Latest Odisha News

BREAKING NEWS

ରେସରୁ ଦ୍ରୌପଦୀ ଆଉଟ୍ ! ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିଚାର କରୁଛି କେନ୍ଦ୍ର?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରିବେ ସେ ନେଇ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏନଡିଏ ଚାହୁଁଛି ସହମତି ଭିତିରେ ପ୍ରାର୍ଥୀ ଦେବାକୁ । ତେଣୁ ବିଜେପି ନିଯୁକ୍ତ କରିଥିବା ଦୁଇ ପ୍ରମୁଖ ନେତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ନିଜେ ଖୋଦ ଦଳର ସଭାପତି ଜେପି ନଡ୍ଡା ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କ ଟେଲିଫୋନକୁ ରିଙ୍ଗ କରି ସମର୍ଥନ ମାଗିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରାର୍ଥୀ ନାଁ ଗୋପନ ରଖିଥିବାରୁ ବିରୋଧୀ ଅନ୍ଧାରରେ ବାଡି ବୁଲାଇବାକୁ ଚାହୁଁନାହାନ୍ତି।

ତେବେ ମିଳିଥିବା ସୂଚନାନୁଯାୟୀ ଏନଡିଏର ନେତୃତ୍ୱ ନେଉଥିବା ଦଳ ସହଯୋଗୀ ଦଳକୁ ଅନ୍ୟାନ୍ୟ ପ୍ରସଙ୍ଗରେ ଖୁସି କରାଇ ନିଜର ରାଜନୈତିକ ପତିଆରାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ତେଣୁ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନଙ୍କ ନାଁକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱ ବିଚାର କରୁଥିବା ସୂଚନା ରହିଛି।

ତେବେ ଏହି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୂର୍ମୁଙ୍କ ନାଁ ମଧ୍ୟ ରହିଛି। ହେଲେ ଜଣେ ଲୋକପ୍ରିୟ ଚେହେରା ହୋଇନଥିବାରୁ ଏବଂ ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ଏବଂ ରାଜ୍ୟରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ରେସରୁ ଦ୍ରୌପଦୀ ବାଦ ପଡ଼ିଥିବା ସୂଚନା ରହିଛି।

ତେବେ ବିରୋଧୀ ଯଦି ସହମତି ଭିତରେ କେନ୍ଦ୍ର ସହ ମିଶି ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ରାଜି ହୁଅନ୍ତି ତାହେଲେ ଇସ୍ରୋର ପୂର୍ବତନ ମୁଖ୍ୟ ବୈଜ୍ଞାନିକ କେ. ଶିବନ କିମ୍ବା ଏବେର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ କେରଳ ରାଜ୍ୟପାଳ ଆରିଫ ମହମ୍ମଦ କେନ୍ଦ୍ର ସରକାରଙ୍କ ନିକଟତମ ବ୍ୟକ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଅଳ୍ପ ସଂଖ୍ୟକଙ୍କୁ ନେଇ ଅଡୁଆରେ ପଡୁଥିବା ବେଳେ ଆରିଫ କେନ୍ଦ୍ର ସରକାରଙ୍କ ପାଇଁ ସାଜିଛନ୍ତି ବଡ ସୁରକ୍ଷା କବଚ । ଏପରି ସ୍ଥିତିରେ ଦେଶରେ ବିଜେପି ସରକାର ଅଲ୍ପ ସଂଖ୍ୟକ ବିରୋଧୀ ବୋଲି ଯେଉଁ ଧାରଣା ରହିଛି ତାର ମୂଳପୋଛ କରିବାକୁ ଯାଇ ଆରଫିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ବିଜେପି ଲକ୍ଷ୍ୟ ରଖୁଥିବା ଚର୍ଚ୍ଚା ହେଉଛି।

ସେହିପରି ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ହୋଇଥିବା ୟୁପି ଏବଂ ଅନ୍ୟାନ୍ୟ ରାଜ୍ୟରେ ବିଜୟୀ ହେବା ପଛରେ ମହିଳା ଭୋଟ୍ ବ୍ୟାଙ୍କ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଅନ୍ୟପଟେ ମିଲିସାଇ ସୁନ୍ଦରରାଜନ ପ୍ରାର୍ଥୀ ହେଲେ ଜଣେ ମହିଳାଙ୍କୁ ସମ୍ବିଧାନର ସବୁଠୁ ବଡ଼ ପଦରେ ବସାଇ ଦେଶର ରାଜନୀତିକୁ ନୂଆ ଦିଶା ଦେବାକୁ ବିଜେପି ପ୍ରାୟସ କରିପାରେ।

ତେବେ ତାମିଲିସାଇ ସୁନ୍ଦରରାଜନ ଏବେ ପଡୁଚେରୀର ଅତିରିକ୍ତ ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ଅଛନ୍ତି। ତାମିଲସାଇଙ୍କ ମୂଳ ଘର କିନ୍ତୁ କର୍ଣ୍ଣାଟକ। ଏପରି ସ୍ଥିତିରେ ସୁନ୍ଦରରାଜନ କିମ୍ବା ଆରିଫଙ୍କୁ ପ୍ରାର୍ଥୀ କରି ବିଜେପି ମିଶନ ସାଉଥ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି। କର୍ଣ୍ଣାଟକରେ ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏଠାରେ ବିଜେପି ମଜବୁତ ସ୍ଥିତିରେ ଅଛି । ସେହିପରି ତେଲେଙ୍ଗାନାରେ ବିଜେପି ପୂର୍ବ ଅପେକ୍ଷା ଭଲ ସ୍ଥିତିରେ ରହିଥିବା ବେଳେ ଆଗକୁ ଏଠାରେ ବିଧାନସଭା ନିର୍ବାଚନ ରହିଛି। କେରଳରେ ମଧ୍ୟ ବିଜେପି ଆଗକୁ ବଢିବାକୁ ପ୍ରୟସା ଚଳାଇଛି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨ ଏବଂ ୩ ତାରିଖରେ ବିଜେପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା ଯୋଗଦେବେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି।

Leave A Reply

Your email address will not be published.