Latest Odisha News

BREAKING NEWS

ବନ୍ଦ କବାଟ ଭିତରେ କିଏ ଚଢାଏ ମହାଦେବଙ୍କ ମସ୍ତକରେ ଫୁଲ, ରହସ୍ୟମୟ ଏହି ଶିବ ମନ୍ଦିର

ଭୋପାଳ: ପୁଣ୍ୟପ୍ରସୂ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିରକୁ ନେଇ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ । ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକ ବିଶ୍ୱାସ ଉପରେ ପର୍ଯ୍ୟବେସିତ । ଏମିତି କିଛି ମନ୍ଦିର ଭାରତରେ ରହିଛି, ଯାହା ଅତ୍ୟନ୍ତ ରହସ୍ୟମୟ ଏବଂ ବିଚିତ୍ର । ଆମ ଦେଶର ମଧ୍ୟପ୍ରଦେଶରେ ଏପରି ଅନେକ ପ୍ରାଚୀନ ମନ୍ଦିର ଅଛି ଯାହା ଅତି ରହସ୍ୟମୟ । ଏପରି ଏକ ମନ୍ଦିର ରହିଛି ଯାହା ବିଦିଶା ଗଞ୍ଜବାସୌଡା ତହସିଲ ରେଳ ଷ୍ଟେସନ ଠାରୁ ୨୨ କିଲୋମିଟର ଦୂରରେ ଉଦୟପୁର ଗ୍ରାମରେ ଅବସ୍ଥିତ । ନିଳକଣ୍ଠେଶ୍ଵର ନାମରେ ଜଣାଶୁଣା ଏହି ମନ୍ଦିର ଚମତ୍କାର କାରିଗରୀର ପ୍ରତୀକ । ଅତି ରହସ୍ୟମୟ ଏହି ମନ୍ଦିରଟି ସବୁ ପ୍ରାଚୀନ ଧାର୍ମିକ ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ।

ଏହି ମନ୍ଦିରର ଗଠନ ବିଷୟରେ କହିବାକୁ ଗଲେ ଏହା ଭୋପାଳ ନିକଟ ଭୋଜପୁରର ମହାଦେବ ମନ୍ଦିର ପରି ଦେଖାଯାଉଛି । ଏହି ମନ୍ଦିରର ଡିଜାଇନ୍ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅନନ୍ୟ ଅଟେ | ଏହି ମନ୍ଦିର ସହିତ ଜଡିତ ଅନେକ ରହସ୍ୟମୟ ଜିନିଷ ସାମ୍ନାକୁ ଆସିଛି । କୁହାଯାଏ କେହି ଜଣେ ବନ୍ଦ କବାଟ ଭିତରେ ଥିବା ଶିବଲିଙ୍ଗଙ୍କୁ ପୂଜା କରିଥାଆନ୍ତି । ଯାହାର ପ୍ରମାଣ ହେଉଛି ମହାଦେବଙ୍କ ମସ୍ତକରେ ଚଢାଯାଇଥିବା ସେହି ଫୁଲ | ପ୍ରତ୍ୟକଦିନ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

କୁହାଯାଏ ନୀଳକଣ୍ଠେଶ୍ଵର ମନ୍ଦିରର ପରମାର ରାଜବଂଶର ଶାସକ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ତାଙ୍କ ଶାସନ କାଳରେ ସେହି ଅଞ୍ଚଳରେ ଅନେକ ମନ୍ଦିର, ବିଦ୍ୟାଳୟ ଏବଂ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଥିଲା | ପରମାର ରାଜବଂଶର ଶାସକ ରାଜା ଉଦୟାଦିତ୍ୟ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ। ଯାହାର ପ୍ରମାଣ ଆଜି ବି ଦେଖିବାକୁ ମିଳେ | କୁହାଯାଏ ଯେ ନୀଳକଣ୍ଠେଶ୍ଵର ମନ୍ଦିରର ପହଡ ବନ୍ଦ ଥିବା ବେଳେ କେହି ଜଣେ ଭିତରେ ମହାଦେବଙ୍କ ପୂଜା କରିଥାନ୍ତି । ପ୍ରତ୍ୟକଦିନ ସକାଳୁ ମନ୍ଦିରର ପହଡ ଖୋଲାଯିବା ପରେ ଦେଖାଯାଏ ଯେ ଶିବଲିଙ୍ଗ ଉପରେ ଏକ ସତେଜ ଫୁଲ ଚଢାଯାଇଛି । ମନ୍ଦିରର ଏହି ରହସ୍ୟକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ । ସେଠାକାର ଲୋକମାନେ କୁହନ୍ତି ଯେ, ବୁନ୍ଦେଲଖଣ୍ଡର ସେନାପତି ଆଲହା ଏବଂ ଉଦଲର ପ୍ରତିଦିନ ରାତିରେ ମହାଦେବଙ୍କୁ ପଦ୍ମ ଫୁଲ ଚଢାଇଥାଆନ୍ତି । ଯାହାକୁ ପ୍ରତିଦିନ ମନ୍ଦିର ଖୋଲିବା ପରେ ଲୋକମାନେ ଦେଖିଥାଆନ୍ତି ।

ନୀଳ କଣ୍ଠେଶ୍ୱର ମନ୍ଦିର ସମ୍ବନ୍ଧରେ ଆଉ ଏକ ରହସ୍ୟମୟ କଥା ଶୁଣିବାକୁ ମିଳେ ଯେ, ମନ୍ଦିରର ନିର୍ମାଣ ଗୋଟିଏ ରାତିରେ ହିଁ କରାଯାଇଥିଲା। ଏହି ମନ୍ଦିରକୁ ନିର୍ମାଣ କରିଥିବା ବ୍ୟକ୍ତି ମନ୍ଦିରର ମୁଣ୍ଡି ମାରି ତଳକୁ ଓହ୍ଲାଇ ଆସିଥିଲେ । କିନ୍ତୁ ତାଙ୍କର ଥଳିଟି ମନ୍ଦିରର ଅଗ୍ରଭାଗରେ ରହିଯାଇଥିବାରୁ ସେ ପୁଣି ଥରେ ମନ୍ଦିର ଉପରକୁ ଚଢିଥିଲେ । ଥଳି ଧରି ପୁଣି ସେ ମନ୍ଦିର ତଳକୁ ଓହ୍ଲାଇବେଳକୁ ସକାଳ ହୋଇଯାଇଥିଲା ଏବଂ କୁକୁଡା ରାବ ଦେଇଥିଲା । ସେଥିପାଇଁ ବ୍ୟକ୍ତି ଜଣଙ୍କ ସେହିଠାରେ ହିଁ ରହିଯାଇଥିଲେ । ଆଜି ବି ମନ୍ଦିରର ଶୀର୍ଷରେ ସେହି ବ୍ୟକ୍ତିଙ୍କର ଆକୃତି ଦେଖିବାକୁ ମିଳେ । ତେବେ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇଥିବାରୁ ଉଦୟେଶ୍ୱର ମହାଦେବ ନାମରେ ମଧ୍ୟ ଜଣାଶୁଣା।

Leave A Reply

Your email address will not be published.