Latest Odisha News

BREAKING NEWS

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ ରାଜସ୍ଥାନ କଂଗ୍ରେସରେ ପୁଣିଥରେ ଗେହଲଟ ପାଇଲଟ ଲଢେଇ ଆରମ୍ଭ ହୋଇଛି।

ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଲଢ଼େଇ କରିବା ମୁଡରେ ଅଛନ୍ତି ବୋଲି ପାଇଲଟ କହିଛନ୍ତି। ଏଭଳି କରିବା ପଛରେ ପାଇଲଟଙ୍କ ଉଦେଶ୍ୟ କଣ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ପାଇଲଟଙ୍କ ଅନଶନ ପ୍ରସଙ୍ଗ ପରେ ହାଇକମାଣ୍ଡ ଗେହଲଟଙ୍କୁ ସମର୍ଥନ କରିଛନ୍ତି।

ରାଜସ୍ଥାନରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ବଡ଼ ବିବାଦ ଦେଖାଯାଇଥିଲା। ଶେଷରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା କିନ୍ତୁ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପାଇଲଟ।

ଏପରିକି କିଛି ମାସ ପୂର୍ବରୁ ମଧ୍ୟ ଏହି ବିବାଦ ଆଉ ଥରେ ଉଠିଥିଲା କିନ୍ତୁ ଦଳୀୟ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। କିନ୍ତୁ ଏବେ ପୁଣି ଏହା ବ୍ୟାପକ ହୋଇଛି। କଂଗ୍ରେସର କଠିନ ସମୟରେ ରାଜସ୍ଥାନରେ ଏଭଳି ସ୍ଥିତି ଚର୍ଚ୍ଚାରେ ରହିଛି।

ଆଗକୁ ରାଜସ୍ଥାନ ନିର୍ବାଚନ ଥିବା ବେଳେ ଗେହଲଟ ପାଇଲଟ ବିବାଦ ସ୍ଥିତିକୁ ଜଟିଳ କରିଛି। ସେପଟେ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ପରେ ସାରା ଦେଶରେ କଂଗ୍ରେସ ଏକ ହୋଇ ଲଢ଼ୁଥିବା ବେଳେ ଦେଶର ବିରୋଧୀ ମଧ୍ୟ ଏକ ହୋଇଛନ୍ତି। କିନ୍ତୁ ରାଜସ୍ଥାନରେ ଏଭଳି ସ୍ଥିତି ଖରାପ ବାର୍ତା ଦେଉଥିବା କୁହାଯାଉଛି।

ଏଭଳି ଏକ ସ୍ଥିତି ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିଥିଲେ ଓ ଏବେ ସେ ବିଜେପିରେ ରହି ରାହୁଲଙ୍କୁ ଆଟାକ କରୁଛନ୍ତି। ତେଣୁ ଆଗାମୀ ଦିନରେ ସଚିନ ପାଇଲଟ ସେଭଳି ଭୂମିକାରେ ଅବତୀର୍ଣ୍ଣ ହେବେନି ତ ବୋଲି ଚର୍ଚ୍ଚା ହେଉଛି।

ରାହୁଲଙ୍କ ୟଙ୍ଗ ଗ୍ରୁପର ପ୍ରମୁଖ ସଦସ୍ୟ ସିନ୍ଧିଆ ଥିବାବେଳେ ସଚିନ ପାଇଲଟ ମଧ୍ୟ ରାହୁଲଙ୍କ କୋର ଗ୍ରୁପର ବୋଲି କୁହାଯାଏ। କିନ୍ତୁ ଏଭଳି ଲଗାତର ହେଲେ ଦଳକୁ କ୍ଷତି ହୋଇପାରେ ବୋଲି କୁହାଯାଉଛି। ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ହେଲେ ଏହା ବିଜେପିକୁ ସୁହାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.