Latest Odisha News

BREAKING NEWS

ଓଡିଶା ଅର୍ଥନୀତିରେ ‘କାଳିଆ ଯୋଜନା’ ଏକ ମାଇଲଖୁଣ୍ଟ ସଦୃଶ୍ୟ: ନବୀନ

ପୁରୀ : ଓଡିଶା ଅର୍ଥନୀତିରେ କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଏକ ମାଇଲ ଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ କହିଛନ୍ତି ।

ପୁରୀ ଜିଲ୍ଲା ମାଳତିପାଟପୁର ନିକଟସ୍ଥ ରାହାଙ୍ଗିଆ ଠାରେ ୩୧୪ ବ୍ଲକର ପ୍ରାୟ ୨ଲକ୍ଷ କୃଷକଙ୍କୁ ନେଇ ଆୟୋଜିତ ହୋଇଥିବା ଏକ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି କାଳିଆ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର, ଭାଗଚାଷୀ ତଥା କୃଷି ଶ୍ରମିକମାନଙ୍କୁ ଉଭୟ ଖରିଫ ଓ ରବି ଫସଲ ପାଇଁ ବିତ୍ତିୟ ସହାୟତା ପ୍ରଦାନ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ବ୍ୟତୀତ ରାଜ୍ୟ ସରକାର ଖରିଫ ଫସଲ ପାଇଁ ଅକ୍ଷୟ ତୃତୀୟା ଏବଂ ରବି ଫସଲ ପାଇଁ ନୂଆଖାଇ ଦିନ ପ୍ରତ୍ୟେକ ଶ୍ରେଣୀର କୃଷକମାନଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିବେ ।

ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ଏବଂ କେହିବି କାଳିଆ ଯୋଜନାକୁ ରୋକିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

“ଏହି ଯୋଜନାରେ ଓଡିଶାର ପାଖାପାଖି ୯୨ ପ୍ରତିଶତ କୃଷକମାନେ ଲାଭବାନ ହେବେ ଏବଂ ପଡୋଶୀ ରାଜ୍ୟ ମାନେ ମଧ୍ୟ ଏହି କାଳିଆ ଯୋଜନାର ପ୍ରଶଂସା କରିଛନ୍ତି” ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥରାଶି ପ୍ରଦାନ ପାଇଁ ଘୋଷଣା କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମ୍ନଲିଖିତ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨,୪୫,୪୯୦ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରାୟ ୫ ହଜାର ଟଙ୍କା ଅର୍ଥରାଶି ଜମା କରାଯିବ ।

ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଚୂଡାନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶିତ କରାଯିବ । କୃଷକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଚୂଡାନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବା ସହ ଅଭିଯୋଗ ମଧ୍ୟ ଦାଖଲ କରିପାରିବେ ।

ଏହି ଯୋଜନାରେ ନାମ ପଞ୍ଜିକରଣ ଲାଗି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ହିତାଧିକାରୀ ସରକାରଙ୍କ ନିକଟକୁ ଦରଖାସ୍ତ ଦ୍ୱାରା ଆବେଦନ କରିଛନ୍ତି ।

ଯେଉଁ ଚାଷୀମାନେ କୌଣସି କାରଣବଶତଃ ପ୍ରଥମ ପର୍ଯ୍ୟାୟରେ ଆବେଦନ ତଥା ସାମିଲ ହୋଇପାରିନାହାନ୍ତି, ସେମାନେ ନିଜର ସବିଶେଷ ବିବରଣୀ ଦେଇ ଏହି ଯୋଜନାରେ ସାମିଲ ହେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଆବେଦନ କରିପାରିବେ ।

Leave A Reply

Your email address will not be published.