Latest Odisha News

ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାରେ ନବୀନଙ୍କ ଉଦ୍ଦେଶ୍ୟ ଭଲ ନୁହେଁ କହିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଓଡ଼ିଶାରୁ ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ନବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କ ପାଇଁ ରାଜ୍ୟରେ ବିରୋଧୀ ବିଜେପି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ନଥିଲେ ମଧ୍ୟ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବୋଲି କୁହାଯାଏ। ଏବେ କିନ୍ତୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମର୍ଥନ କରିବା ପଛର ଉଦ୍ଦେଶ୍ୟ କହି ଟାର୍ଗେଟ କରିଛନ୍ତି।

ଶ୍ରୀକାନ୍ତ ଜେନା କହିଛନ୍ତି, ଅଶ୍ୱିନୀ ବୈଷ୍ନବ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବା ଏବଂ ତାଙ୍କୁ ବିଜେଡି ସମର୍ଥନ କରିବା ମୋତେ ଆଶ୍ଚର୍ଯ୍ୟ କରିଛି। ୨୦୧୯ରେ ଅଶ୍ୱିନୀଙ୍କୁ ସମର୍ଥନ ଦେବା ବେଳେ ନବୀନ କହିଥିଲେ, ପ୍ରଧାନମନ୍ତ୍ରୀ ସହଯୋଗ ମାଗିଥିବାରୁ ବିଜେଡି ସମର୍ଥନ କରିଛି। ଆଉ ଏବେ ଓଡ଼ିଶାର ବୃହତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ କରିଛନ୍ତି ବୋଲି ନବୀନ କହିଥିବା ସେ କହିଛନ୍ତି।

ଏହି ‘ବୃହତର ସ୍ବାର୍ଥ’ ବାବଦରେ ନିଜ ଯୁକ୍ତି ବାଢି ଶ୍ରୀକାନ୍ତ ଜେନା କହିଛନ୍ତି, ଏହାର ଅର୍ଥ ଆଗାମୀ ଦିନରେ ଦିଲ୍ଲୀରେ ମୋଦୀ ସରକାର ଆସିବ ତେଣୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ନୀବନ ସମର୍ଥନ କଲେ। କାରଣ ଅଶ୍ବିନୀ କେନ୍ଦ୍ରରେ ମନ୍ତ୍ରୀ ହେବେ। ସେହିପରି ଆଗାମୀ ଦିନରେ ଓଡ଼ିଶାରେ ବିଜେଡି ସରକାର ଗଢିଲେ ବିଧାନସଭାରେ ବିଜେପି ସମର୍ଥନ କରିବ। ନିର୍ବାଚନ ପୂର୍ବରୁ ଦୁଇ ଦଳ ପରସ୍ପରକୁ ସମର୍ଥନ ଘୋଷଣା ନକରିବାରୁ ଏକ ଦ୍ବନ୍ଦ୍ବ ତିଆରି ହୋଇଛି। ସେ କହିଛନ୍ତି, ଆଗାମୀ ଦିନରେ ଏକ ଛାୟା ନିର୍ବାଚନ ଲଢିବାକୁ ପ୍ରୟାସ ହେଉଛି।

ଅଶ୍ୱିନୀ କେନ୍ଦ୍ରରେ ରେଲଓ୍ବେ ମନ୍ତ୍ରୀ ହେବା ପରେ ପ୍ରଥମେ ଇଷ୍ଟ କୋଷ୍ଟ ରେଲଓ୍ବେ ଜୋନ ବା ପୂର୍ବତଟ ରେଳବାଇ ଜୋନକୁ ଆନ୍ଧ୍ରକୁ ନେଇ ଗଲେ। ଏହା ଓଡିଶା ପାଇଁ ଆଦୌ ଭଲ ନୁହେଁ। ଭୁବନେଶ୍ବରରେ ୧୯୯୬ରେ ଏହି ଓ୍ବାଲଟିୟର ଜୋନ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ରାମବିଳାଶ ପାଶଓ୍ବାନ ରେଳମନ୍ତ୍ରୀ ଥିଲେ। ଦେବ ଗୌଡା ପ୍ରଧାନମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକ ସାଂସଦ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ୩ଟି ଡିଭିଜନ ଥିଲା। ଗୋଟିଏ ବିଶାଖପାଟଣା, ଖୋର୍ଦ୍ଧା ଏବଂ ସମ୍ବଲପୁର ରହିଥିଲା। ସେହିପରି ବାଲେଶ୍ବରରେ ଡିଭିଜନ ପାଇଁ ଦାବି ହୋଇଥିଲା। କିନ୍ତୁ ରାଜ୍ୟ କେନ୍ଦ୍ରିକ ଜୋନକୁ ମନା କରିଥିଲେ ଭାରତ ସରକାର।

ଏବେ କିନ୍ତୁ ଅଶ୍ୱିନୀ ରେଳମନ୍ତ୍ରୀ ହେବା ପରେ ଆନ୍ଧ୍ରରେ ନୂଆ କରି ତିଆରି କରିଛନ୍ତି ଓ୍ୱାଲଟିୟର ଜୋନ୍ ଯାହା ଭୁବନେଶ୍ବରରେ ଥିଲା। ପୂର୍ବତଟ ରେଳବାଇ ଜୋନ୍ ପ୍ରତିବର୍ଷ ୨୫ ହଜାର କୋଟିରୁ ଅଧିକ ଲାଭ ଦିଏ, ଓ୍ବାଲଟିୟର ଡିଭିଜନରେ ୧୦ ହଜାର କୋଟିଏ ଏଥିରେ ଥାଏ। ମୁଖ୍ୟମନ୍ତ୍ରୀ ମଧ୍ୟ ବାଲେଶ୍ବରରେ ଡିଭିଜନ କରିବାକୁ ଦାବି କରିଥିଲେ। କିନ୍ତୁ ଏଯାଏ ହୋଇପାରିଲାନି। ଏହା ଓଡିଶା ପାଇଁ କ୍ଷତି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।

Leave A Reply

Your email address will not be published.