Latest Odisha News

BREAKING NEWS

ପହରିଆପଡ଼ା ପାଇଁ ସାତ ସପନ ପାଲଟିଛି ବିକାଶ, ଯୋଜନ ଦୂରରେ ସରକାରୀ ଯୋଜନା

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୁ ମାତ୍ର କିଛି ଦୂର ରେ ଅବସ୍ଥିତ ବୋଇରଗାଁ ଗ୍ରାମପଞ୍ଚାୟତର ପହରିଆପଡ଼ା ଗାଁ । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର କିଛି ଦୂର ରେ ରହିଥିବା ଏହି ପଡ଼ା ରେ କାହିଁ କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି ପହରିଆ ସମ୍ପ୍ରଦାୟର ୧୦ ରୁ ୧୫ ପରିବାର । ହେଲେ ବିକାଶ ଏଠି ସାତ ସ୍ୱପ୍ନ ଭଳି ମନେ ହେଉଛି ।

ଦଶନ୍ଧି ଦଶନ୍ଧି ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସବାସ କରୁଥିଲେ ହେଁ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ନଜରରୁ କୋଶେ ଦୂରରେ ଏହି ଅଞ୍ଚଳ । କେବଳ ନିର୍ବାଚନ ସମୟରେ ନେତା କର୍ମୀଙ୍କ ଦେଖା ମିଳୁଥିବା ବେଳେ ଅନ୍ୟ ଦିନ ସେମାନଙ୍କ ଦର୍ଶନ ପାଇବା କଷ୍ଟ । ଏଠି ମୁଖ୍ୟ ରାସ୍ତାରୁ ଗାଁକୁ ଯିବା ପାଇଁ ଏକମାତ୍ର ପାଦ ଚଲା ରାସ୍ତା ହିଁ ରହିଛି । ତାହା ପୁଣି ଖାଲଖମାରେ ପରିପୂର୍ଣ୍ଣ । ସେହି ରାସ୍ତାରେ ଦୁଇ ଚକିଆ ଯାନ ଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ଚାରି ଚକିଆ ଯିବ ବା କୁଆଡେ ।

ପହରିଆପଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ରହିଥିଲେ ହେଁ ବିକାଶର ଚିହ୍ନବର୍ଣ୍ଣ ନାହିଁ । ସରକାରଙ୍କ ମୌଳିକ ସୁବିଧା କହିଲେ ପଡ଼ା ରେ କେବଳ ଗୋଟିଏ ହଳଦିଆ ରଙ୍ଗର ପାଣି ବାହାରୁଥିବା ନଳକୂପ । ଯେଉଁ ପାଣିକି ଖାଇବା ଯୋଗ୍ୟ ନୁହେଁ ତାହା ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ବାହାରୁ ନାହିଁ ଏବଂ ଖରାଦିନ ଆସିଲେ ସମ୍ପୂର୍ଣ୍ଣ ଶୁଖିଯାଉଥିବା ପଡ଼ାବାସୀ କହିଛନ୍ତି । ଏମିତି କି ପିଇବା ପାଣି ପାଇଁ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଯାଇ ଏକ ପରିତ୍ୟକ୍ତ କୂଅ ରୁ ପାଣି ସଂଗ୍ରହ କରି ବ୍ୟବହାର କରିଥାନ୍ତି । କେବଳ ପାଣି ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଗମନାଗମନ ର ସୁବିଧା କଣ ସେମାନେ ଜାଣି ନାହାଁନ୍ତି ।

ବାରମ୍ବାର ପଂଚାୟତ ଠାରୁ ନେଇ ବ୍ଲକ ପ୍ରଶାସନ କୁ ଏହି ସବୁ ସମସ୍ୟା ଉପରେ ଅବଗତ କରାଇଥିଲେ ହେଁ କିଏ ମଧ୍ୟ କର୍ଣ୍ଣପାତ କରୁନଥିବା ପଡ଼ାବାସୀ କହିଛନ୍ତି । ଅପରପକ୍ଷରେ ଆମେ ବୋଡେ଼ନ ବିଡ଼ିଓ ଙ୍କୁ ଏହି ପଡ଼ାର ସମସ୍ୟା ଉପରେ ପଚାରିଥିଲୁ । ତାଙ୍କ ପ୍ରତିକ୍ରିୟା ରୁ ସ୍ପଷ୍ଟ ବାରି ହୋଇଥିଲା ଯେ ଜଙ୍ଗଲ ପାହାଡ଼ ଘେରା ରେ ବସବାସ କରୁଥିବା ଆଦିବାସୀ ମାନଙ୍କ ପ୍ରତି ତାଙ୍କ ଆନ୍ତରିକତା କେତେ ।

ଆଦିମ ଜନଜାତି ତଥା ବନପାହାଡ଼ ଘେରାରେ ବସବାସ କରୁଥିବା ଲୋକଙ୍କ ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ଏମାନଙ୍କ ପଇଁ ସ୍ୱପ୍ନ ହୋଇରହିଯାଇଛି । ତେବେ ତୁରନ୍ତ ପହରିଆପଡା ପ୍ରତି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.