜିକ କର୍ମ ହିସାବରେ ବିଚାର କରୁଥିବାରୁ, ଗଳ୍ପରେ ପରୀକ୍ଷାଧର୍ମିତା ସହ ଗଳ୍ପର ପରିବେଶ ବୈଚିତ୍ର୍ୟ, ସମୟଭିତ୍ତିକ ଅବବୋଧ ଓ ପ୍ରେକ୍ଷାପଟକୁ ସଂରଚନା କରିବାପାଇଁ ସ୍ୱନିର୍ମିତ ଜଟିଳତାର କାରଣରୁ ନିଜର ଜାଲ ଭିତରେ ନିଜେ । ସେଥିରୁ ମୁକୁଳିବା ପାଇଁ ପୃଥିବୀ ସାରା ଏତେ ଚମକ୍ରାର ମୃଗୁଣୀସ୍ତୁତିମାନ ପ୍ରକାଶିତ ହେଉଛି ଯାହା ଏହି ଦୁସ୍ଥ ଲେଖକକୁ ଉଦ୍ଧରିବେ ।

ସମକାଳୀନ ଓଡ଼ିଆ ଗଳ୍ପକୁ ଆପଣ କିଭଳି ଦୃଷ୍ଟିରେ ଦେଖନ୍ତି?

ସମକାଳୀନ ଓଡିଆ ଗଳ୍ପ ସଂପର୍କରେ କେବଳ ଗୋଟିଏ କଥା କୁହାଯାଇ ପାରିବ । ସ୍ଥାଣୁତା । ସ୍ଥାଣୁତାର ଅର୍ଥ ହେଉଛି ଯେଉଁମାନେ ଏଠାରେ ଦୀର୍ଘଦିନ ଧରି ଗଳ୍ପ ଲେଖୁଛନ୍ତି କେବଳ ସେହିମାନେ ହିଁ ପ୍ରକୃତ ଅର୍ଥରେ ଲେଖୁଛନ୍ତି । ଅବଶ୍ୟ ଏବେ ଅଳ୍ପ କେତେଜଣ ତରୁଣ(ଲିଙ୍ଗବାଚକ ନୁହଁ)ଙ୍କ ଲେଖାରେ ସେହି ସ୍ଥାଣୁତାକୁ ଅତିକ୍ରମ କରିବାର ଯେଉଁ ପ୍ରଚେଷ୍ଟା ସେଥିରେ ସେମିତି ଆହ୍ଳାଦିତ ହେବାର ନାହିଁ । ଆମକୁ ଅପେକ୍ଷା କରିବାକୁ ପଡିବ ସେହି ଗଳ୍ପକଳାର ଲଙ୍ଗ୍ ଡିଷ୍ଟାନ୍ସ ରନର୍, ସର୍ଟ ଡିଷ୍ଟାନ୍ସ ରନର୍ ତ ଆସିବେ ଯିବେ, ତାହାଙ୍କୁ ନେଇ ଏବେ ହିଁ ଆଶା ବାନ୍ଧିବାକୁ ପଡୁଛି ।

ଆଉ ଯେଉଁମାନେ ଦୀର୍ଘଦିନ ହେଲା ଗପ ଲେଖୁଛନ୍ତି ସେମାନଙ୍କ ଭିତରେ କେମିତି କେଜାଣି ଗୋଟିଏ ପ୍ରକାରର କ୍ଳାନ୍ତି ଦେଖାଯାଉଛି । କାହାଣୀର ସତେଜତାରେ କେଉଁଠି ନା କେଉଁଠି ଅଭାବ ରହୁଛି । ଦୟାକରି ଏହି ମନ୍ତବ୍ୟରେ କେହି ଆହତ ହୁଅନ୍ତୁ ନାହିଁ । ଏହା ଏକ ସାମଗ୍ରୀକ ଆକଳନ । ଏହାର କଦାପି ଅର୍ଥ ନୁହଁ ଯେ ସମସ୍ତେ ନିଷ୍ପ୍ରଭ ।

ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମ ମାର୍ଫତରେ ପ୍ରତ୍ୟେକ ଗଳ୍ପକାର ନିଜନିଜର ପାଠକୀୟତାକୁ ତର୍ଜମା କରି ନିଜର ଗଳ୍ପର ବିଶେଷତା ନିଜେ ଉପଲବ୍ଧି କରିପାରିବେ । କୌଣସି ଗଳ୍ପ ଲେଖକ ହୁଏତ ଈର୍ଷାପରବଶ ହୋଇ ଅନ୍ୟ କୌଣସି ସାଥି ଗଳ୍ପ ଲେଖକର ନାଆଁ ନନେଇପାରେ (ଏମିତି ହେବା ମୋର ଦୃଷ୍ଟିରେ ନାହିଁ) ମାତ୍ର ଆମେ ଯେଉଁ ଅନୌପଚାରିକ ସାଂଧ୍ୟ ସଂଗୋଷ୍ଠୀ କରୁ, ପ୍ରତିଦିନ ସେଠାରେ ଅନେକ ପାଠକ ବି ଥାଆନ୍ତି; ସେମାନଙ୍କୁ ଏଥର ପୂଜାରେ କାହାର ଭଲ ଗପ ପଢିଛ ବୋଲି ପ୍ରଶ୍ନର ଉତ୍ତରଟି ଯେମିତି ଆସେ, ଠିକ୍ ସେମିତି ଆମର ଗଳ୍ପ, ଉଭୟେ କୋଷ୍ଠକାଠିନ୍ୟ ଭୋଗୁଛନ୍ତି ।

ଆପଣଙ୍କ ନିଜ ଗଳ୍ପର ଇତିହାସ ବିଷୟରେ କିଛି କହିବେ?

ଏହି ପ୍ରଶ୍ନଟି ଖୁବ୍ ସୁନ୍ଦର, ନିଜର ଡ୍ରମ୍ ନିଜେ ପିଟିବା ଭଳି । ଭଲ ଡ୍ରମ୍ଟିଏ ହେଲେ ଥାଆନ୍ତା କି! ଉପସ୍ଥିତ ଗଳ୍ପଲେଖକ ଜଣକ ଏକ ନିହାତି ବିରଳ ପ୍ରଜାତିର ଲେଖକ । ତାହାର କାରଣ ହେଉଛି ଆମର ଜେଜେବାପା ଫକୀରମୋହନଙ୍କ ଭଳି ଉକ୍ତ ଲେଖକ ଜଣକ ‘ଉକ୍ରଳ ସାହିତ୍ୟ’ ପତ୍ରିକାର ମଧ୍ୟ ଜଣେ ଲେଖକ ହିସାବରେ ଆତ୍ମପ୍ରକାଶ କରିଥିଲା । ଜେଜେବାପାଙ୍କ ସଂପାଦକ ଥିଲେ ପଣ୍ଡିତ ବିଶ୍ୱନାଥ କର ଆଉ ୧୯୭୬ରେ ଏହି ପତ୍ରିକାର ସଂପାଦକ ଥିଲେ ଶ୍ରୀଯୁକ୍ତ ଜ୍ଞାନୀନ୍ଦ୍ର ବର୍ମା, ସେଇଟି ଯାହା ଫରକ । ‘ଉକ୍ରଳ ସାହିତ୍ୟ’ ବର୍ଷକପରେ ବନ୍ଦ ହୋଇଯିବା କ’ଣ ଏହି ଲେଖକର ହିମଶୟନର କାରଣ କହିଲେ ଭୁଲ୍ ହେବ?

ତାହାପରେ ୧୯୮୯ରେ ଜାଗରଣ ଆଉ ସେହି ଜାଗରଣଟି ଦୀର୍ଘ ୨୦୦୨ ଯାଏଁ, ସେଇଠୁ ପୁଣି ହିମଶୟନ ମୁଦ୍ରାରେ ୨୦୧୬ ଯାଏଁ । ୨୦୧୬ଠୁ ଅଧା ନିଦ ଆଉ ଅଧା ଜାଗରଣରେ ଅଛି ଏ ଚରିତ୍ର । ଏହି ଜାଗରଣ କାଳରେ ଏହି ଗଳ୍ପଲେଖକ ଅନେକ ପତ୍ରିକାର ସହୃଦୟତା ଯୋଗୁ ଅଳ୍ପ କେତୋଟି ଗପ ଆଉ ଅଳ୍ପ କେତୋଟି ଉପନ୍ୟାସ ଲେଖିଅଛି ।

ସଂପ୍ରତି ଆପଣ ଫେସବୁକ୍‍ରେ ଇତିହାସଜନିତ ଗଦ୍ୟରଚନା ସହ କବିତା ବି ଲେଖୁଛନ୍ତି! କବିତା ପ୍ରତି ଏ ମମତ୍ୱ ହଠାତ୍‍ କିପରି?

ଫେସବୁକରେ ଲେଖା ବା ଆଉ ଯାହାଯାହା ସେମିତି ଲେଖା, ତାହା ଜଣେ ଅବସରପ୍ରାପ୍ତ ଅଧ୍ୟାପକର ବକ୍‍ବକ୍‍କୁ ସଂତୁଷ୍ଟ କରିରଖିବାର କାର୍ଯ୍ୟକ୍ରମ । ଆଉ କବିତା ସଂପର୍କ କହିଲେ, ଉପସ୍ଥିତ ଲେଖକ ନିଜ କଥାକୁ ଆଉଜଣେ ବିଶ୍ୱବିଖ୍ୟାତ ସାରସ୍ୱତ ସାଧକଙ୍କ ଉକ୍ତିକୁ ଉଦ୍ଧାର କରି ନିଜ କଥା କହିବ । ସେ କାହଲିଲ୍ ଜୀବ୍ରାନ । ସେ କହିଥିଲେ, ତମେ ତମ ହୃଦୟର କଥାକୁ ଦୁଇପ୍ରକାରରେ କହିଥାଅ, ଜଣେ ଗାୟକ ଦ୍ୱାରା ଅବା ଜଣେ ଦାର୍ଶନିକ ଦ୍ୱାରା । ହୁଏତ ଉପସ୍ଥିତ ଲେଖକଜଣକ ଗାୟକ ସହ ବେଶ୍ ନିବିଡ । ନିଜ କାହାଣୀକୁ ସୁରରେ ଗାଇବା ଯୋଗୁ କବିତା ସଂପୃକ୍ତି ଲାଗିପାରେ ମାତ୍ର ଏଥିରେ କୁଶଳୀ କବିମାନଙ୍କର କବିତାର ବହୁମାତ୍ରିକତାର ଅଭାବ ଅଛି । ଏହି କବିତାଗୁଡିକ ସିଧାସଳଖ, ମିନିମାଲିଷ୍ଟ ଓ କୌଣସି କାହାଣୀର ରୂପକ-କବିତା ।

ନୂଆପିଢ଼ିର ଲେଖକଲେଖିକାଙ୍କ ସୃଷ୍ଟି ସହିତ ଆପଣ କେତେ ପରିଚିତ? ଆପଣଙ୍କର ବିଶ୍ୱାସ ଆସୁଛି କି ସେମାନେ ଆମ ଭାଷାସାହିତ୍ୟକୁ ନିଜ କାନ୍ଧରେ ବୋହିନେଇ ପାରିବେ କିଛି ଦୂର?

ନୂଆପିଢିର ଲେଖକ ଲେଖିକାଙ୍କ ଲେଖା ସହିତ ପରିଚିତି ରହିଛି । ସାହିତ୍ୟ ଏକ ଚିରନ୍ତନ ପ୍ରବହମାନ ଧାରା । ତେଣୁ ସେହି କ୍ରମରେ ପୁରୁଣା-ମୃତମାନେ ନୂତନ-ମୃତଙ୍କ ପାଇଁ କବରଖାନାରେ ସ୍ଥାନ ଛାଡିଦେବାକୁ ଏକରକମ ବାଧ୍ୟ । ଏହା ମିଲାନ୍ କୁନେ୍ଦରାଙ୍କ ଏକ ଗପକୁ ଉଲ୍ଲେଖ କରି କୁହାଯାଇଛି । ଆମର ସାହିତ୍ୟର ଉତ୍ତରାଧୀକାର ତ ତରୁଣ ପ୍ରଜନ୍ମ ପାଖକୁ ଆସିବ ନିଶ୍ଚୟ । ଏହି ପ୍ରସଂଗରେ କୁହାଯାଇପାରିବ ସାଂପ୍ରତିକ ସ୍ଥିତିକୁ ନେଇ ଉପସ୍ଥିତ ଲେଖକ କବିତା ଆଉ ଗପର ସ୍ଥିତିକୁ ଭିନ୍ନଭିନ୍ନ ଭାବରେ ଦେଖେ । କବିତାରେ, ସତୁରି ପରବର୍ତ୍ତୀ ଜନ୍ମିତ କବିମାନେ ନିଜର ସ୍ପଷ୍ଟ ବକ୍ତବ୍ୟ, ବକ୍ତବ୍ୟର ନିବିଡତା ଓ ବିବିଧତା, ସଂରଚନାତ୍ମକ ବୈଚିତ୍ର୍ୟ, ସମସାମୟିକ କାଳର ତୀବ୍ର ଅବବୋଧ, ନିର୍ଭୀକ କାବ୍ୟପୁରୁଷ, ସ୍ଥିତାବସ୍ଥାର ପ୍ରତିବାଦ, ବେପରୁଆପଣ ଏବଂ ବହୁମାତ୍ରିକତା ଯୋଗୁ ଯଥେଷ୍ଟ ପ୍ରଭାବୀ । ଅନ୍ୟ ପକ୍ଷରେ ବରିଷ୍ଠ କବିମାନେ ସଂପ୍ରତି ଅବକ୍ଷୟରେ, ଅଭ୍ୟାସବଶତଃ କେବଳ କବିକର୍ମ ସଂପାଦନ କରିଆସୁଛନ୍ତି ସେମାନେ । ନିଜର କଥାବସ୍ତୁର ଦୁର୍ବଳତା ତଥା ଅସଂଲଗ୍ନତାକୁ ଢାଙ୍କିବା ପାଇଁ ସେମାନେ ଭାବବାଦୀ, ରୂପବାଦୀ ହେବାର ଛଦ୍ମ ମଲାଟଟିଏ ଘୋଡେଇହୋଇ ନିଜକୁ ପରିପାଟୀ କରି ରଖିଥାନ୍ତି । ତେଣୁ ଆମର ଅନେକ ‘ଏକଦା ଉଜ୍ଜ୍ୱଳ’ କବି ଏବେ ଅତୀତକାଳ । କବିତାର ରିଲେ ରେସ୍ର ବାଟନ୍ଟି ସଂପ୍ରତି ତରୁଣମାନଙ୍କ ହାତରେ । ଏହା ସେମାନଙ୍କୁ ସ୍ୱୀକାର କରିବାକୁ ପଡିବ । ମାତ୍ର ଗପରେ ଆମର ପୁରୁଣାଯୁଗ ଗୁପ୍ତଯୁଗ ପରି ଚାଲିଛି ।

ଆପଣଙ୍କ ଦୃଷ୍ଟିରେ ସଫଳ ଗଳ୍ପ କାହାକୁ କୁହାଯିବ?

ଉତ୍ତରଟି ସଂକ୍ଷିପ୍ତ । ପ୍ରଥମରେ ଉପସ୍ଥିତ ଲେଖକର ବିଚାରରେ ଯେଉଁ ଗପରେ ଦ୍ୱନ୍ଦ୍ୱ ଅଛି ତାହା ସଫଳ ଗପ । ଏହାକୁ ଟିକିଏ ବିସ୍ତାର କରି କହିଲେ, ଦ୍ୱନ୍ଦ୍ୱ ମାନେ କଥାପୁରୁଷର ସମସ୍ୟାଟି କିପରି ଆଉ କେଉଁଠି ଅଛି; ଆଉ କଥାପୁରୁଷର ସେଇ ଦ୍ୱନ୍ଦ୍ୱଟି କେଉଁପରି ବାଧକ, ସେଇକଥାକୁ ବର୍ଣ୍ଣନା ନକରି ସ୍ଫଷ୍ଟ ଭାବରେ ପାଠକକୁ ଦେଖାଇପାରି, ପାଠକ ଭିତରେ ସେହି କଥାପୁରୁଷର ଏକ ବିନିର୍ମାଣକୁ ବାଧ୍ୟ କରିପାରୁଥିବା ଗପ ହିଁ ସଫଳ ଗପ । ମୋଟ ଉପରେ ଯେଉଁ ଗପରେ ଦ୍ୱନ୍ଦ୍ୱ ଅଛି ତାହା ସଫଳ ଗପ ସହିତ ଯେଉଁ ଗପ ପାଠକକୁ ଗଳ୍ପ- ସମାଲୋଚକ କରିଦେଇଥାଏ ତାହା ସଫଳ ଗପ ବୋଲି ଉପସ୍ଥିତ ଲେଖକ ବିଚାର କରେ ।

ଗୋଟେ ସମୟରେ ଓଡ଼ିଶାର ବିଖ୍ୟାତ କଥାକାରମାନେ ଦଳିତ, ନିଷ୍ପେଷିତ ବର୍ଗର ଲୋକଙ୍କୁ ନେଇ ଖୁବ୍ ମୂଲ୍ୟବାନ ଗଳ୍ପ, ଉପନ୍ୟାସ ଲେଖିଛନ୍ତି । କିନ୍ତୁ ତାହା ଆଜିକାଲି ଗୌଣ । ଏବଂ ସଂପ୍ରତି ଦଳିତ ବର୍ଗର ଲୋକେ ନିଜ ସଂପର୍କରେ ଲେଖୁଥିବା ଯେକୌଣସି କଥା (ସେଥିରେ ସୃଜନକଳା ଥାଉ କି ନଥାଉ) ଏବେ ଗୁରୁତ୍ୱପୂର୍ଣ୍ଣ ପାଲଟିବାରେ ଲାଗିଛି । ପ୍ରଶ୍ନ ହେଲା, ସାହିତ୍ୟରେ ଏ ବର୍ଗିକରଣର କେତେ ଯଥାର୍ଥ? ଲେଖିଜାଣିନଥିବା ଲୋକ ଯଦି ରାସ୍ତାରେ ଠିଆହେଇ ଚିକ୍ରାର କରେ, ଆମେ ତାକୁ ସାହିତ୍ୟ ବୋଲି ମାନିନେବା କି?

ସାହିତ୍ୟରେ ବର୍ଗିକରଣ ରହିବ ନିଶ୍ଚିତ । ତାହାର କାରଣ ହେଉଛି ଗୋଟିଏ ବର୍ଗବିଶେଷ ପ୍ରତି ସହାନୁଭୂତି ଆଉ ସ୍ୱାନୁଭୁତିର ପ୍ରସଂଗକୁ ନେଇ ଦୁଇଟି ବର୍ଗ ହଠାତ୍ ତିଆରି ହୋଇଯିବେ । ଗୋଟିଏ ବର୍ଗ କହିବ- ମୁଁ ସେହି ବର୍ଗବିଶେଷର ଅନ୍ତର୍ଭୁକ୍ତ; ତେଣୁ ମୁଁ ସେ ବିଷୟରେ କହିବା ପାଇଁ ଏକମାତ୍ର ଯୋଗ୍ୟତମ ପ୍ରତିନିଧି, ଅପରପକ୍ଷ କେବଳ ସମବେଦନା ଜଣାଇପାରିବେ ଆଉ ସମବେଦନାରେ ଅହଂଟିଏ ଲୁଚିଥାଏ; ତେଣୁ ସେମାନଙ୍କର ଲେଖା ସ୍ୱୀକାର୍ଯ୍ୟ ନୁହଁ । ଅନ୍ୟ ପକ୍ଷରେ ସହାନୁଭୂତିର ପକ୍ଷଧରମାନେ କହିବେ ବିସ୍ତୃତ ମାନବବାଦର କଥା, ଆଉ ତାହାର ମାର୍ଫତରେ ନିଜର ପକ୍ଷଟିକୁ ମଝବୁତ୍ କରୁଥିବେ । ଆମର ଏଠାରେ ଯେଉଁ ଦଳିତ ଲେଖକମାନଙ୍କୁ ଦେଖିବା, ସେମାନେ ସମସ୍ତେ ଏକପ୍ରକାରେ ନିଜର ସୁଖ ସ୍ୱାଛନ୍ଦ୍ୟରେ ବିସ୍ଥାପନରେ ନିଜର ବର୍ଗଚ୍ୟୁତ ବା ଡିକ୍ଲାସ୍ଡ୍ । ତେଣୁ ସେମାନଙ୍କର ପାଖରେ ଏକ କଷ୍ଟକର ଅତୀତକୁ ଜାବୁଡି ଧରିବା ଆଉ ସେହି କ୍ଷତକୁ ବାରଂବାର ଉଜାଗର କରିବା ବ୍ୟତୀତ ନିଜର ବର୍ଗସଂପୃକ୍ତିକୁ ଜାହିର କରିବାର ସଫଳ ବିକଳ୍ପ ନାହିଁ ।

ଭାରତୀୟମାନଙ୍କ ଅତୀତପ୍ରୀତି ଭଳି ଦଳିତବର୍ଗର ଅତୀତପ୍ରୀତି ଆବେଗିକ ପର୍ଯ୍ୟାୟର । ଉଭୟର ଆକ୍ରୋଶ ମଧ୍ୟ ସମାନ । ଉପସ୍ଥିତ ଲେଖକ ଚର୍ଯ୍ୟାଗୁରୁଙ୍କ ଭଳି ଦଳିତ ଲେଖକର ଆତ୍ମିକ ଉତ୍ତରଣରେ ବିଶ୍ୱାସ ରଖେ । ଅତୀତ ମୁଗ୍ଧତାକୁ ନେଇ ଅନେକ ସାହିତ୍ୟ ଲେଖା ହୋଇଛି ତେଣୁ ଦଳିତ ବର୍ଗର ଲେଖକଟିଏ ସାହିତ୍ୟ ଲେଖିଲେ ତାହା ସର୍ବଜନପାଠ୍ୟ ସାହିତ୍ୟ ହେବ । କହିବାର ଅର୍ଥ ହେଉଛି, ଦଳିତଲେଖକ ଜଣେ ଯେଉଁ ଲେଖା ଲେଖିଲା ଯଦି ତାହା ନିଜର ବର୍ଗବିଶେଷର ଅବବୋଧକୁ ବିସ୍ତୃତ କରିବା ପାଇଁ ଲିଖିତ, ତେବେ ତାହାର ବୌଦ୍ଧିକ ମାନଦଣ୍ଡକୁ କେହି ଅଣଦଳିତ ଠିକ କରିବା ଉଚିତ ନୁହଁ । ମାତ୍ର ଯଦି ଏହା ସବୁ ବର୍ଗପାଇଁ ଉନ୍ମୁକ୍ତ, ତେବେ ଏହାର ସାହିତ୍ୟିକ ମାନଦଣ୍ଡଟି ବି ଉନ୍ମୁକ୍ତ ରହିବ । ସଂଘର୍ଷମୂଳକ ଲେଖା ପ୍ରତିସଂଘର୍ଷ ପ୍ରସ୍ତୁତ କରିବା ସ୍ୱାଭାବିକ। ଉଦାର ଓ ସୌହାର୍ଦ୍ୟରେ ଲେଖନ କର୍ମ ଉଭୟବର୍ଗର ମର୍ଯ୍ୟାଦାବନ୍ତ ହୋଇପାରିବ ନିଶ୍ଚୟ ।

କଳ୍ପନାପ୍ରବଣତା ଓ ବାସ୍ତବତା – ସୃଜନକଳାର ଦୁଇଟି ମୁଖ୍ୟ ବିଭବ ବୋଲି ବିଭିନ୍ନ ସମୟରେ ଗ୍ରହଣ କରାଯାଇ ଆସିଛି । ଏ ଦୁଇଟି ବିଭବ ସମୟାନୁସାରେ ନିଜର ଭାରସାମ୍ୟ ରଖିଆସିଛନ୍ତି । ତେବେ ଆଜିକାଲିର ସାହିତ୍ୟରେ ବାସ୍ତବତାର ପଲା ଟିକେ ଅଧିକ ଭାରି ହେଉଛି କି? ଓ କେବଳ ବାସ୍ତବତାକୁ ଆମେ ସାହିତ୍ୟ କହିବା କି? ଖବର ବା ଇତିହାସ କାହିଁକି ନୁହେଁ?

କେବଳ ନିଛକ ବାସ୍ତବତା ସାହିତ୍ୟ ନୁହଁ । ଏହା କେବଳ ଅନେକ ଗୁଡିଏ ତଥ୍ୟର ସୁସମାହାର । କୌଣସି ଟେଲିଫୋନ୍ ଡିରେକ୍ଟେରିକୁ ସାହିତ୍ୟ ଯେମିତି କୁହାଯିବନାହିଁ ଠିକ୍ ସେମିତି କୌଣସି ତଥ୍ୟ । ବାସ୍ତବତାର ପୁନନିର୍ମାଣ ହିଁ ସାହିତ୍ୟ । ଯାହାକୁ ଇଂରେଜୀରେ ମାଇମେସିସ୍ ବୋଲି କହିଥାନ୍ତି । ସାହିତ୍ୟରେ ବାସ୍ତବତାର ଏକ ଗତିର ନିର୍ଦ୍ଦେଶିକାଟିଏ ଥିବାଯୋଗୁ ତାହା ସାହିତ୍ୟ ହୁଏ ।

ଆପଣ ବିଶ୍ୱସାହିତ୍ୟ ସହିତ ବିଶେଷ ଭାବେ ପରିଚିତ । ଓଡ଼ିଆ ସାହିତ୍ୟରେ କଣ ଏମିତି କିଛି ରଚନା ନାହିଁ, ଯାହା ଅନୂଦିତ ହେଲେ ବିଶ୍ୱସାହିତ୍ୟ ସହ ସମକକ୍ଷ ହେଇପାରିବ? ଟିକେ ବିସ୍ତାର କରି କହିବେ କି?

ନିଶ୍ଚୟ ଆମର ଅନେକ ଉଚ୍ଚମାନର ରଚନା ରହିଛି, ଯାହା ଅନୂଦିତ ହେଲେ ଆମସାହିତ୍ୟ ବିଶ୍ୱମାନର ହୋଇପାରିବ । ପ୍ରଥମତଃ ଏହି ଅନୁବାଦଗୁଡିକ ଆମ ଆଖପାଖ ଅପେକ୍ଷା ବାହାରେ ପହଂଚିବା ଦରକାର । ବିଶ୍ୱମାନର ଲେଖା ହେବାପାଇଁ ଯେଉଁ ଆବଶ୍ୟକତା ରହିଛି ତାହାକୁ ଆଗ ଆମକୁ ବୁଝିବାକୁ ହେବ । ଅନୁବାଦରେ ସମସ୍ତ ଲେଖା ଦେଖିବାକୁଗଲେ ଭାଷାଦୃଷ୍ଟିରୁ ଏକ ମାନକ ଲେଖାରେ ପରିଣତ ହୋଇଯାଆନ୍ତି । କେବଳ ଉଦାହାରଣ ପାଇଁ କହିବି, ସେଇଠି ଅନୁବାଦରେ ରାଜେନ୍ଦ୍ରକିଶୋର ଆଉ ସରୋଜ ବଳର ଭାଷା ସମାନ । ତେଣୁ ଅନୁବାଦରେ ଲେଖକର ଭାଷାଗତ ଆଧିପତ୍ୟଟି ହଠାତ ଅପହୃତ ହୋଇଯାଏ ଓ କେବଳ ଲେଖକର କଥାବସ୍ତୁର ବୈଚିତ୍ର୍ୟ ଆମକୁ ବିଶ୍ୱସ୍ତରୀୟ କରିପାରିବା ପାଇଁ ରହିଥାଏ । ଆମକୁ ସେଇଥିପାଇଁ କଥାବସ୍ତୁର ବୈଚିତ୍ର୍ୟ ଥିବା ଲେଖାହିଁ ଖୋଜିବାକୁ ପଡିବ ।

ଇଂରେଜୀରେ ବହୁତ ନିମ୍ନମାନର ଲେଖା ରହିଛି ସତ, ମାତ୍ର ତାହା ସହିତ ବହୁତ ଉଚ୍ଚମାନର ପରୀକ୍ଷାଧର୍ମୀ ଲେଖା ବି ରହିଛି । ଆମକୁ ଉଚ୍ଚମାନର ଲେଖା ସହିତ ହିଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ଆଜିଯାଏଁ କେବଳ ଶ୍ରୀଯୁକ୍ତ ଜୟନ୍ତ ମହାପାତ୍ରଙ୍କୁ ଛାଡିଦେଲେ ଅନ୍ୟ କୌଣସି ଓଡିଆ ଲେଖକ ବିଶ୍ୱର ଶ୍ରେଷ୍ଠ ପତ୍ରିକାରେ ପ୍ରକାଶିତ ହେବାର ସୁଯୋଗ ପାଇ ନାହାଁନ୍ତି । ତାହାର କାରଣ ହେଉଛି ଉଚ୍ଚମାନର ପତ୍ରିକାଠାରୁ ଲେଖା ଫେରସ୍ତ ଆସିବାବେଳେ ତା ସହିତ ଆସିଥିବା ରିଜେକ୍ସନ୍ ସ୍ଲିପ୍ । ଏହି ରିଜେକ୍ସନ୍ ସ୍ଲିପ୍ ରେ ଲେଖାଟିର ତ୍ରୁଟିର ଯେତିକି ତର୍ଜମା ହୋଇଥାଏ ତାହାକୁ ପଢିଲେ ଜଣେ ନିଜ ଲେଖାର ଆପେ ସଂଶୋଧନ କରିପାରିବ । ସେଦୃଷ୍ଟିରୁ ଆମର ଏଠାରେ ଥିବା ସମସ୍ତ ବିଶ୍ୱମାନର ଲେଖାର ଲେଖକ ବୋଲି ଭାବୁଥିବା ଲେଖକମାନେ ଦୟାକରି ନିଜ ଲେଖାର ଅନୁବାଦ କରି ନିଜ ଲେଖାକୁ କିଛି ଉଚ୍ଚମାନର ପତ୍ରିକାକୁ ପଠାଇ ନିଜକୁ ଥରେ ଅନ୍ତତଃ ପରୀକ୍ଷିତ କରିନିଅନ୍ତୁ । ଯଦି କେହି ସେମିତି ସୁଯୋଗ ପାଇଲେ, ଆମେ ଆହ୍ଲାଦିତ ହେବୁ ଆଉ ନପାଇଲେ ସେହି ଲେଖକ ନିଜେ ନିଜକୁ ସଂଶୋଧନ କରି ପାରିବ ।

ଆମର ଏଠାରେ ନିଜକୁ ସଂଶୋଧନର କରିବାର ସୁଯୋଗ ନାହିଁ କହିଲେ ଚଳେ । ଆଉ ଆଲୋଚନାରେ ଆମେ ଲେଖକମାନେ କେତେ ଉଦାର ତାହା ସମସ୍ତେ ଜାଣିଛନ୍ତି । ଆମର ପ୍ରତିଟି ଶବ୍ଦ ବେଦମନ୍ତ୍ର ସଦୃଶ ଆମେ ମନେକରୁ । ବିଶ୍ୱସ୍ତରର ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ ।

ଓଡ଼ିଆ ସାହିତ୍ୟକୁ ନେଇ ଆପଣ କି ସ୍ୱପ୍ନ ଦେଖନ୍ତି ଏବଂ ତାକୁ ସାକାର କରିବା ପାଇଁ କିଭଳି ପ୍ରୟାସ କରୁଛନ୍ତି?

ଉପସ୍ଥିତ ଲେଖକଟି ଅତି ସାଧାରଣ । ପାଖରେ କୌଣସି ଆଧିପତ୍ୟ ବିସ୍ତାର କରିବା ଭଳି ପରିଚିତି ନାହିଁ । ତେଣୁ ସେ ଦୃଷ୍ଟିରୁ କୌଣସି ପ୍ରଭାବୀ ପଦକ୍ଷେପ ନେଇପାରିବାର ସାମର୍ଥ୍ୟ ବି ନାହିଁ । ତାହାର ପ୍ରିୟତମ ଅବବୋଧ ହେଉଛି ଓଡିଆ ପାଠକର ଦିଗନ୍ତକୁ ପ୍ରସାରିତ କରିବା, ଯାହା ଫଳରେ ସେ ଭଲ ଲେଖା ଖରାପ ଲେଖାର ଫରକଟି ବୁଝି ପାରିବ । ସେଇଥିପାଇଁ ନିଜର ସାମର୍ଥ୍ୟ ଅନୁସାରେ କିଛି ଜ୍ଞାନପାଠ ପ୍ରସ୍ତୁତ କରୁଛି ସେ, ବାହାର ଲେଖାର ଓଡ଼ିଆ ଅନୁବାଦ ମାଧ୍ୟମରେ । ଆଉ ନିଜେ ଯାହା ପଢୁଛି ତାହା ଅନୁବାଦ ମାଧ୍ୟମରେ ଓଡିଆ ପାଠକଙ୍କ ସହ ସହଭାଗ ମାଧ୍ୟମରେ ହିଁ ପଢୁଛି । ଫେସ୍ବୁକ୍ ଏହି ସୁଯୋଗଟି ଦେଇଛି ବୋଲି ତାହା ହେଉଛି । ଏହି ଲେଖକ ପ୍ରାୟ ପ୍ରତିଦିନ ଏକ ମୁକ୍ତାକାଶ ସାହିତ୍ୟ ସଂଗୋଷ୍ଠୀରେ ଥାଏ, ଯେଉଁଠି ଭଲ ଲେଖାର, ସାହିତ୍ୟ ସମସ୍ୟାର ଚର୍ଚ୍ଚା ହୁଏ । ତାହା ବି ସାହିତ୍ୟ ପ୍ରସାରର କାମରେ ଆସେ ।

Leave A Reply

Your email address will not be published.