Latest Odisha News

BREAKING NEWS

ନବୀନ ମେ’ ୨୭ରେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଭୁବନେଶ୍ୱର: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାପରେ ଦଳର ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ’ ୨୭ ତାରିଖ ଦିନ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ଦିନ ସେ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ କରିବେ ।

ଏନେଇ ସଂସଦୀୟ ବ୍ୟାପାର ବିଭାଗ ଶପଥ ଗ୍ରହଣ ଉତ୍ସବ ଆୟୋଜନ ଲାଗି ପ୍ରସ୍ତୁତ ହେଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏହିଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ବାତ୍ୟା ଫନୀ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୁତ କ୍ଷତି ଘଟିଥିବା ଯୋଗୁଁ ଶପଥ ଗ୍ରହଣ ଉତ୍ସବକୁ ଅପେକ୍ଷାକୃତ ନିରାଡ଼ମ୍ବର ଭାବେ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଶପଥଗ୍ରହଣ ଉତ୍ସବ ଏପର୍ଯ୍ୟନ୍ତ କେଉଁଠାରେ ହେବ ନିର୍ଦ୍ଧିଷ୍ଟ ଭାବେ ସୂଚନା ଦିଆଯାଇନାହିଁ, ସାଧାରଣତଃ ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଜ୍ୟ ରାଜଭବନଠାରେ ଅନୁଷ୍ଠିତ ହୋଇଥାଏ ।

ଏହି ନିର୍ବାଚନରେ ବିଜେଡ଼ି ବିପୁଳ ବିଜୟ ହାସଲ କରିବା ପରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, “ଆମକୁ ବାରମ୍ବାର ନିର୍ବାଚିତ କରୁଥିବା ଯୋଗୁଁ ପ୍ରଥମେ ମୁଁ ମୋ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୁଁ ମୋ ଦଳର ସମସ୍ତ ନେତୃବର୍ଗ ତଥା କର୍ମୀମାନଙ୍କ କଠୋର ପରିଶ୍ରମ ଲାଗି ଅଜସ୍ର ଧନ୍ୟବାଦ ଅର୍ପଣ କରୁଛି । ମୁଁ ଆମ ରାଜ୍ୟର ସମସ୍ତ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି, କାରଣ ମହିଳାମାନେ ଆମର ବିପୁଳ ବିଜୟ ଲାଗି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।”

Leave A Reply

Your email address will not be published.