ନୂଆଦିଲ୍ଲୀ: ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଭାବେ ଚୟନ ହୋଇଛନ୍ତି । ଦୀର୍ଘ ଦିନ ପରେ ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ଏହି ଗୁରୁ ଦାୟିତ୍ୱ ଗିଲଙ୍କୁ ପ୍ରଦାନ କରାଯାଇଛି । ଏଥିସହ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଜିତ ଅଗରକର ଏକ ଯୁବ ଟିମ ଇଂଲଣ୍ଡ ଗସ୍ତ ପାଇଁ ଚୟନ କରିଛନ୍ତି । ରିଷଭ ପନ୍ତ, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ଗିଲ ବିଶ୍ୱ କ୍ରିକେଟର ଦାମୀ ଟିମର ଅଧିନାୟକ ହୋଇଛନ୍ତି । ତେବେ ଚୟନ କମିଟି କାହିଁକି ଗିଲଙ୍କ ଉପରେ ଭରୋଷା ରଖିଲେ ଆସନ୍ତୁ ନଜର ପକାଇବା.. ।
ଦୀର୍ଘ ସମୟ ଦାୟିତ୍ୱ ତୁଲାଇ ପାରିବେ: ବିସିସିଆଇ ଏ ଭଳି ଏକ ଖେଳାଳି ଖୋଜୁଥିଲା ଯିଏ କି ଦୀର୍ଘ ଦିନ ଧରି ଏହି ଗୁରୁ ଦାୟିତ୍ୱ ତୁଲାଇ ପାରିବ । ଗିଲଙ୍କ ବୟସ ୨୫ ହୋଇଥିବାରୁ ସେ ଲମ୍ବା ସମୟ ଦଳର ନେତୃତ୍ୱ ନେଇପାରିବେ । ଗିଲ ଟିମ ଇଣ୍ଡିଆର ଚତୁର୍ଥ ଯୁବ ଅଧିନାୟକ ହୋଇଛନ୍ତି ।
ଚାପରେ ଭଲ ପ୍ରଦର୍ଶନ: ଶୁଭମନଙ୍କ ଉପରେ ଅଧିନାୟକ ହେବାର ଚାପ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁନି । ସେ ଆଇପିଏଲରେ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ନେଉଥିବା ବେଳେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ୬ ଅର୍ଦ୍ଧଶତକ ସହ ସେ ୬୩୬ ରନ କରିଛନ୍ତି ।
ଫିଟନେସକୁ ଗୁରୁତ୍ୱ: ବିରାଟ କୋହଲିଙ୍କ ପରି ଶୁଭମନ ତାଙ୍କ ଫିଟନେସକୁ ବେଶ ଗୁରୁତ୍ୱ ଦେଉଛନ୍ତି । ଏ ପର୍ଯ୍ୟନ୍ତ ସେଭଳି ଗୁରୁତ୍ୱପୂର୍ଣ୍ଣ ଆଘାତ ସମସ୍ୟାରେ ପଡିଥିବା ଦେଖିବାକୁ ମିଳି ନାହିଁ । ଯଶପ୍ରୀତ ବୁମରାହ ସମ୍ପୂର୍ଣ୍ଣ ଫିଟ ରହୁ ନ ଥିବାରୁ ଅଧିନାୟକ ପଦ ହରାଇଛନ୍ତି ।
କୋହଲିଙ୍କ ସ୍ଥାନରେ କରିବେ ବ୍ୟାଟିଂ: ବିରାଟ କୋହଲିଙ୍କ ପରେ ଟେଷ୍ଟ କ୍ରିକେଟରେ ୪ ନମ୍ବର ସ୍ଥାନ ଖାଲି ପଡିବ । ଏହି ସ୍ଥାନରେ ଏବେ ଗିଲ ବ୍ୟାଟିଂ କରିବେ । ଗିଲ ୩୨ ଟେଷ୍ଟରେ ୧୮୯୩ ରନ କରିଛନ୍ତି । ଏଥିରେ ୫ ଶତକ ଓ ୭ ଅର୍ଦ୍ଧଶତକ ସାମିଲ ।
ନୂଆ କୋଚଙ୍କ ସହ ତାଳମେଳ: କୋଚ ଗୌତମ ଗମ୍ଭୀରଙ୍କ ସହ ଶୁଭମନଙ୍କ ତାଳମେଳ ଠିକ ରହିବ ବୋଲି ଆଶା କରାଯାଉଛି । ପୂର୍ବରୁ ଗମ୍ଭୀର ସହ ରୋହିତ ଏବଂ କୋହଲି ଡ୍ରେସିଂ ରୁମ ସମ୍ପର୍କ ଭଲ ନ ଥିବା ଖବର ପ୍ରକାଶ ପାଇଥିଲା । ଏହା ସତ୍ୱେ କୋଚ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଗିଲଙ୍କ ପାଇଁ ଇଂଲଣ୍ଡ ଗସ୍ତ କଡା ଚ୍ୟାଲେଞ୍ଜ ଭାବେ ଉଭା ହେବ ।
Comments are closed.