Latest Odisha News

ଦିନିକିଆ ବିଶ୍ୱକପ କ୍ରିକେଟ: ୧୦ମ ଟିମ ଭାବେ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ

ବୁଲାୱାୟୋ: ଏଠାରେ ଅନୁଷ୍ଠିତ ଆଇସିସି କ୍ରିକେଟ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ନେଦରଲାଣ୍ଡ ୪ ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି ମୂଖ୍ୟ ଡ୍ରରେ ସାମିଲ ହୋଇଛି । ଭାରତରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପରେ ନେଦରଲାଣ୍ଡ ୧୦ମ ତଥା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି । ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ତାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ଶ୍ରୀଲଙ୍କା ଓ ନେଦରଲାଣ୍ଡ କ୍ୱାଲିଫାୟର୍ସ ମାଧ୍ୟମରେ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି । ଶ୍ରୀଲଙ୍କା ଓ ନେଦରଲାଣ୍ଡ କ୍ୱାଲିଫାୟର୍ସର ଶେଷ ମୁକାବିଲାରେ ସାମ୍ନିସାମ୍ନି ହେବେ । ଉଭୟ ଟିମ ଯୋଗ୍ୟତା ଅର୍ଜନ କରି ସାରିଥିବାରୁ ଏହାର ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ।

୧୯୯୬, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ୱକପରେ ନେଦରଲାଣ୍ଡ ଖେଳିଛି । ଏହା ସେମାନଙ୍କ ୫ମ ବିଶ୍ୱକପ ହେବ । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୫୦ ଓଭରରେ ୯ ୱିକେଟ ହରାଇ ୨୭୭ ରନ ସଂଗ୍ରହ କରିଥିଲା । ବିଶ୍ୱକପ ଯୋଗ୍ୟତା ହାସଲ ପାଇଁ ନେଦରଲାଣ୍ଡସକୁ ୪୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିବାକୁ ଥିଲା । ବାସ ଡେ ଲିଡେଙ୍କ ବିସ୍ଫୋରକ ଶତକ ବଳରେ ନେଦରଲାଣ୍ଡ ୪୨.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସେ ୯୨ ବଲରେ ୧୨୩ ରନ କରିଥିଲେ ।

Leave A Reply

Your email address will not be published.