Latest Odisha News

BREAKING NEWS

ନେଗେଟିଭ୍‌, ପଜିଟିଭ୍‌ର ପ୍ରସଙ୍ଗ

ବହୁ ଆଗରୁ ଶୁଣି ଆସୁଥିଲେ ନେଗେଟିଭ୍‌ ଚିନ୍ତା ଜୀବନଚର୍ଯ୍ୟାରେ ବହୁତ ବିପଦ ଆଉ ଅସୁବିଧା ଡାକି ଆଣୁଥିଲା ଆଉ ଏହା ମଧ୍ୟ ସତ ଥିଲା । କଥା କଥାରେ ଆମ ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଜୀବନ ଅତିବାହିତ କଲେ ପଥସୁଗମ ଆଉ ସୁନ୍ଦର ହେବ ବୋଲି ବିଶ୍ୱାସକୁ ଦୃଢ଼ୀଭୂତ କରିଛେ । କିନ୍ତୁ  ଆଜିକା ଦିନରେ ଯେତେବେଳେ ଆମେ କରୋନାର ଭୁତାଣୁ ସାଙ୍ଗରେ ପ୍ରତି ମୁହୂର୍ତ୍ତରେ ଲଢ଼ୁଛେ ସେତେବେଳେ ଆମେ ପଜିଟିଭ୍‌ ନ ହେଇ କୋଭିଡ଼ ଟେଷ୍ଟର ରିପୋର୍ଟଟି କୋଉଭଳି ଭାବରେ ନେଗେଟିଭ ଆସୁ ତାହା ଶୁଣିବା ପାଇଁ ଆମେ ଏଵେ ବ୍ୟାକୁଳିତ ହେଇପଡ଼ୁଛେ । ସତରେ ଜୀଵନ
କେତେ ସଂଘର୍ଷମୟ ହେଇଯାଉଛି ଦିନକୁ ଦିନ ତା ବିଶ୍ୱାସର ବାହାରେ ।

ଅଭାବ ଆଉ ପୀଡ଼ାର କଥା ସବୁଆଡ଼େ ହାହାକାର ଡାକୁଛି । ଦେଶରେ ପ୍ରତ୍ୟେକ ଦିନ ସାଢ଼େ ୩ଲକ୍ଷ କରୋନା ମାମଲା ଆସୁଛି ଆଉ ୨୬ଲକ୍ଷରୁ ଅଧିକ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେଇ ଭିତରେ ବି ଆମେ ନେଗେଟିଭ୍‌ ରିପୋର୍ଟଟିକୁ ଖାଲି ଦରାଣ୍ଡି ହେଉଛେ । ସକାରାତ୍ମକ ଖବର ଆମ ମନୋବଳକୁ ଦୃଢ କରୁଛି ସତ କିନ୍ତୁ ଏଈ ନେଗେଟିଭ ଆଉ ପଜିଟିଭର ଶବ୍ଦ ସବୁବେଳେ ଆମ ଆଖପାଖରେ କାନରେ ଗୁଣୁଗୁଣୁ ହେଉଛି । ଆଜି ଯାହାସାଙ୍ଗରେ ଫୋନରେ କଥା ହେଉଛେ ହଠାତ ୨କି ୩ ଦିନ ପରେ ସେପଟୁ ନେଗେଟିଭ ଖବରଟି ପୁଣିଥରେ ବ୍ୟତିବ୍ୟସ୍ତ କରିପକାଉଛି । ସକାରାତ୍ମକ ଖବର ଆମକୁ ଦୃଢ କରେ ଆଉ ଆଗକୁ ଯିବାକୁ ପ୍ରେରଣା ଯୋଗାଇଥାଏ ।

ଆଉ ନକାରାତ୍ମକ ଖବର ଆମକୁ ନିରାଶ କରିବା ସହ ମାନସିକସ୍ତରରେ ଦୁର୍ବଳ କରିଦିଏ । ଏ ପ୍ରକାର ଅନୁଭବ ପ୍ରାୟ ଆମ ସମସ୍ତଙ୍କର ଥିବ ଏଥିରେ ସନ୍ଦେହ ନାହିଁ । ଏଵେ ସକାଳୁ ଖବରକାଗଜ ଓଲଟେଇ ଦେଲେ କିମ୍ବା ସୋସିଆଲ ମିଡ଼ିଆ ଖୋଲି ଦେଲେ ଖାଲି କେତେ ସଂକ୍ରମିତ ଆଉ କେତେମୃତ । ଏ ଖବର ସବୁ ଏଵେ ଶିରୋନାମା ପାଲଟିଛି । କରୋନାର ଦ୍ୱିତୀୟ ଲହରୀ ଯେ କେତେ ଭୟଙ୍କର ତା ଏଵେକାର ଚିତ୍ରରୁ ସ୍ପଷ୍ଟ ହେଇଯାଇଛି । ଏଇ ଅଦୃଶ୍ୟ ଭୁତାଣୁ ଏଵେ ଆମ ଜୀବନର ପଜିଟିଭ ଆଉ ନେଗେଟିଭ୍‌ର ସଂଜ୍ଞାକୁ ବଦଳେଇ ଦେଇଛି । ନେଗେଟିଭ ରିପୋର୍ଟ ବି ଏଵେ ପଜିଟିଭ୍‌ ଶକ୍ତି ଲୋଡ଼ୁଛି ଆଉ ସାଧାରଣ ଲୋକଟି ଆଜି ତାର ଲକ୍ଷଣ ପ୍ରକାଶ ପାଇବା ପରେ କେବଳ ନେଗେଟିଭର ରିପୋର୍ଟଟିକୁ ବିକଳ ଭାବରେ ଅନେଇ ବସିଛି । ଏଇ ଭୂତାଣୁ ପରିବାରଗୁଡ଼ିକୁ ନିମିଷକରେ ଉଜାଡ଼ି ଦେଉଛି ତାର ଚିତ୍ର ଆମେ ପ୍ରତ୍ୟେକ ଦିନ ଦେଖୁଛେ । ତଥାପି ଆଜି ମଣିଷ ପଜିଟିଭ ଆଉ ନେଗେଟିଭର ଆଶା ଛାଡ଼ିନି । ପ୍ରତି ମୁହୁର୍ତରେ ବଞ୍ଚିବାର ଆଶା ଖୋଜୁଛି, ହୁଏତ ଏଇ ସଂଗ୍ରାମ ଭିତରେ ପଜିଟିଭ ଶକ୍ତିର କଡ଼ ଏତେ ଭାରି ହୋଇଯିବ ଯେ ସେ ଜାଗାରେ ଏ କରୋନା ଭୁତାଣୁ ମାଡ଼ିମକଚି ହେଇପଡ଼ିଯିବ । ଆଶା ଆଉ ବିଶ୍ୱାସ ରଖିବା ନେଗେଟିଭ ଶକ୍ତି ଉପରେ ଏତେ ଚାପ ଆସିବ ଯେ ସବୁଦିଗରେ କେବଳ ସକାରାତ୍ମକ ଚିନ୍ତାର ଶକ୍ତିଭରପୁର ହେଇଯିବ । ଆଉ ଏଇ ଆତ୍ମବିଶ୍ୱାସ ହିଁ ଆମକୁ ନୂଆ ରାସ୍ତା ଦେଖେଇବ ।

Leave A Reply

Your email address will not be published.