Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ଆତ୍ମା ରୂପୀ ନାରାୟଣ ବୋଲି ବିବେଚନା କରିବା କାରଣ ନାମ ମହାତ୍ମ୍ୟ ବର୍ଣ୍ଣନା ସମୟରେ ମନରେ ବିଭିନ୍ନ ନାମକୁ ନେଇ ଯେଉଁ ଦ୍ଵନ୍ଦ ଉପୁଜିଲା ତାହା ଶ୍ରୀଜଗନ୍ନାଥଙ୍କୁ (ନାରାୟଣ )ଆତ୍ମା ରୂପେ ବିବେଚନା କଲେ ସମାଧାନ ହୋଇ ଯିବ। ମହାତ୍ମା ନାନକଙ୍କ ଭାଷାରେ “ଯୋଇ ବ୍ରହ୍ମlଣ୍ଡେ ସୋଇ ପିଣ୍ଡେ ” ଅର୍ଥାତ ପିଣ୍ଡ ଓ ବ୍ରହ୍ମlଣ୍ଡ ଉଭୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରୁ ସୃଷ୍ଟି ହୋଇ ଥିବାରୁ ବ୍ରହ୍ମlଣ୍ଡ ମଧ୍ୟରେ ଜୀବ ଓ ପରମର ସମ୍ପର୍କକୁ ଆମେ ଶରୀର ଓ ଆତ୍ମାର ସମ୍ପର୍କ ସହ ଯୋଡି ଦେଲେ କେବଳ ନାମର ମାହାତ୍ମ୍ୟ କୁ ସଠିକ ଉପଲବ୍ଧି କରିପାରିବା। ସାଧକ ଅଚ୍ୟୁତାନନ୍ଦ ଦାସ ଅତି ସୁନ୍ଦର ଭାବରେ ଏହା ବର୍ଣ୍ଣନା କରିଛନ୍ତି ।

“ଆତ୍ମା ରୂପୀ ନାରାୟଣ ଜ୍ଞାନକେ ସବୁ ପ୍ରାଣୀ ଯେହୁ, ଏ ବ୍ରହ୍ମlଣ୍ଡ ମଧ୍ୟରେ ପରମ ବୈଷ୍ଣବ ଅଟଇଟି ସେହୁ “(ଚଉଷଠି ପଟଳ )।

ଏଠାରେ ବୈଷ୍ଣବ ଶବ୍ଦ କୌଣସି ସମ୍ପ୍ରଦାୟକୁ ନବୁଝାଇ ସମସ୍ତ ଭକ୍ତଙ୍କ ଭାବକୁ ବୁଝାଏ। କାରଣ ପିଣ୍ଡ ବ୍ରହ୍ମlଣ୍ଡ ତତ୍ତ୍ୱରେ ଜୀବକୁ ରାଧା ଓ ପରମଙ୍କୁ କୃଷ୍ଣ ଭାବରେ ଗୃହୀତ ହୋଇଥାଏ। ସେହିପରି କୃଷ୍ଣ, ନାରାୟଣ, ଜଗନ୍ନାଥ ଇତ୍ୟାଦି ପରଂବ୍ରହ୍ମଙ୍କ ସମସ୍ତ ନାମକୁ ଭିନ୍ନ ଭାବରେ ଗ୍ରହଣ ନକରି ଏକ ଓ ଅଭିନ୍ନ ଭାବେ ଗ୍ରହଣ କରିବା ଉଚିତ। ଶାସ୍ତ୍ର ତେଣୁ ପୁନଶ୍ଚ କହିଛି :

“ଏଇ ମନ ଗୋଟି ସିନା ଚତୃଦ୍ଧl ମୂରତି, ଏଇ ମନ ଗୋଟି ସିନା ସମ୍ପତି ର ସାଥି “(ଜୁମର ସଂହିତା )।

ଏତେ ସବୁ ବାଦ ବିବାଦ ମଧ୍ୟରେ ନପଶି, ଗୀତାରେ ଶ୍ରୀକୃଷ୍ଣଙ୍କ ଉପଦେଶ କୁ ମାନିବା,”ସମୋଅହଂ ସର୍ବଭୂତେଷୁ “. ଅନ୍ୟ ଅର୍ଥରେ ଜୀବ ମଧ୍ୟରେ ସମଭାବେ ସ୍ଥିତ ଆତ୍ମା ହିଁ ଶ୍ରୀଜଗନ୍ନାଥ । ଆସନ୍ତୁ ସେହି ପୂର୍ଣ୍ଣ ବ୍ରହ୍ମଙ୍କୁ ଉପାସନା କରିବା ।

“ପରମ ବ୍ରହ୍ମ ଜଗନ୍ନାଥ, ଅବତାର ପରେ ସଂସ୍ଥିତ. କୋଟିକୋଟି ଯେ ଅବତାର, ଜଗନ୍ନାଥ ଅଙ୍ଗୁ ଯେ ବାହାର। “

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.