Latest Odisha News

BREAKING NEWS

ଫାଶୀଦଣ୍ଡ ଲାଗି ଚାଲିଛି ଜହ୍ଲାଦ ଖୋଜା; ଖୁବଶିଘ୍ର ଝୁଲିବେ ନିର୍ଭୟାକାଣ୍ଡର ଦୋଷୀ !

ନୂଆଦିଲ୍ଲୀ: ଲୋମହର୍ଷକ ତଥା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଖୁବଶିଘ୍ର ଫାଶି ହେବାନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେବାରେ ଲାଗିଛି । ଫାଶିଦଣ୍ଡର ତାରିଖ ଧାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ବର୍ବୋରଚିତ ନିର୍ଭୟାକାଣ୍ଡର ମୃତା ପୀଡ଼ିତାଙ୍କ ମାଆ ଏହି ପୈଶାଚିକ କାଣ୍ଡ ଭିଆଇଥିବା ଅପରାଧୀମାନଙ୍କୁ ତୁରନ୍ତ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ଦାବୀ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଇତିମଧ୍ୟରେ ତିହାର ଜେଲର କର୍ତ୍ତୃପକ୍ଷ ପ୍ରଶାସନକୁ ପତ୍ର ମାଧ୍ୟମରେ ଫାଶିଦଣ୍ଡ ଲାଗି ଜହ୍ଲାଦ ମାଗିଛନ୍ତି । କେବଳ ନିର୍ଭୟା ମାମଲା ନୁହେଁ ବରଂ ଅନେକ ଗୁଡ଼ିଏ ମାମଲାରେ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବାର ସୂଚନା ମିଳିଛି । ତେବେ କେଉଁ ତାରିଖରେ କେଉଁ ଦୋଷୀଙ୍କୁ ଫାଶୀରେ ଝୁଲାଇ ଦିଆଯିବ ତାହାର ସଠିକ୍ ସୂଚନା ମିଳିପାରିନାହିଁ ।

ପୂର୍ବରୁ କୋଲକାତାର ନଟ ମଲ୍ଲିକ ଏବଂ ତାଙ୍କର ପୁଅ ତିହାର ଜେଲରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି । ମାତ୍ର ଜହ୍ଲାଦର ଘୋର ଅଭାବ ଯୋଗୁଁ ଅନେକ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦୋଷୀଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରାଯାଇ ପାରିନାହିଁ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ଏଥର ଉତ୍ତର ପ୍ରଦେଶରୁ ଜହ୍ଲାଦ ତିହାର ଜେଲକୁ ଆସିପାରନ୍ତି ଦୋଷୀଙ୍କୁ ଫାଶୀଖୁଣ୍ଟରେ ଚଢାଇବାକୁ ।

ଉତ୍ତରପ୍ରଦେଶ ପୋଲିସର ସୂଚନାନୁଯାୟୀ, ଲଖନଉ ଓ ମିରଟରେ ଦୁଇଜଣ ଜହ୍ଲାଦ ରହିଛନ୍ତି । ଯଦି ତିହାର ଜେଲ ଫାଶୀ ଲାଗି ତାରିଖ ଧାର୍ଯ୍ୟ କରନ୍ତି ତେବେ ଏହି ଦୁଇ ଜହ୍ଲାଦ ତିହାର ଜେଲକୁ ଯିବେ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିର୍ଭୟା ମାମଲା ସହିତ ଆଉକିଛି ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ରହିଛି । ରାଷ୍ଟ୍ରପତି ଏହିସବୁ ଆବେଦନ ଖାରଜ କରିଦେବା ପରେ ହିଁ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.