ଭୁବନେଶ୍ୱର: ଆଜି ଲୋକସେବା ଭାବନରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି।
ଏହି ସମୟରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବା ନେଇ କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀ ସହମତି ପ୍ରଦାନ କରିବା ସହ କହିଛନ୍ତି ଯେ, ପରାମର୍ଶ କେନ୍ଦ୍ର ମାଧ୍ୟମରେ ବିବାହ ପୂର୍ବରୁ ସାଂସାରିକ ଜୀବନ ସମ୍ବନ୍ଧରେ ଉପଯୁକ୍ତ ପରାମର୍ଶ ମିଳିଲେ ଏହି ହାର ନିଶ୍ଚୟ କମିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।
ଏଥି ସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା, ବାଲ୍ୟ ବିବାହ ଏବଂ ମହିଳା ହିଂସାକୁ ରୋକିବା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସ ଅବସରରେ ବିଜୟା ରାହତକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
Comments are closed.