Latest Odisha News

BREAKING NEWS

ହତ୍ୟା ନା ଆତ୍ମହତ୍ୟା? ଓଡିଶା ଲ୍ୟାବ ପଠାଗଲା ନିଖୋଜ ସିଆରପିଏଫ ଯବାନଙ୍କ କଙ୍କାଳ

ରାୟଗଡା: ଓଡିଶାର ରାୟଗଡା ଜିଲ୍ଲା ନୂଆସାହି ନିକଟରେ ଥିବା ପାହାଡ ଉପରେ ମିଳିଥିବା କଙ୍କାଳକୁ ସୋମବାର ଦିନ ପରୀକ୍ଷା ପାଇଁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ଏଫଏମଟି ଲ୍ୟାବକୁ ପଠାଯାଇଛି ।

କଙ୍କାଳଟି ପାହାଡ ଉପରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ନିଖୋଜ ସିଆରପିଏଫ କନେଷ୍ଟବଳ ଧରମ ଦେବଙ୍କ କଙ୍କାଳ ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରୁ ଧରମଙ୍କ ପୋଷାକ, ପରିଚୟ ପତ୍ର ଓ ଆଧାର କାର୍ଡ ଜବତ କରାଯାଇଛି । ପୋଲିସ କହିଛି, “ଏଫଏମଟି ଲ୍ୟାବରୁ ରିପୋର୍ଟ ଆସିବା ପରେ ସିଆରପିଏଫ କନେଷ୍ଟବଳଙ୍କ ହତ୍ୟା ନା ଆତ୍ମହତ୍ୟା ସେ ସଂପର୍କରେ ଜଣାପଡିବ ।”

ପ୍ରାଥମିକ ଯାଂଚରୁ ଜଣାପଡିଛି କି, ଉତ୍ତର ପ୍ରଦେଶର ସିଆରପିଏଫ କନେଷ୍ଟବଳ ରାୟଗଡା ଜିଲ୍ଲାର ଶେଷଖାଲ କ୍ୟାମ୍ପରେ ନିୟୋଜିତ ଥିଲେ । ତାଙ୍କୁ ଗତବର୍ଷ ଡିସେମ୍ବର ୨୯ ତାରିଖରେ ନୂଆସାହି ପାଖରେ ଚଇତି ପରବ ଉତ୍ସବକୁ ଡ୍ୟୁଟିରେ ପଠାଯାଇଥିଲା । ସେ ଏହି କାମ ପରେ ତାଙ୍କ ଘରକୁ ଫେରିନଥିଲେ ।

ସିଆରପିଏଫ କନେଷ୍ଟବଳ ଜାନୁଆରୀ ୨ ତାରିଖରେ ନିଖୋଜ ହୋଇଯାଇଥିଲେ ଓ ତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ପୋଲିସ ଥାନାରେ ମାମଲା ରୁଜୁ କରାଇଥିଲେ । ଏହା ମଧ୍ୟରେ ଆନ୍ଧ୍ର ପ୍ରଦେଶ ବିଜୟନଗରମର ଏକ କମ୍ପାନୀରେ କାମ କରୁଥିବା ସିଆରପିଏଫ କନେଷ୍ଟବଳଙ୍କ ପୁଅ ଆଜି ରାୟଗଡା ପହଂଚିିଥିଲେ । କଙ୍କାଳର ଚିହ୍ନଟ କରିବା ପରେ ତାଙ୍କ ପିତାଙ୍କ ଜିନିଷପତ୍ର ହସ୍ତାନ୍ତର କରିବେ ବୋଲି ପୋଲିସ କହିଛି ।

Leave A Reply

Your email address will not be published.