Latest Odisha News

BREAKING NEWS

କାହାର ହେବ ବଲାଙ୍ଗୀର ?

ଭୁବନେଶ୍ବର: ବଲାଙ୍ଗୀରରେ କିଏ ମାରିବ ବାଜି ? କଣ୍ଟାବାଞ୍ଝିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ତ ବଲାଙ୍ଗୀରରୁ ହିଁ ନବୀନଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ମୋଦି। ପ୍ରାର୍ଥୀ ଯିଏ ରହିଲେ ବି ଏଠାରେ ଫାଇଟ୍ ସିଧାସଳଖ ନବୀନ ବନାମ ମୋଦି। ପଶ୍ଚିମ ଓଡିଶାରେ ମୋଦି ଲହରକୁ ମାତ୍ ଦେବାକୁ ନବୀନ ଏଥର କଣ୍ଟାବାଞ୍ଝିରୁ ଲଢୁଛନ୍ତି । ତେବେ ନବୀନ କଣ୍ଟାବାଞ୍ଝିର ୧୦ଟି ଗାଁ ନାଁ ପଚାରି ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ମୋଦି । ବଲାଙ୍ଗୀର ଲଢେଇକୁ ରୋଚକ କରିଛି ଗୋଟେ ପରେ ଗୋଟେ ରାଜନୈତିକ ଟୁଇଷ୍ଟ । ତେବେ ପ୍ରଶ୍ନ, କାହା ସପକ୍ଷରେ ରହିଛି ମାହୋଲ୍?

କଣ୍ଟାବାଞ୍ଝିରେ ନବୀନ ବଲାଙ୍ଗୀରକୁ ନଜର 

ପଶ୍ଚିମ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ରହିଛି । ଗତଥର ସବୁ ଲୋକସଭା ସିଟ୍ ହାତେଇଥିଲା ବିଜେପି । ତେଣୁ ମୋଦି ଲହରକୁ କାଉଣ୍ଟର କରିବାକୁ ବଲାଙ୍ଗୀର କଣ୍ଟାବାଞ୍ଝି ବିଧାନସଭାରୁ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାରେ ମୋଦି ଲହର ସାଙ୍ଗକୁ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କକୁ ମାତ୍ ଦେବାକୁ ରହିଛି ଲକ୍ଷ୍ୟ । ନୂଆପଡା, କଳାହାଣ୍ଡି, ବରଗଡ ଜିଲ୍ଲାର ୯ଟି ବିଧାନସଭା ଆସନ ସାଙ୍ଗକୁ ଫୋକସରେ ରହିଛି ୩ ଲୋକସଭା। ପୂରା ପଶ୍ଚିମରେ ଶଙ୍ଖନାଦ କରିବାକୁ ବଲାଙ୍ଗୀରରୁ ହିଁ ମଞ୍ଚ ପ୍ରସ୍ତୁତ କରିଛି ଦଳ ।

ଖେଳ ବିଗାଡିବ ମୋଦି ମ୍ୟାଜିକ୍

ବଲାଙ୍ଗୀରରେ ଶଙ୍ଖନାଦ ପାଇଁ ବିଜେଡି ଅଙ୍କ କଷୁଥିବା ବେଳେ ପ୍ରଚାର ମଇଦାନରେ ମୋଦିଙ୍କ ଏଣ୍ଟ୍ରି ସମୀକରଣ ଏପଟ ସେପଟ କରିଥିବା କୁହାଯାଉଛି । ୨୫ବର୍ଷର ମୁଖ୍ୟମନ୍ତ୍ରୀ ବିନା କାଗଜ ପଢି କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ ନବୀନଙ୍କୁ ଆହ୍ବାନ ଦେଇଛନ୍ତି ମୋଦି । ଏଥିସହ ଓଡିଆ ଅସ୍ମିତା ନେଇ ବଡ ସନ୍ଦେଶ ଦେଇଛନ୍ତି । ମୋଦିଙ୍କ ହାଓ୍ବା ବଲାଙ୍ଗୀରରେ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । ଯେଉଁ କଣ୍ଟାବାଞ୍ଝିକୁ ନେଇ ବିଜୟ ଅଙ୍କ କଷୁଥିଲା ବିଜେଡି, ସେଇ କଣ୍ଟାବାଞ୍ଝି ନାଁ ନେଇ ନବୀନଙ୍କୁ ଓଲଟା ତୀର ମାରିଛନ୍ତି ମୋଦି। ତେବେ ବଲାଙ୍ଗୀରରେ କାହା ହାଓ୍ବା କେତେ ଚାଲିବ, ତାଉପରେ ନଜର ରହିଛି ।

କୁଆଡେ ଯିବ କଂଗ୍ରେସ ଭୋଟ୍ ?

ବଲାଙ୍ଗୀର ଲୋକସଭାରେ ଏଥର ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେବ । କଂଗ୍ରେସ ଏଥର ଜଣାଶୁଣା ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ମନୋଜ କୋଶଲ କାର୍ଡ ଖେଳିଥିଲେ ବି ରାଜନୈତିକ ମଇଦାନରେ ତାହା ଏତେଟା ମାଇଲେଜ୍ ନେଇପାରିନି । ଗତଥର ବଲାଙ୍ଗୀରରୁ ନରସିଂହ ମିଶ୍ର ଓ କଣ୍ଟାବାଞ୍ଝିରୁ ସନ୍ତୋଷ ସିଂ ସାଲୁଜା ଜିତିଥିଲେ । ଏଥର ନରସିଂହ ମଇଦାନରେ ନାହାନ୍ତି, ସାଲୁଜାଙ୍କ ସିଟରୁ ନିଜେ ମୁଖ୍ୟମନ୍ତ୍ରୀ ଲଢୁଛନ୍ତି । ତେଣୁ କଂଗ୍ରେସ ଭୋଟ୍ ଏପଟ ସେପଟ ହୋଇପାରେ । ଗତଥର କଂଗ୍ରେସ ଟିକେଟରୁ ଲୋକସଭା ଲଢିଥିବା ସମରେନ୍ଦ୍ର ମିଶ୍ର ୨ଲକ୍ଷ ୭୧ହଜାରରୁ ଅଧିକ ଭୋଟ୍ ପାଇଥିଲେ । ତେଣୁ କଂଗ୍ରେସ ଭୋଟ ଏଥର କୁଆଡେ ଯିବ? କଂଗ୍ରେସରେ ରହିବ ନା ଅନ୍ୟ କେଉଁ ଦଳ ଆଡକୁ ଢଳିବ ? ତାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ।

ବଲାଙ୍ଗୀରରେ ବିଜେପି Vs ବିଜେଡି

ବଲାଙ୍ଗୀରରେ ଏଥର ସାଂସଦ ସଂଗୀତା ସିଂହଦେଓଙ୍କୁ ବିଜେପି ପ୍ରାର୍ଥୀ କରିଛି ତ ଭେଟେରାନ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ୧୯୯୮ରୁ ବଲାଙ୍ଗୀର ଲୋକସଭା ଆସନ ରାଜପରିବାର କବଜାରେ ରହିଛି । ୧୯୯୮ରୁ ୨୦୦୯ ଓ ୨୦୧୯ରେ ବଲାଙ୍ଗୀରରେ ବିଜୟୀ ହୋଇଛନ୍ତି ସଂଗୀତା ସିଂହଦେଓ । ସେପଟେ ସୁରେନ୍ଦ୍ର ସିଂ ଭୋଇ ଗତ ଦୁଇଟି ନିର୍ବାଚନରେ ଟିଟିଲାଗଡ ବିଧାନସଭାରେ ବିଜେଡିର ଟୁକୁନି ସାହୁଙ୍କଠାରୁ ହାରିଛନ୍ତି। ଏଥର କଂଗ୍ରେସ ଛାଡି ଶଙ୍ଖ ଧରିଛନ୍ତି । ଆଦିବାସୀ ନେତା ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ କରି ବିଜେଡି ଭୋଟ୍ ସାଙ୍ଗକୁ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ହାତେଇବାକୁ ନଜର ରଖିଛି ବିଜେଡି ।

ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ ଓ କଣ୍ଟାବାଞ୍ଝି ବିଧାନସଭା ଆସନ । ୨୦୧୯ରେ ବୀରମହାରାଜପୁର, ସୋନପୁର, ପାଟଣାଗଡ ଓ ଟିଟିଲାଗଡ ଜିତିଥିଲା ବିଜେଡି । ଲୋଇସିଂହା ବିଜେପି ଖାତାକୁ ଯାଇଥିବା ବେଳେ ବଲାଙ୍ଗୀର ଓ କଣ୍ଟାବାଞ୍ଝି ବିଧାନସଭାରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । ତେବେ ଚବିଶ ସମୀକରଣ ଭିନ୍ନ । ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଓହ୍ଲାଇଥିବା ବେଳେ ରଣନୀତି ବି ବଦଳିଛି । ଉଭୟ ମୋଦି ଓ ନବୀନ ମୁହାଁମୁହିଁ ହୋଇଥିବା ବେଳେ ବଲାଙ୍ଗୀରରେ ଉଭୟ ଦଳ ଲଢିବ ସମ୍ମାନର ଲଢେଇ ।

Comments are closed.