Latest Odisha News

BREAKING NEWS

ନୁଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ; ବିରୋଧୀଙ୍କୁ ଦେଲେ ଅଷ୍ଟ୍ରେଲିଆ ଉଦାହରଣ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ? ଏହାକୁ ନେଇ ବିବାଦ ତେଜୁଛି । ଇତି ମଧ୍ୟରେ 2୦ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା ଉଚିତ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରୁ ଫେରିଛନ୍ତି । ବିଦେଶରୁ ଫେରିବା ପରେ ଇଶାରା ଇଶାରାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅଷ୍ଟ୍ରେଲିଆର ଏକ ଇଭେଣ୍ଟରେ  ସମସ୍ତ ନେତା ଉପସ୍ଥିତ ଥିଲେ । ପିଏମ, ପୂର୍ବତନ ପିଏମ ଏବଂ ବିପକ୍ଷ ନେତା ସମସ୍ତେ ଉପସ୍ଥିତ ଥିଲେ । ସମସ୍ତେ ମିଳିମିଶି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।  କ୍ଷମତାରେ ଥିବା ଦଳ ଏବଂ ବିରୋଧୀ ଦଳ ସମସ୍ତେ ସମ୍ମାନ ଦେଇଥିଲେ ।

ଏଠି କହିରଖିବୁ, ପ୍ରଧାନମନ୍ତ୍ରୀ ତାଙ୍କ ୩ ଦେଶ ଗସ୍ତ ସାରି ଆଜି ସକାଳୁ ପହଞ୍ଚିଛନ୍ତି । ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ  ବହୁ ବରିଷ୍ଠ ନେତା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଭିନ୍ନ ଦେଶକୁ ଯାଇ ବିଶ୍ୱର ଏକାଧିକ ନେତାଙ୍କ ସହ ମିଶିଲି । ସେମାନଙ୍କ ସହ ଭାରତର ସାମର୍ଥ୍ୟ ବିଷୟରେ ଆଲୋଚନା କଲି । ମୋ ଦେଶର ମହାନ ସଂସ୍କୃତିର ଗୌରବଗାନ କରିବା ସମୟରେ ମୁ ମୋ ଆଖି ତଳକୁ କରି ନ ଥିଲି । ଆଖିରେ ଆଖି ମିଶାଇ ଆଲୋଚନା କରୁଥିଲି । ପ୍ରଧାନମନ୍ତ୍ରୀ କହିଥିଲେ, ଚାଲେଞ୍ଜକୁ ଚାଲେଞ୍ଜ ଦେବା ମୋର ଅଭ୍ୟାସ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ସାରା ବିଶ୍ୱ ଭାରତର କଥା ଶୁଣିବାକୁ ବ୍ୟାକୁଳ । ଏ ଗର୍ବ ମୋଦିର ନୁହେଁ । ଏ ଗର୍ବ ଭାରତର । ଏ ଦେଶ ୧୪୦ କୋଟି ଭାରତୀୟଙ୍କର । ଅନ୍ୟର ଗୋଲାମ ହୋଇ ଚଳିବାର ମାନସିକତାରୁ ଉପରକୁ ଆସ । ଭାରତ ତାର ଶତ୍ରୁମାନଙ୍କୁ ବି ଗୁରୁତ୍ୱ ଦିଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Leave A Reply

Your email address will not be published.