Latest Odisha News

BREAKING NEWS

ପ୍ଲାଜ୍‌ମା ଦାନ କରିବେ ଏନ୍‌ଡିଆର୍‌ଏଫ୍‌ ଯବାନ

ଭୁବନେଶ୍ୱର: ପ୍ରଥମେ ଅଗ୍ନିଶମ ସେବା ବାହିନୀ ଆଉ ଏବେ ଏନ୍‌ଡିଆର୍‌ଏଫ୍‌ ଯବାନ ଦାନ କରିବେ ପ୍ଳାଜମା। କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଏହି ଯୋଦ୍ଧା ମାନେ ପୁନଃ ନିଜର ମହନୀୟତା ଦେଖାଇଛନ୍ତି।

କୋଭିଡ୍‌-୧୯ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ କୁମାର ପଣ୍ଡା ଦେଇଥିବା ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଏନ୍‌ଡିଆର୍‌ଏଫ୍‌ର ୬ ଜଣ ଯବାନ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଇଛନ୍ତି । ପ୍ଲାଜ୍‌ମା ଦାନ ପାଇଁ ଏସ୍‌ସିବି ଆସିଥିବା ଯବାନମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ମଧ୍ୟ କରାଯାଇଛି । ପରୀକ୍ଷା ରିପୋର୍ଟ ଠିକ ଆସିଲେ ଯବାନମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ପ୍ରଥମେ ୪ ଯବାନଙ୍କଠାରୁ ଦୁଇ ଦିନ ମଧ୍ୟରେ ଓ ପରେ ଅନ୍ୟ ୨ ଯବାନଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯିବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି ।

ଅମ୍ଫାନ ପ୍ରପୀଡ଼ିତ ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଯାଇ କରୋନାରେ ସଂକ୍ରମିତ ହୋଇଥିବା ଏହି ଯବାନମାନେ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଏମାନେ କରୋନା ରୋଗୀଙ୍କୁ ବଞ୍ଚାଇବା ନିମନ୍ତେ ସ୍ବେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରାଥମିକ ସ୍ତରରେ ୧୦ ଜଣ ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ ସେବା ସଂସ୍ଥା ଡିଜି ଡ. ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌ ଯୋଗେ ଜଣାଇଥିଲେ ।

Leave A Reply

Your email address will not be published.