Latest Odisha News

ମନ୍ମଥଙ୍କ ପାଇଁ ନବୀନଙ୍କ ଅପିଲ୍ ବଢ଼ାଇଲା ଚର୍ଚ୍ଚା, ଅପରାଜିତା ଦେଲେ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବର। ଦୀର୍ଘ ଦିନ ଧରି ଏହି ଆସନ ବିଜେଡି ହାତରେ ଥିଲା। କିନ୍ତୁ ୨୦୧୯ରେ ଏହା ବିଜେପି ହାତକୁ ଯାଇଛି। ଚଳିତଥର ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସେ ରାଜଧାନୀ ପାଇଁ ସେଭଳି କିଛି କାମ କରି ନାହାନ୍ତି ବୋଲି ଇଂଟରନେଟରେ ପ୍ରତିକାତ୍ମକ ବିଜ୍ଞାପନଠୁ ଆରମ୍ଭ କରି ବିଭିନ୍ନ ସଭା ସମୀତିରେ ବିଜେଡି ନେତା ମାନେ କହୁଛନ୍ତି।

ଏହାରି ଭିତରେ ହଠାତ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଜାରି କରି କହିଛନ୍ତି, ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପାଇଲଟ ଚାକିରି ଛାଡି ନିଜ ଜନ୍ମମାଟିକୁ ଫେରିଛନ୍ତି। ସେ ନିର୍ବାଚିତ ହେଲେ ରାଜଧାନୀର ଅନେକ କାମ ହୋଇପାରିବ। ଏବେର ସାଂସଦ ସେଭଳି କୌଣସି କାମ କରିନାହାନ୍ତି ବରଂ ବିକାଶରେ ବାଧକ ସାଜିଛନ୍ତି। ଏକାମ୍ର ପ୍ରକଳ୍ପ ହେଉ ଅବା ଲିଙ୍ଗରାଜ ମନ୍ଦିରର ବିକାଶରେ ଅପରାଜିତା ବାଧକ ସାଜିଛନ୍ତି ବୋଲି ନବୀନ କହିଛନ୍ତି। ବିକାଶ ବିଜେଡିର ଆଭିମୁଖ୍ୟ ତେଣୁ ବିକାଶ ବିରୋଧୀ ବ୍ୟକ୍ତିଙ୍କୁ ଭୋଟ୍ ନଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ପୁରୀର ବିଜେଡି ସାଂସଦ ପ୍ରାର୍ଥୀଙ୍କ ପାଇଁ ନବୀନ ସମାନ ଅପିଲ କରିଛନ୍ତି।

ବଡ଼କଥା ହେଉଛି ରାଜଧାନୀରେ ମୋଦୀଙ୍କ ରୋଡ୍ ଶୋ ପରେ ନବୀନ ଦୁଇ ଥର ରୋଡ୍ ଶୋ କରିଛନ୍ତି। ହେଲେ ଦଳର କେବଳ ସାଂସଦ ପ୍ରାର୍ଥୀଙ୍କ ପାଇଁ ଅପିଲ କରିବା ପଛର କାରଣ କଣ ହୋଇପାରେ ଏହାକୁ ନେଇ ବଢିଛି ଚର୍ଚ୍ଚା। କୁହାଯାଉଛି ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ବିଜେପିର ଏବେ ଜଣେ ପ୍ରମୁଖ ଚେହେରା। ବିଜେପି ଯେଉଁ ୫ ନେତାଙ୍କୁ ଏକାଠି କରି ପ୍ରଚାର ଦଳର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ସେଥିମଧ୍ୟରେ ଅପରାଜିତା ରହିଛନ୍ତି। ବାରମ୍ବାର ମୋଦୀ, ଶାହା, ନଡ୍ଡା ଗସ୍ତ କରିବା ଭିତରେ ରାଜଧାନୀରେ ବିଜେପି ନେତାଙ୍କୁ ନେଇ ଗୋଟିଏ ଚର୍ଚ୍ଚା ଲାଗି ରହିବା ଅପରାଜିତାଙ୍କୁ ସୁହାଇଛି ବୋଲି କୁହାଯାଉଛି।

ଏହାରି ଭିତରେ କିନ୍ତୁ ଅପରାଜିତା ନିଜ ଉପରକୁ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି। ସେ କୌଣସି ସ୍ଥାନରେ ଲିଙ୍ଗରାଜ ଏବଂ ଏକାମ୍ର କ୍ଷେତ୍ରର ବିକାଶକୁ ବିରୋଧ କରି ନିଜର ମତାମତ ମୌଖିକ ଭାବେ କିମ୍ବା ଲିଖିତ ଭାବେ ରଖିନାହାନ୍ତି ବୋଲି କହିଛନ୍ତି। ସେ କଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ରିପୋର୍ଟ କାର୍ଡକୁ ପଢିବା ଆବଶ୍ୟକ ବୋଲି କହିଛନ୍ତି। ଯଦି ସାହାସ ଅଛି ବିଜେଡିର ୧୨ ସାଂସଦଙ୍କ ରିପୋର୍ଟ କାର୍ଡ ଜାରି କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି କଣ ହୋଇଛି କଣ ନହୋଇଛି ସେ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ଆହ୍ବାନ କରିଛନ୍ତି ଅପରାଜିତା।

Leave A Reply

Your email address will not be published.