Latest Odisha News

BREAKING NEWS

ମାର୍ଚ୍ଚରୁ ରାଜ୍ୟରେ ଆରମ୍ଭ ହେବ ‘ନିଷ୍ଠା’ ଯୋଜନା: ପ୍ରଶିକ୍ଷଣ ନେବେ ୧ଲକ୍ଷ ୯୮ହଜାର ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶାରେ ୨୦୨୦-୨୧ ଶିକ୍ଷା ବର୍ଷ ଲାଗି  ମାର୍ଚ୍ଚରୁ ଆମ୍ଭ ହେବ ନିଷ୍ଟା ଯୋଜନା । ଏଥିରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ତେବେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଷଷ୍ଟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯିବ ।

ମେ’ପ୍ରଥମ ସପ୍ତାହରୁ ସପ୍ତମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେହିପରି ପରେ ନବମର ଦଶମ ଏବଂ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଣିକି ସବୁ ଶିକ୍ଷକଙ୍କୁ ଶିକ୍ଷା ସମ୍ପର୍କିତ ଏବଂ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଦିଆଯିବ । ଯେଉଁଥିରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଏନେଇ ଖୁବ୍ ଶୀଘ୍ର ‘ନିଷ୍ଠା’ (ନ୍ୟାସନାଲ ଇନିସିଏଟିଭ ଫର୍ ସ୍କୁଲସ୍ ହେଡ୍ ଆଣ୍ଡ୍ ଟିଚର୍ସ ହଲିଷ୍ଟିକ୍ସ ଆଡଭାନ୍ସମେଣ୍ଟ) ଯୋଜନା ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୧ଲକ୍ଷ ୯୮ହଜାର ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ତେବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଲାଗି କେତେ ଅଧ୍ୟାପକଙ୍କୁ ପ୍ରଶିକ୍ଷଣ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ପ୍ରାୟ ୩୩କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ଟଙ୍କା କେନ୍ଦ୍ର ସରକାର ବହନ କରିବେ ।
୨୦୨୦-୨୧ ଶିକ୍ଷାବର୍ଷ ଲାଗି ସର୍ବଭାରତୀୟସ୍ତରରେ ଏହି ‘ନିଷ୍ଠା’ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିରେ ଦେଶର ମୋଟ୍ ୪୨ଲକ୍ଷ ଶିକ୍ଷକ ପ୍ରଶିକ୍ଷଣ ପାଇବେ । ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୬୭ହଜାର ୬୦୫ଟି ସ୍କୁଲ ରହିଛି । ତେବେ ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ଜଣ । ସେଥିରୁ କେବଳ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ଲକ୍ଷେ ୩୦ହଜାର ୫୧୬ ଏବଂ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ୬୬ହଜାର ୮୧୦ଜଣ । ତେବେ ଏହି ଯୋଜନାରେ ଓଡ଼ିଶାରେ ଅଢ଼େଇ ଲକ୍ଷ ଶିକ୍ଷକଙ୍କ ପ୍ରଶିକ୍ଷଣ ଲାଗି ଯୋଜନା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୮ହଜାର ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସମଗ୍ରଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରେ ଏହି ଖର୍ଚ୍ଚ କରାଯିବ । ଆବଶ୍ୟକ ସ୍ଥଳେ ଯୋଜନା ଲାଗି ଅନୁଦାନ ରାଶି କେନ୍ଦ୍ର ବଢ଼ାଇବେ । ତେବେ ସର୍ବଭାରତୀୟସ୍ତରରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ରାଜ୍ୟ ସରକାର ଆଗୁଆ ଥିବା ବେଳେ ବିଭିନ୍ନ ଅଭିନବ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗୁଆ ରହିଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଷୟ ଭିତ୍ତିକ ଫର୍ମାଲ ଏବଂ ନନ୍ ଫର୍ମାଲ ଟିଚିଂ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ସହ, ସ୍କୁଲ ପରିଚାଳନା, କମ୍ପ୍ୟୁଟର, ସ୍କୁଲ ପରିଚାଳନା ସମ୍ପର୍କରେ ସମସ୍ତ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରଶିକ୍ଷକମାନେ ସାମିଲ ହେବାର ବ୍ୟବସ୍ଥା ମଧ୍ୟ ରହିଛି । ବିଶେଷକରି ସବୁ ଶିକ୍ଷକ ଯେପରି ସବୁ ବିଷୟର ଶିକ୍ଷାଦାନ ଦେବାରେ ଦକ୍ଷ ହୋଇପାରିବେ ସେ ନେଇ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ । କେବଳ ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନଶିକ୍ଷକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ।
ଏହି ଯୋଜନା ସମ୍ପର୍କରେ ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏମ୍‌ଏଚ୍‌ଆର୍‌ଡି ପକ୍ଷରୁ ଏ ନେଇ ଏକ ବୈଠକ ଅତିତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ତେଣୁ ଏହି ଯୋଜନା ଲାଗି ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଆକଳନ ହୋଇନାହିଁ । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଭାଗର ପ୍ରମୁଖ ବରିଷ୍ଠ ଅଧିକାରୀଙ୍କ ମତାମତ ଗ୍ରହଣ ହେବା ପରେ ଏହାର ଆକ୍ସନ ପ୍ଲାନ କରାଯିବ । ତେବେ ଏହି ଯୋଜନା ଯେପରି ରାଜ୍ୟରେ ଠିକ୍ ଭାବେ କାର୍ଯ୍ୟକାରୀ ହେବ ସେ ଦିଗରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.