ପୁରୀ: ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡସ୍ଥିତ ଦୋକାନୀମାନଙ୍କୁ ଆଜି ଦିନ ଗୋଟାଏ ସୁଦ୍ଧା ଦୋକାନ ସମ୍ପୂର୍ଣ୍ଣ ଖାଲି କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ନୋଟିସ୍ ଜାରୀ କରାଯାଇଥିଲା ।
ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଚତୁଃପାଶ୍ୱର୍ର ୭୫ ମିଟର ପରିଧିରେ ରହିଥିବା ସମସ୍ତ ଦୋକାନ, ମଠ ତଥା ଅଟ୍ଟାଳିକା ଗୁଡ଼ିକୁ ଭାଙ୍ଗି ସୁରକ୍ଷାବଳୟ ଦୃଢ କରାଯିବାକୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜଷ୍ଟିସ ବିପି ଦାସ କମିଶନଙ୍କ ଅନୁମୋଦନରେ ଏହି ୧୨ଶ ଶତାବ୍ଦୀର ପୁରାତନ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରବିବାର ଦିନ ଜିଲ୍ଲା ପ୍ରଶାସନ ସହିତ ପୋଲିସ ସୁରକ୍ଷାକର୍ମୀ ଏବଂ ବରିଷ୍ଠ ପଦାଧିକାରୀ ଦୋକାନୀମାନଙ୍କୁ ଏବିଷୟରେ ଅବଗତ କରାଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଦୋକାନ ଗୁଡ଼ିକ ସମେତ ଲାଙ୍ଗୁଳୀ ମଠ, ରଘୁନନ୍ଦନ ପାଠାଗାର ଏବଂ ଏମାର ମଠ ମଧ୍ୟ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀଜଗନ୍ନାଥ ମନ୍ଦିରର ଅତି ନିକଟରେ ଏହି ଲାଙ୍ଗୁଳୀ ମଠ ଅବସ୍ଥିତ । ଏହି ଅଟ୍ଟାଳିକାରେ ମଧ୍ୟ ରହିଛି ୨୪ଟି ଦୋକାନ । ଇତିମଧ୍ୟରେ ଜିଲ୍ଲା ପ୍ରଶାସନର ଚୁକ୍ତିନାମାକୁ ଲାଙ୍ଗୁଳୀ ମଠର ମହନ୍ତ ମଧ୍ୟ ମାନିନେଇଛନ୍ତି ।
ସେହିପରି ଭାବେ ଏମାର ମଠର ପ୍ରଥମ ମହଲାରେ ଲାଙ୍ଗୁଳୀ ମଠ ରହିଛି, ଏହି ମଠଟି ମଧ୍ୟ ଭଙ୍ଗାଯିବାର ନିଷ୍ପତ୍ତି ହୋଇଛି । ତେବେ ଏଠାରେ ରହିଥିବା ଏହି ସର୍ବପୁରାତନ ପାଠାଗାରଟିକୁ ଅସ୍ଥାୟୀ ରୂପେ ବାଗଡ଼ିଆ ଧର୍ମଶାଳାକୁ ସ୍ଥାନାନ୍ତରୀତ କରାଯିବାକୁ ସ୍ଥିର କରାଯାଇଛି ।
ଏହି ପାଠାଗାରଟିରେ ବହୁ ପୁରାତନ ଗ୍ରନ୍ଥ ତଥା ପୁସ୍ତକ ରହିଛି ।
ଇତିମଧ୍ୟରେ, ସମସ୍ତ ଦୋକାନୀମାନେ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଅପରାହ୍ନରେ ଆଲୋଚନା କରିବାକୁ ସ୍ଥିର କରିଛନ୍ତି ।