Latest Odisha News

BREAKING NEWS

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ କରୁଛନ୍ତି । ତାଙ୍କ ପାଖେ ସିବିଆଇର ଅଭିଜ୍ଞତା ରହିଛି ।

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦାସ ତଦନ୍ତର ମନିଟରିଂ କରୁଛନ୍ତି । ତଦନ୍ତ ଚାଲିଥିବା ବେଳେ କିଛି ପ୍ରମାଣ ମିଳିଛି । ସମ୍ପୂର୍ଣ୍ଣ ପ୍ରମାଣ ପାଇଁ ଟିକେ ସମୟ ଲାଗିବ । ଏଭଳି ଅପରାଧରେ ସବୁ ତଥ୍ୟ ସଙ୍ଗେ ମିଳିବ ନାହିଁ । ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବ୍ରୋଟୋରି ସହଯୋଗ ଯୋଗାଇ ଦେବ ।

ବୁଧବାର ରାତିରେ ଝାରସୁଗୁଡ଼ା ବିମାନବନ୍ଦର ଥାନା ଟଏଲେଟ ସ୍ୱରେଜ ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ା ନେଇ ଡିଜିପି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଟୁକୁଡ଼ା କାଗଜ ଖଣ୍ଡର ଫରେନ୍ସିକ ଯାଞ୍ଚ ହେବ । ଯାଞ୍ଚ ପୂର୍ବରୁ କୌଣସି ମତ ଦେଇ ହେବନି । ତଦନ୍ତରେ କଣ ମିଳୁଛି, କେଉଁ ଆଡ଼କୁ ଯାଉଛି ? ଅବସରପ୍ରାପ୍ତ ବିଚାରପତି ତଦନ୍ତର ମନିଟରିଂ କରୁଛନ୍ତି ।

ତଦନ୍ତର ସ୍ୱଚ୍ଛତା ଲାଗି ସେଠାକାର ଅଧିକାରୀମାନଙ୍କୁ ବଦଳି କରାଯାଇଛି । ଘଟଣା ଦିନ ପୋଲିସ ଏସଓପି ଅନୁସାରେ ନବ ଦାସଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଥିଲା ବୋଲି ଡିଜିପି କହିଛନ୍ତି । ଗତ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ । ଏବେ ଗିରଫ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

Leave A Reply

Your email address will not be published.