Latest Odisha News

ମଇ ୭ ରେ ପୁରୀରେ ଆୟୋଜିତ ହେବ ‘କବିତାର ପ୍ରତିବାଦ ଓ ଅନାମ କାବ୍ୟ ଆନ୍ଦୋଳନ’କୁ ନେଇ ଜାତୀୟ ବିମର୍ଶ

ଭୁବନେଶ୍ୱର : ପ୍ରଖ୍ୟାତ ଚିତ୍ରକର ସୟଦ୍ ହାଇଦର୍ ରଜାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ‘ରଜା ଫାଉଣ୍ଡେସନ୍‌’, ନୂଆଦିଲ୍ଲୀ ଓ ‘ଧଉଳି ରିଭ୍ୟୁ ଟ୍ରଷ୍ଟ’, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ମଇ ୭ ତାରିଖ ଦିନ (ଶନିବାର) ପୁରୀ ସ୍ଥିତ ‘ସଂସ୍କୃତି ଭବନ’ ପରିସରରେ ‘କବିତାର ପ୍ରତିବାଦ ଓ ଅନାମ କାବ୍ୟ ଆନ୍ଦୋଳନ’ ଶୀର୍ଷକ ଏକ ଜାତୀୟ ବିମର୍ଶର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି ।

କବି ରାଜେନ୍ଦ୍ର କିଶୋର ପଣ୍ଡା ଏବଂ ହିନ୍ଦୀ କବି ଉଦୟନ ବାଜପେୟୀ ଓ ଇଂରାଜୀ କବି ସତ୍ୟ ମହାନ୍ତି  ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଏବଂ କବି ଉଦୟନ ବାଜପେୟୀ, ମରାଠି କବି ପ୍ରଫୁଲ ଶିଲେଦାର, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା କବି ହୃଷୀକେଶ ମଲ୍ଲିକ, ଇଂରାଜୀ କବି, ପ୍ରଶାସକ ଓ ସ୍ତମ୍ଭକାର ସତ୍ୟ ମହାନ୍ତି  ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ । ତାଙ୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଜ୍ଞାନୀ ଦେବାଶିଷ ମିଶ୍ର, ବିଶ୍ୱଭାରତୀ (ଶାନ୍ତିନିକେତନ) ରୁ ରବୀନ୍ଦ୍ର କୁମାର ଦାସ, ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଦିଲୀପ କୁମାର ସ୍ୱାଇଁ, କବି ପବିତ୍ର ମୋହନ ଦାଶ ଓ ବିଶିଷ୍ଟ ସମାଲୋଚକ ସୁରେନ୍ଦ୍ର କୁମାର ମିଶ୍ର, ଅସିତ ମହାନ୍ତି, ବିଭୂ ପ୍ରସାଦ ତ୍ରିପାଠୀ ଓ ବିଭୂତି ଭୂଷଣ ପଣ୍ଡା ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

ଆଲୋଚନା ଚକ୍ର ବ୍ୟତୀତ କିଛି ପ୍ରତିଭାଙ୍କୁ ଏହି ସାରସ୍ୱତ ସଭାରେ ସମ୍ବର୍ଦ୍ଧିତ କରାଯିବା ସହ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ଏବଂ ଅନାମ କବି ନେତ୍ରାନନ୍ଦ ସାମନ୍ତରାୟ, ନାରାୟଣ ପ୍ରସାଦ ସିଂ, ବିବୁଧରଂଜନ, ଦେବୀପ୍ରସନ୍ନ ନନ୍ଦ, ଉମାକାନ୍ତ ମହାପାତ୍ର ଓ ସମରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଏହି ସଭାରେ ‘ଅନାମ କବିତା’ ଆବୃତ୍ତି କରିବେ ଏବଂ ଯଦୁନାଥ ପଣ୍ଡା ଓ ସହଯୋଗୀମାନେ କବିତାର ସଂଗୀତ ରୂପ ଦେବେ । ଏହି ଏକ ଦିବସୀୟ ଜାତୀୟ ବିମର୍ଶରେ ବିଶେଷ ଆକର୍ଷଣ ଭାବେ ‘ପୁରୀ ଆର୍ଟ୍ ସୋସାଇଟି’ଙ୍କ ଦ୍ୱାରା ଚିତ୍ରକଳା ଓ ଭାସ୍କର୍ଯ୍ୟର ଏକ କର୍ମଶାଳା ଆୟୋଜନ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ପୁରୀ ତଥା ଆଖପାଖ ଅଞ୍ଚଳର ସମସ୍ତ କବି, ଲେଖକ ଓ କଳାକାରମାନଙ୍କୁ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି  ।

Leave A Reply

Your email address will not be published.