Latest Odisha News

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ଦାଙ୍କ ନିଧନ ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି

ଭୁବନେଶ୍ୱର: ଓଡଆ ସିନେ ଜଗତର ଅନ୍ୟତମ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କର ରବିବାର ସନ୍ଧ୍ୟାରେ ବାରିପଦାଠାରେ ନିଧନ ହୋଇଛି । ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟ ଧରି ସଙ୍ଗୀତ ସଂଯୋଜନା କରିଆସିଥିବା ସମସ୍ତଙ୍କ ପ୍ରିୟ ବାଚୁ ଦାଙ୍କ ପରଲୋକରେ ଶୋକସନ୍ତପ୍ତ ହୋଇଉଠିଛି ପୁରା ଓଲିଉଡ୍ ।

ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗଭୀର ଶୋକପ୍ରକାଶ କରି ତାଙ୍କର ତିନିଟି ପ୍ରମୁଖ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବାଚୁ ଦାଙ୍କ ସ୍ମୃତିଚାରଣ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ଅନେକ ରାଜନେତା, ସମାଜସେବୀ ତଥା ଓଡିଆ ସିନେମା ଟିଭି ଓ ମନୋରଂଜନ ଜଗତର ଅନେକ କଳାକାର ବାଚୁ ଦାଙ୍କ ନିଧନରେ ଶୋକପ୍ରକାଶ କରିଛନ୍ତି ।

ଚଳିତ ମାସ ୩୧ ତାରିଖରେ ୬୫ ବର୍ଷରେ ପାଦ ଦେବାକୁ ଯାଉଥିବା ବାଚୁ ଦାଙ୍କର ରବିବାର ସନ୍ଧ୍ୟାରେ ବାରିପଦା ସହରର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତରଖାନାରେ ହୃଦଘାତରେ ପରଲୋକ ଘଟିଛି ।

୧୯୫୬ ମସିହା ମାର୍ଚ୍ଚ ୩୧ ତାରିଖରେ ଜନ୍ମ ଲାଭ କରିଥିଲେ ବାଚୁ ଦା ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଶିଷ୍ୟ ଥିଲେ ସେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ରେ ସହକାରୀ ସଙ୍ଗୀତ ନିର୍ଦ୍ଦେଶକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ‘ହାକିମ ବାବୁ’ ଓ ‘ଅଭିଳାଷ’ ଚଳଚ୍ଚିତ୍ରରେ ମଧ୍ୟ ସହକାରୀ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୧୯୯୪ ମସିହାରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗୋପରେ ବଢୁଛି କଳା କହ୍ନେଇ’ରେ ସେ ସ୍ୱର ସଂଯୋଜନା କରି ଲୋକପ୍ରିୟ ହୋଇଥିଲେ । ଚଳଚ୍ଚିତ୍ରରେ ଶୀର୍ଷକ ସଙ୍ଗୀତ ‘ଆସୁଛିରେ ଆସୁଛି କାଳିଆ କାହ୍ନୁଆସୁଛି’, ‘ଆରେ ଆ ଜହ୍ନମାମୁଁ, ‘ରୁମ୍ ଝୁମ୍ ବାଜେ ଆଜି ପାଦର ପାଉଁଜି’, ‘କୋଇଲି କହ’ ଆଦି ସମସ୍ତ ଗୀତ ସୁପର ହିଟ୍ ଥିଲା । ସେହିପରି ସେ ‘କଥା ରହିଥିବ କାଳ କାଳକୁ’, ‘ମୋତେ ତ ଲଭ୍ ହେଲାରେ’, ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’ ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ମୁକ୍ତି ଲାଭ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ଶିମିଳି’ରେ ସେ ଶେଷ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅନେକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ବାରିପଦାର ମଂଚ କଳାରେ ଶତାଧିକ ନାଟକରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦୁରଦର୍ଶନ ଓ ରେଡିଓରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ କରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ବଲିଉଡ କଣ୍ଠଶିଳ୍ପୀ ବିନୋଦ ରାଠୋଡ, ବାବୁଲ ସୁପ୍ରିୟୋ କବିତା କ୍ରିଷ୍ଣମୂର୍ତ୍ତି, ଉଦିତ ନାରାୟଣ ପ୍ରମୁଖ କଣ୍ଠଦାନ କରିଛନ୍ତି ।

ବାରିପଦା ସହରରେ ସେ ‘ସୁରସଙ୍ଗମ’ ନାମରେ ଏକ ମ୍ୟୁଜିକ ସ୍କୁଲ ଖୋଲି ଅନେକ ନୂଆ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ତିଆରି କରିଛନ୍ତି । ତାଙ୍କ ପରଲୋକରେ କଳା ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.