ମଧ୍ୟପ୍ରଦେଶ : ଭାରତର ମାଟିରେ ପ୍ରାୟ ୭୫ ବର୍ଷ ପରେ ଜନ୍ମ ନେଇଛି ଚିତା ଶାବକ, ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରୋଟି । ବୁଧବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଚିତାବାଘ ‘ସିଆୟା’ ମାଆ ହେବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୂପେନ୍ଦର ଲେଖିଛନ୍ତି ଯେ, ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ସ୍ମରଣୀୟ ଘଟଣା ଅଟେ । ମୁଁ ସୂଚନା ଦେଇ ଖୁସି ଯେ, ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି। ସେପ୍ଟେମ୍ବର ୧୭, ୨୦୨୨ରେ ଭାରତକୁ ଆସିଥିବା ୮ଟି ଚିତାବାଘ ମଧ୍ୟରୁ ଗୋଟିଏ ମାଈ ଚିତା ଏକାଥରକେ ୪ଟି ଶାବକ ଜନ୍ମ ଦେଇଛି। ୪ଟି ଚିତା ଶାବକଙ୍କ ଜନ୍ମ ପରେ ଗତ ଦୁଇ ଦିନ ତଳେ କିଡନୀ ରୋଗରେ ଜୀବନ ହାରିଥିବା ମାଈ ଚିତା(ଶାଶା) ମୃତ୍ୟୁର ଦୁଖଃକୁ କେତେକାଂଶରେ ଲାଘବ କରିଛି ।
ସୂଚନାଯୋଗ୍ୟ, ନାମିବ୍ୟାରୁ ଆସିଥିବା ମାଈ ଚିତା ‘ସିଆୟା’ ଗର୍ଭବତୀ ଥିବା ଜଣା ପଡି଼ବାପରେ ଜଙ୍ଗଲ ବିଭାଗର ଅଧିକାରୀ ଏବଂ ଡାକ୍ତରମାନେ ତାର ପ୍ରତିଟି ଗତିବିଧି ଉପରେ କ୍ୟାମେରା ଜରିଆରେ ନଜର ରଖିଥିଲେ | ଆଜି( ବୁଧବାର) ସକାଳେ ସିୟାୟା ଚାରିଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ କଏଦ୍ ହେବା ସଙ୍ଗେସଙ୍ଗେ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଡାକ୍ତରୀ ଟିମ୍ ସହ ତାକୁ ଠାବ କରିବାକୁ ବାହାରି ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ୧୯୪୭ ମସିହାରେ ଦେଶର ଶେଷ ଚିତାବାଘଟି ବର୍ତ୍ତମାନର ଛତିଶଗଡ଼ର କୋରିଆ ଜିଲ୍ଲାରେ ମୃତ୍ୟୁବରଣ କରିଥିଲା । ଏହାପରେ ୧୯୫୨ରେ ଏହି ପ୍ରଜାତିକୁ ଭାରତରେ ବିଲୁପ୍ତ ପ୍ରାଣୀ ଭାବରେ ଘୋଷିତ କରାଯାଇଥିଲା। ଆଉ ୭ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁଣିଥରେ ଗତବର୍ଷ ନାମ୍ବିଆରୁ ୮ ଚିତା ଭାରତ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଚିତାଗୁଡିକୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଯଦି ଚିତାଙ୍କ ବର୍ତ୍ତମାନ ସ୍ଥିତିକୁ ଦେଖିବା, ତାହେଲେ ଶାଶା ନାମକ ମାଈ ଚିତା କିଡନୀ ରୋଗରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାବେଳେ ଓ ବୁଧବାର ‘ସିଆୟା’ ଏକାଥରେ ୪ ଶାବକ ଜନ୍ମ କରିବା ଘଟଣା ପୁଣିଥରେ ଭାରତରେ ଚିତା ବଂଶ ବୃଦ୍ଧି ନେଇ ଆଶା ସଂଚାର କରିଛି।
Comments are closed.