Latest Odisha News

BREAKING NEWS

ନବ ଦାସଙ୍କ ହତ୍ୟା ବିଜେଡିର ଅନ୍ତଃକନ୍ଦଳର ପରିଣାମ: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପଛରେ ଶାସକ ଦଳରେ ଥିବା କନ୍ଦଳ ଦାୟୀ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ବୟାନ ଦେଇଛନ୍ତି। ଏପରିକି ବିଜେପି ଅଭିଯୋଗ କରିଛି ଯେ, ଓଡିଶା ସରକାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ହତ୍ୟା ମାମଲାରେ କ୍ଲିନଚିଟ୍ ଦେବାକୁ ଚେଷ୍ଟା କରୁଛନ୍ତି, ଆଉ କିଛି ଦିନ ମଧ୍ୟରେ ଗୋପାଳ ଦାସଙ୍କୁ ମୁକ୍ତ କରିଦେବେ।

ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି। ଏହି ଘଟଣାର ସମସ୍ତ ବିନ୍ଦୁକୁ ଯୋଡିଲେ ଷଡୟନ୍ତ୍ରର ଚିତ୍ର ସ୍ପଷ୍ଟ ହେବ। ଗୁଳିକାଣ୍ଡର ଏକ ଘଣ୍ଟା ମଧ୍ୟରେ ଗୋପାଳ ଦାସଙ୍କୁ ଡାକ୍ତର ଓ ପରିବାର ସଦସ୍ୟ ଯେଉଁଭଳି ଭାବେ ତାଙ୍କୁ ଜଣେ ମାନସିକ ରୋଗୀ ବୋଲି ପ୍ରମାଣିତ କରିବା ଆରମ୍ଭ କଲେ, ସେଥିରେ ଗୋପାଳ ଦାସଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେବା ପାଇଁ ଚାଲ୍ ଖେଳିବାର ଗନ୍ଧ ବାରି ହୋଇପଡ଼ୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସେହିପରି ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ତାଙ୍କୁ ହତ୍ୟାକାରୀ କହିବାକୁ ବିଜେପି ନାପସନ୍ଦ କରିଛି। ବିଜେଡି ନେତ୍ରୀ ଶିଷ୍ଟାଚାର ଭୁଲି ଯାଉଛନ୍ତି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ବିରୋଧୀ ଦଳର ନେତାଙ୍କର ଗୋଟିଏ ମର୍ଯ୍ୟାଦା ରହିଛି ହେଲେ ତାଙ୍କୁ ହତ୍ୟାକାରୀ କହି ବ୍ୟକ୍ତିଗତ ଭାବରେ ଟାର୍ଗେଟ କରିବା ବିଜେଡିର ହୀନ ଉଦ୍ଦେଶ୍ଯ ଏବଂ ଶିଷ୍ଟାଚାରର ଅଭାବ ରହିଛି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ସେହିପରି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ଓଡ଼ିଶାରେ ଏବେ କେହି ସୁରକ୍ଷିତ ନାହାନ୍ତି। ହାଇକୋର୍ଟର ଏସ୍ଆଇଟି ତଦନ୍ତ ଦାବି କରି ସାଲୁଜା କହିଛନ୍ତି, ଏତେ ବଡ଼ ଷଡ଼ଯନ୍ତ୍ର ସହ ଏକ ହତ୍ୟାକାଣ୍ଡର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ଅଯୋଗ୍ୟ। ଏହି ହତ୍ୟାକାଣ୍ଡର ଏସ୍ଆଇଟି ତଦନ୍ତ ଦାବି କରିଛି ଦଳ।

 

Leave A Reply

Your email address will not be published.