Latest Odisha News

BREAKING NEWS

କଣ୍ଟାବାଞ୍ଝିରୁ ନବୀନ କାର୍ଡ

ଭୁବନେଶ୍ବର: ପଶ୍ଚିମରେ ପୁଣି ନବୀନ କାର୍ଡ । ବିଜେପୁର ପରେ କଣ୍ଟାବାଞ୍ଝିରୁ ଲଢିବେ ନବୀନ । ପ୍ରସନ୍ନ ଅସନ୍ତୋଷ ସାଇଡ୍ ଇଫେକ୍ଟ । ସମ୍ବଲପୁର, ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ । କେଉଁଠି ନେତାଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି, ତ କେଉଁଠି ଝିଅ ହେଲେ ପ୍ରାର୍ଥୀ । କଟିଲା ସମୀର ଦାଶଙ୍କ ଟିକେଟ୍‌, ଆମଦାନୀ ନେତାଙ୍କୁ ସୁଯୋଗ । ବିଜେଡି ପ୍ରାର୍ଥୀ ତାଲିକାରେ କ’ଣ ରଣନୀତି ?

କଣ୍ଟାବାଞ୍ଝିରୁ କାହିଁକି ନବୀନ ?

ବଲାଙ୍ଗୀର କଣ୍ଟାବାଞ୍ଝିରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ କଣ୍ଟାବାଞ୍ଝିରୁ ଏଥର ନିର୍ବାଚନ ଲଢିବେ ନବୀନ । ପଶ୍ଚିମ ଓଡିଶା ଭୋଟ୍ ହାତେଇବାକୁ ବିଜେଡି ନବୀନ କାର୍ଡ ଖେଳିଥିବା କୁହାଯାଉଛି । ୨୦୧୯ରେ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ । ପରେ ବିଜେପୁର ଛାଡିବା ପରେ ସେଠାରୁ ରୀତା ସାହୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ନବୀନ କଣ୍ଟାବାଞ୍ଝିରୁ ପ୍ରାର୍ଥୀ ହୋଇ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ପ୍ରସନ୍ନ ଅସନ୍ତୋଷ ସାଇଡ୍ ଇଫେକ୍ଟ

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢିବା ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରାର୍ଥୀ ଅଦଳବଦଳ କରିଛି ଦଳ । ପ୍ରସନ୍ନଙ୍କୁ ରେଢାଖୋଲରୁ ଟିକେଟ ଦେବା ସହ ସେଠରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ସମ୍ବଲପୁର ଲୋକସଭା ଲଢେଇ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହା ଅଧୀନରେ ଆସୁଥିବା ରେଢାଖୋଲ, ସମ୍ବଲପୁର ବିଧାନସଭାରେ ଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରିଛି ଦଳ । ତେବେ ସମ୍ବଲପୁରରେ ରୋହିତ ପୂଜାରୀଙ୍କ ପ୍ରାର୍ଥୀତ୍ୱ ଅସନ୍ତୋଷ ଦୂରେଇବ ନା ବଢାଇବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ।

କଟିଲା ସମୀରଙ୍କ ଟିକେଟ୍‌

ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍ କାଟିଛି ବିଜେଡି । ତାଙ୍କ ଜାଗାରେ ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି ଦଳ । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବ୍ୟାକଫୁଟକୁ ଆସିଥିଲେ ସମୀର ଦାଶ । ଏହାପରେ ତାଙ୍କ ମନ୍ତ୍ରୀପଦ ମଧ୍ୟ ଯାଇଥିଲା । ଏବେ ତାଙ୍କ ଟିକେଟ୍ କାଟିଛି ବିଜେଡି ।

କେଉଁଠି ପତ୍ନୀ କେଉଁଠି ପୁତ୍ରୀ

ନେତାଙ୍କ ଟିକେଟ୍ କଟିଛି, ହେଲେ ପରିବାର ସଦସ୍ୟ ହୋଇଛନ୍ତି ପ୍ରାର୍ଥୀ । ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଓ ଅନୁଗୁଳରୁ ପୂର୍ବତନ ବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଗୀତା ସିଂହଙ୍କୁ ଟିକେଟ୍ ଦେଇଛି ବିଜେଡି । ସେହିପରି ସାନଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଗତଥର କଂଗ୍ରେସର ରମେଶ ଜେନାଙ୍କଠାରୁ ହାରିଥିଲେ ନନ୍ଦିନୀ ଦେବୀ ।

ଆସୁ ଆସୁ ଟିକେଟ୍

ବିଜେଡିରେ ଯୋଗ ଦେଉ ଦେଉ ଟିକେଟ୍ ପାଇଛନ୍ତି ଅରୁନ୍ଧତୀ ଦେବୀ । ସମ୍ବଲପୁର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ପୁଅ ନମନ ଗଙ୍ଗଦେବଙ୍କ ସହ ମଙ୍ଗଳବାର ସଂଧ୍ୟାରେ ବିଜେଡିରେ ସାମିଲ ହୋଇଥିଲେ । ଚବିଶ ଘଣ୍ଟା ନପୂରୁଣୁ ତାଙ୍କୁ ଦେବଗଡରୁ ପ୍ରାର୍ଥୀ କରିଛି ବିଜେଡି । ସେହିପିର କଂଗ୍ରେସରୁ ଆସିଥିବା ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଚିତ୍ରକୋଣ୍ଡାରୁ ଓ ରାଜେନ୍ଦ୍ର ଛତ୍ରିଆଙ୍କୁ କୁଚିଣ୍ଡାରୁ ଟିକେଟ ଦେଇଛି ଦଳ ।

ପଦମପୁରରୁ ବର୍ଷା ସିଂ ବରିହାଙ୍କୁ ରିପିଟ୍ କରିଛି ବିଜେଡି । ଅନେକ ଜାଗାରେ ଅସନ୍ତୋଷ ଦୂର କରିବାକୁ ଅଙ୍କ କଷିଥିବା ବିଜେଡି ନିଜ ରଣନୀତିରେ କେତେ ସଫଳ ହେବ ?

Leave A Reply

Your email address will not be published.