ପୁରୀ: ଆଜି ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ହୋଇଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ ଏନ ଗିରିଶ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ପରେ ସାତସଙ୍ଖ ମେଳଣ ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟର ସମସ୍ତ ଅଧିବାସୀଙ୍କ ପାଇଁ ପକ୍କାଘରର ବାସ୍ତବତା ପୂରଣ ହେବାକୁ ଯାଉଛି ବୋଲି କହିଥିଲେ । ଏ ସରକାର ଲୋକଙ୍କ ସରକାର । ସରକାର ଆବାସ ଯୋଜନା ୨୦୨୪ ନାମରେ ଏକ ଆପ ବ୍ୟବସ୍ଥା କରିଛନ୍ତି । ଏହାକୁ ହିତାଧିକାରୀ ଉପଯୋଗ କରି ଆବେଦନ କରି ପାରିବେ । ୧୪ ହଜାର ଅଧିକାରୀ ଓ କର୍ମଚାରୀ ଏହି ସର୍ଭେ କାର୍ଯ୍ୟ ତଦାରଖ କରିବେ । କୌଣସି କ୍ଷେତ୍ରରେ ଅବହେଳା ବା ସର୍ଭେରେ ତୃଟି କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ ।
ଏହାର ଉପଯୁକ୍ତ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇବାର ବ୍ୟବସ୍ଥା କରାଯିବ । ଦୁଇ ପ୍ରକାର ଘର ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ଏଥିରୁ ବଞ୍ଚିତ ରହୁଥିବା ବା ବିପର୍ଯ୍ୟୟ ସମୟରେ କ୍ଷତି ଗ୍ରସ୍ତ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ଯୋଗାଇ ଦିଆଯିବ । ସେହିପରି, ଗଙ୍ଗୁଆ ନଦୀରେ ଫିଲଟର ପ୍ଲାଣ୍ଟ କରାଯାଇ କଣାସ ଓ ପିପିଲିର ବିଭିନ୍ନ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ କହିଥିଲେ । ଏହା ସହ ସମସ୍ତେ ଏଥିରେ ସହଯୋଗ ପାଇଁ ଅନୁରୋଧ କରିଥିଲେ ।
ଏହପରେ ୨୦୨୪-୨୫ ବର୍ଷ ରେ ସମ୍ପୂର୍ଣ୍ଣ ହୋଇ ଥିବା ଆବାସ ଯୋଜନାର ୧୦ ଜଣ ହିତାଧିକାରୀଙ୍କୁ ନୂତନ ଗୃହର ଚାବିକାଠି ମନ୍ତ୍ରୀ ଓ ଅତିଥି ମାନେ ହସ୍ତାନ୍ତର କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପ ନିର୍ଦ୍ଦେଶକ କୁଳମଣି ମିଶ୍ର, ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Comments are closed.