Latest Odisha News

ନବରାତ୍ରୀ ୨୦୨୩: ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ପ୍ରତିବର୍ଷ ପରି ଚଳିତ ବର୍ଷ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆସନ୍ତା ନଅ ଦିନ ଧରି ମା ବିଭିନ୍ନ ରୂପରେ ପୂଜା ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜ୍ଜିତ କରାଯାଇଛି ।

ନବରଙ୍ଗପୁର: ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ  ପୀଠରେ ନବରାତ୍ରୀ ପୂଜା ।

ନବରାତ୍ରୀ ପୂଜାର ଆରମ୍ଭରେ ମାଁଙ୍କ ପାଟଖଣ୍ଡାକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପରିକ୍ରମା ପରେ ସ୍ଥାନୀୟ ପ୍ରତାପ ସାଗର ପୋଖରୀରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିରକୁ ଅଣାଯାଇଥିଲା ।  ମନ୍ଦିରରେ ପାଟଖଣ୍ଡାକୁ ମାଁ ନିକଟରେ ଅବସ୍ଥାପିତ କରାଇଥିଲେ ମୁଖ୍ୟ ପୂଜକ । ଏହା ପରେ ମାଁ ଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଆରମ୍ଭ ହୋଇଛି ପୂଜା । ଏହି ନବଦିନାତ୍ମକ ପୂଜା ସମୟରେ ପ୍ରତ୍ୟେକ ଦିନ ମାଁ ଙ୍କ ଭିନ୍ନ ଭିନ୍ନ ପ୍ରକାର ପୂଜା କରାଯାଇଥାଏ । ସେଥିମଧ୍ୟରୁ ସନ୍ଧି ପୂଜା ଓ ଚଣ୍ଡୀ ପାଠ ଅନ୍ୟତମ । ମା ଭଣ୍ଡାରଘରଣୀ ଙ୍କ ଅନ୍ୟ ଏକ ବିଶେଷତ୍ୱ ହେଉଛି  ପ୍ରତ୍ୟେକ ଦିନ ମା ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଥିବା ବେଳେ ଏହି ନବଦିନାତ୍ମକ ପୂଜା ସମୟ ରେ ମା ପୁର୍ବଭିମୁଖୀ ହୋଇ ପୁଜା ପାଇଥାନ୍ତି ।

ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମାଁ ଙ୍କ ନିକଟରେ  ଦୀପ ଦାନ କରି ମନସ୍କାମନା ପୂରଣ ସକାଶେ ପୂଜା କରିଥାନ୍ତି । ଚଳିତ ବର୍ଷ ମା ଙ୍କ ପାଖରେ ୧୦୦୮ ଟି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟା ସମୟରେ ଦୀପ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏହି ନଅ ଦିନରେ ମାନସିକ ଧାରୀ ମାନେ ରୀତିନୀତିରେ ପୂଜାର୍ଚ୍ଚନା କରି ଉପବାସ କରି ମନ୍ଦିରରେ ପୂଜା କରିଥାନ୍ତି । ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଅନ୍ଧ୍ରପ୍ରଦେଶର ଭକ୍ତମାନେ ଆସି ମା ଙ୍କ ଆଶିଷ ଲାଭ କରିବା ସହ କଳାହାଣ୍ଡି କୋରାପୁଟ ଭଲି ଅନ୍ୟ ଜିଲ୍ଲାର ଭକ୍ତ ମାନେ ମଧ୍ୟ ଆସି ମା’ଙ୍କ କୃପା ଲାଭ କରିଥାନ୍ତି । ଚଳିତ ବର୍ଷ ମନ୍ଦିର କମିଟି କୁ ୨୫ ବର୍ଷ ପୁର୍ତ୍ତି ହୋଇଥିବାବେଳେ ଏବର୍ଷ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରକାଯାଇଛି । ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଅଧିକ ରହୁଥିବାରୁ ମନ୍ଦିରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.