Latest Odisha News

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ରତ୍ନବେଦୀରେ ବିଜେ କରିବେ ତିନିଠାକୁର

ପୁରୀ : ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରୁ ମହାପ୍ରଭୁ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଯିବେ । ବଡ଼ଦାଣ୍ଡର ସିଂହଦ୍ୱାରରୁ ରଥ ଗଡ଼ିଥିଲା ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର । ବାହୁଡ଼ି ଆସିଲା ପରେ ଗତକାଲି ତିନିଠାକୁର ରଥରେ ମହାମୃତ ଅଧରପଣା ସେବନ କଲେ । ଦୀର୍ଘ ଦିନ ଧରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗତର ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେଇ ଆଜି ବାହୁଡୁଛନ୍ତି ରତ୍ନବେଦୀ ଉପରକୁ । ଆଜି ପବିତ୍ର ନୀଳାଦ୍ରି ବିଜେ ।

ସନ୍ଧ୍ୟାଧୂପ ସମାପ୍ତ ହେବା ପରେ ପରେ ତିନିଠାକୁର ଗୋଟି ପହଣ୍ଡି କରି ନୀଳାଦ୍ରି ବିଜେ କରିବେ । ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ବିଜେ କରିବେ ଚତୁର୍ଦ୍ଧା ମୁର୍ତ୍ତି । ରଥ ଉପରେ ବିଜେ କରୁଥିବା ମଦନମୋହନ, କୃଷ୍ଣବଳରାମଙ୍କ ବିଗ୍ରହକୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ପାରମ୍ପରିକ ନୀତିରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯିବ । ଚାରମାଳ ଲାଗିବା ପରେ ଭେଟମଣ୍ଡପରେ ଲକ୍ଷ୍ମୀ ସାଆନ୍ତାଣୀ ଓ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତିକ୍ଷୀତ ଭେଟ ନୀତି ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରୀ ବିଜେ କାର୍ଯ୍ୟ ନିର୍ଘଣ୍ଟ
ତିନିରଥ ମଙ୍ଗଳ ଆରତୀ ପ୍ରାତଃ – ୬ଟା
ମଇଲମ, ତଡ଼ପଲାଗି – ୬ଟା ୩୦
ଅବକାଶ – ୭ଟା
ସକାଳ ବେଶଶେଷ – ୭ଟା ୩୦
ଗୋପାଳ ବଲ୍ଲଭ – ୮ଟା ୩୦
ସକାଳ ଧୂପ – ସକାଳ ୯ଟାରୁ ଦିନ ୧୦ଟା
ମଇଲମ ୧୦ଟା ୧୫
ମହାସ୍ନାନ, ସର୍ବାଙ୍ଗ – ୧୦ଟା ୪୫
ଦିନ ବେଶ ଶେଷ – ୧୧ଟା
ମଧ୍ୟାହ୍ନ ଧୂପ – ୧୧ଟା ୩୦ରୁ ୧୨ଟା ୩୦
ମଇଲମ ଓ ବେଶ – ଦିନ ୧ଟା ୨୦
ସନ୍ଧ୍ୟାଆରତୀ – ୧ଟା ୩୦
ସନ୍ଧ୍ୟାଧୂପ – ୨ଟା ରୁ ୩ଟା
ଚାରମାଳ ବନ୍ଧା – ୩ଟାରୁ ୫ଟା
ସିଂହାସନ ମାଜଣା – ୫ଟା ୩୦
ପୁଷ୍ପାଞ୍ଜଳି – ସନ୍ଧ୍ୟା ୬ଟା
ପହଣ୍ଡି ଆରମ୍ଭ ୬ଟା ୩୦
ପହଣ୍ଡି ଶେଷ – ୧୧ଟା


ନୀଳାଦ୍ରି ବେିଜେ ପହଣ୍ଡି ଶେଷ ହେବା ପରେ ରୁନ୍ଧା କାର୍ଯ୍ୟ ସମାପନ ହୋଇ ଚାରଫିଟା ପର ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.