Latest Odisha News

BREAKING NEWS

ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନ ଭୁବନେଶ୍ୱର ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ରାସାୟନିକ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇସିଟି)-ଆଇଓସି (ଇଣ୍ଡିଆନ ଅଏଲ) ଭୁବନେଶ୍ୱରର ଭୂମିପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ୍ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ । ଏହି ଅନୁଷ୍ଠାନ ଏହାର ଉଜ୍ଜ୍ୱଳ ଶୈକ୍ଷିକ ପ୍ରଦର୍ଶନ ପାଇଁ ପରିଚିତ ଥିବା ବେଳେ ଏହା ରାସାୟନିକ ପ୍ରଯୁକ୍ତିବିଦ୍ୟା ଓ ଅନୁଗାମୀ କ୍ଷେତ୍ରରେ ଉଚ୍ଚ ମାନର ବୈଷୟିକ ଶିକ୍ଷା ପ୍ରଦାନ କରିବ । ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସଡିଆଇ ଓ ଆଇସିଟି-ଆଇଓସି ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ମୂଳଭିତ୍ତି । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବ ପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର । ସବ୍‍କା ବିକାଶ, ସବ୍‍କା ବିଶ୍ୱାସ, ସବ୍‍କା ପ୍ରୟାସ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲ୍‍ ଏସ୍‍ଡିଆଇ ଭୁବନେଶ୍ୱରକୁ ଏକ ଗ୍ରୀନଫିଲ୍ଡ ମେଗା ମଡେଲ ମଲ୍ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି । ଏଥିପାଇଁ ଯୋଗାଇ ଦେଇଛି ୨୫୫ କୋଟି ଟଙ୍କାର ଅନୁଦାନ । ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲ୍‍ ଯୋଜନା ରଖିଛି ।
ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣି ତହସିଲରେ ଏହାର ସ୍ଥାୟୀ କ୍ୟାମ୍ପସ୍‍ ଲୋକାର୍ପିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ୧୬ ଏକର ଜାଗା । ରାଷ୍ଟ୍ରପତି ରାମନାଥ କୋବିନ୍ଦ୨୦୧୮ ମାର୍ଚ୍ଚ ୧୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରତିଷ୍ଠାନ ମାଧ୍ୟମରେ ଶିଳ୍ପ-ଉପଯୋଗୀ ପ୍ରତିଭା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭିତ୍ତିଭୂମି ତଥା ପ୍ରଯୁକ୍ତି ବିଦ୍ୟା ଆଧାରରେ ବିଶ୍ୱସ୍ତରୀୟ ଶିଳ୍ପ ଆଧାରିତ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି ।

ଆଗାମୀ ୧୦ ବର୍ଷ ମଧ୍ୟରେ ଏସ୍‍ଡିଆଇବି ଏହାର ନୂଆ କ୍ୟାମ୍ପସ୍‍ ମାଧ୍ୟମରେ ଭାରତ ସରକାରଙ୍କ ‘ସ୍କିଲ୍‍ ଇଣ୍ଡିଆ’ ଏବଂ ‘ପୂର୍ବୋଦୟ ମିଶନ’କୁ ସଶକ୍ତ କରିବାକୁ ବିବିଧ ପାଠ୍ୟକ୍ରମରେ ୫୦,୦୦୦ରୁ ଅଧିକ ପିଲାଙ୍କୁ ତାଲିମ ପ୍ରଦାନ ଲକ୍ଷ୍ୟ ରଖିଛି ।
ଏସ୍‍ଡିଆଇ-ଭୁବନେଶ୍ୱରର ପାଇଲଟ୍‍ କ୍ୟାମ୍ପସ୍‍ ବିଭିନ୍ନ ଟ୍ରେଡରେ ୧୨ଶହ ଜଣଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରୁ ମୋଟ ୯୦%ଙ୍କୁ ନିଯୁକ୍ତି ସୁଯୋଗ ଦେଇଛି । ଏସ୍‍ଡିଆଇ-ଭୁବନେଶ୍ୱର ଏହାର ନୂଆ କ୍ୟାମ୍ପସରେ ଏକାଧିକ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରଖିଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍‍ ମନ୍ତ୍ରୀ ହରଦୀପ ସିଂ ପୁରୀ, ପେଟ୍ରୋଲିୟମ୍‍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ଏବଂ ଇଣ୍ଡିଆନ ଅଏଲ୍‍ର ଚେୟାରମ୍ୟାନ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.