Latest Odisha News

BREAKING NEWS

NASAର ଡାର୍ଟ ମିଶନ ସଫଳ, କ’ଣ ମିଳିବ ଲାଭ ?

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ଅନ୍ତରୀକ୍ଷରେ ବଦଳିଲା ଏଷ୍ଟେରୟଡର ଗତିପଥ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣାକାରୀ ସଂସ୍ଥା ନାସାର ଡାର୍ଟ ମିଶନକୁ ସଫଳତା ମିଳିଛି । ୨୭ ସେପ୍ଟେମ୍ବର ଭାରତୀୟ ସମୟ ଭୋର୍ ୪ଟା ୪୫ରେ ଅନ୍ତରୀକ୍ଷରେ ନାସା ଏଷ୍ଟେରୟଡର ଗତିପଥ ପରିବର୍ତ୍ତନ କରିଛି । ନାସାର ଡବଲ ଏଷ୍ଟେରୟଡ ରିଡାଇରେକ୍ସନ୍ ଟେଷ୍ଟ (DART) ମିଶନର ସ୍ପେସକ୍ରାଫ୍ଟ ଡିଡିମୋସ ଏଷ୍ଟେରୟଡର ଚାରିପଟେ ଘୁରୁଥିବା ଛୋଟ ଏଷ୍ଟେରୟଡ ଡାଇମରଫୋସକୁ ଧକ୍କା ଦେଇଛି । ଅର୍ଥାତ୍ ଭବିଷ୍ୟତରେ ଯଦି କୌଣସି ଏଷ୍ଟେରୟଡ ପୃଥିବୀ ପାଇଁ ବିପଦ ପାଲଟେ ତେବେ ସମୟ ପୂର୍ବରୁ ହିଁ ତାର ଗତିପଥ ବଦଳାଇ ଦିଆଯାଇ ପାରିବ ।

ଡିଡିମୋସ ଓ ଡାଇମୋରଫୋସ୍ ପୃଥିବୀ ପାଇଁ ବିପଦ ନଥିଲେ । ଠିକ୍ ୧୦ ମାସ ତଳେ ନାସା ଡାର୍ଟ ମିଶନ ଆରମ୍ଭ କରିଥିଲା । ଦୀର୍ଘଦିନର ଯାତ୍ରା ପରେ ପୃଥିବୀ ଠାରୁ ୧.୧୦ କୋଟି କିଲୋମିଟର ଦୂରରେ ଡାଇମୋରଫୋସକୁ ଡାର୍ଟ ଧକ୍କା ଦେଇଛି । ଆଉ ମିଶନ ସଫଳ ହୋଇଛି । ଏବେ ବିଜ୍ଞାନିକ ଡାଇମୋରଫୋସର ଗତିପଧ ବଦଳିଲା କି ନାହିଁ ତାହା ଉପରେ ନଜର ରଖିଛନ୍ତି । କିଛିଦିନ ମଧ୍ୟରେ ଏହା ଜଣା ପଡ଼ିଯିବ ।

ତେବେ ଏଭଳି ମିଶନର କେତେ ଆବଶ୍ୟକତା ରହିଛି ? … ସାଧାରଣତଃ ଅଧିକାଂଶ ଏଷ୍ଟେରୟଡ ଓ ଧୂମକେତୁ ବିପଜ୍ଜନକ ହୋଇ ନଥାନ୍ତି । ନା ଭବିଷ୍ୟତରେ ବି ହେବେ । କିନ୍ତୁ ସେମାନଙ୍କୁ ସମ୍ଭାବ୍ୟ ବିପଦ ଭାବେ ଗଣା ଯାଉଛି । ଯାହାକୁ ପୋଟେନ୍ସିଆଲି ହାଜାର୍ଡ୍ସ ଅବଜେକ୍ଟ ବା (PHO) କୁହାଯାଉଛି ।

ଏବେ ଆସିବା ଡାର୍ଟ ମିଶନକୁ । ଡାର୍ଟ ମିଶନର ସ୍ପେସକ୍ରାଫ୍ଟ ଲମ୍ବର ମାତ୍ର ୧୯ ମିଟର । ଅର୍ଥାତ୍ ଏହା ଏକ ବସ୍ ଠାରୁ ୫ ମିଟର ଅଧିକ ଲମ୍ବା । ଯେତେବେଳେ କି ଡାର୍ଟ ମିଶନର ସ୍ପେସକ୍ରାଫ୍ଟ ଧକ୍କା ଦେଇଥିବା ଡାଇମୋରଫୋସ୍, ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ପ୍ରାୟ ୨ ଗୁଣ ବଡ଼ । ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଲମ୍ବା ୯୩ ମିଟର । ଯେତେବେଳେ କି ଜାଇମୋରଫୋସର ଲମ୍ବା ୧୬୩ ମିଟର । ଆଉ ଡିଡିମୋସର ଆକାର ୭୮୦ ମିଟର । ଅର୍ଥାତ୍ ୮୩୦ ମିଟର ଉଚ୍ଚ ବୁର୍ଜ ଖଲିଫା ଠୁ ୫୦ ମିଟର ଛୋଟ ।

ଡିଡିମୋସ୍, ଡାଇମରଫୋସ୍ ଠାରୁ ପୃଥିବୀ ପ୍ରତି କୌଣସି ବିପଦ ନଥିବା ଜାଣିବା ପରେ ନାସାର ଡାର୍ଟ ମିଶନ ଆରମ୍ଭ ହୋଇଥିଲା । କାରଣ ୧.୧୦ କୋଟି କିଲୋମିଟର ଦୂରରେ ଧକ୍କା ଦେବା ପରେ ଯଦିଓ ଗତିପଥ ଓ ଅର୍ବିଟରେ କିଛି ପରିବର୍ତ୍ତନ ହେବା ତାହା ପୃଥିବୀ ପାଇଁ ବିପଦ ପାଲଟିବ ନାହିଁ ।

୨୭ ସେପ୍ଟେମ୍ବର ଭୋର୍ ୪ଟା ୪୩ରେ ଡାଇମୋରଫୋସ୍ ଠାରୁ ଡାର୍ଟ ମିଶନ ୧୧୦୦ କିଲୋମିଟର ଦୂରରେ ଥିଲା । ଆଉ ୨ ମିନିଟରେ ଧକ୍କା ଦେଇଥିଲା । ଯେତେବେଳେ କି ଡାଇମୋରଫୋସର ଓଜନ ୫୦୦ କୋରଡ଼ କିଲୋଗ୍ରାମ ଥିବା ବେଳେ ଡାର୍ଟ ମିଶନରେ ବ୍ୟବହୃତ ସ୍ପେସକ୍ରାଫ୍ଟ ମାତ୍ର ୫୫୦ କିଲୋଗ୍ରାମର । କିନ୍ତୁ ସ୍ପେସକ୍ରାଫ୍ଟ ୨୨ ହଜାର କିଲୋମିଟର ପ୍ରତିଘଣ୍ଟା ବେଗରେ ଯାଇ ଡାଇମୋରଫାସକୁ ଧକ୍କା ଦେଇଛି । ଆଉ ଏଥିରେ ବୈଜ୍ଞାନିକ କାଇନେକ୍ଟିକ୍ ଇମ୍ପାକ୍ଟର କୌଶଳର ବିନିଯୋଗ କରିଛନ୍ତି ।

ଅର୍ଥାତ୍ ଧକ୍କା ଦେବା ପରେ ସ୍ପେସକ୍ରାଫ୍ଟ କାଇନେକ୍ଟିକ୍ ଏନର୍ଜ ଓ ବେଗ ଯୋଗୁଁ ଡାଇମୋରଫୋସ୍ ବେଗରେ ପାର୍ଥକ୍ୟ ଆସିବ ଏବଂ ଗତିପଥ ବଦଳି ଯିବ । ଦଶନ୍ଧି ପୂର୍ବରୁ ପ୍ରଚଳିତ ନ୍ୟୁଟନଙ୍କ ଲ୍ ଅଫ୍ ମୋସନ୍ ଅନୁସାରେ ନାସାର ଡାର୍ଟ ମିଶନ ସଫଳ ହୋଇଛି । ନାସା ବୈଜ୍ଞାନିକଙ୍କ ଅନୁସାରେ, ଡାଇମୋରଫୋସ୍ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ ସ୍ପେସକ୍ରାଫ୍ଟ ବି ଧ୍ୱଂସ ହୋଇ ଯାଇଛି । ନାସାର ମିଶନ ସଫଳ ହୋଇଥିବା ବେଳେ ଭବିଷ୍ୟତରେ ଏହା ପୃଥିବୀ ପାଇଁ ଲାଭ ଦାୟକ ହେବ ।

Leave A Reply

Your email address will not be published.