ଗ୍ଲାସଗୋ: ଗ୍ଲାସଗୋଠାରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସରମାନେ ଐତିହାସିକ ସଫଳତା ହାସଲ କରିଛନ୍ତି । ତେବେ ଗ୍ଲାସଗୋର ଏକ ଚର୍ଚ୍ଚିତ ଭାରତୀୟ ରେଷ୍ଟୋରାଣ୍ଟରେ ହୋଇଥିବା ଏକ ଅସାବଧାନତା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଭାରତର ତାରକା ମହିଳା ବକ୍ସର ଲଭଲିନା ବୋରଗୋହେନ୍ ରେଷ୍ଟୋରାଣ୍ଟରେ ବ୍ୟବହୃତ ହେଉଥିବା ଭାରତୀୟ ମାନଚିତ୍ରରେ ଉତ୍ତର-ପୂର୍ବାଂଚଳ ନଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ନିଜର ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିବା ସହ ଏଥିରେ ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି । ରେଷ୍ଟୋରାଣ୍ଟ ବାହାରେ ଥିବା ସାଇନ୍ବୋର୍ଡ ଏବଂ ଟେବୁଲ୍ରେ ରଖାଯାଇଥିବା ନାପକିନ୍ରେ ଛପାଯାଇଥିବା ମାନଚିତ୍ର ଉପରେ ପଡ଼ିଥିଲା । ସେଥିରେ ଭାରତର ଉତ୍ତର-ପୂର୍ବାଂଚଳ ଗାଏବ ଥିଲା ।
ଏହା ଦେଖି ଲଭଲିନା ଅତ୍ୟନ୍ତ ନମ୍ରତା ଓ ସମ୍ମାନର ସହ ରେଷ୍ଟୋରାଣ୍ଟ ମ୍ୟାନେଜମେଣ୍ଟ ଆଗରେ ଏହି ମୁଦ୍ଦା ଉଠାଇଥିଲେ । ଦୟାକରି ମୋ କଥାର ଭୁଲ୍ ଅର୍ଥ କାଢ଼ନ୍ତୁ ନାହିଁ । ଭାରତର ମାନଚିତ୍ରରେ ଆମ ଉତ୍ତର-ପୂର୍ବ ଅଞ୍ଚଳ ନ ଥିବା ଦେଖି ମୋତେ ଦୁଃଖ ଲାଗିଲା । ବାହାରେ ଥିବା ବୋର୍ଡରେ ବି ସମାନ ଭୁଲ୍ ରହିଛି । ମୁଁ ନିଜେ ନର୍ଥ-ଇଷ୍ଟରୁ ଆସିଛି, ତେଣୁ ଏହା ଆମ ପାଇଁ କଷ୍ଟଦାୟକ । କେବଳ ଏତିକି କହିବାକୁ ଚାହେଁ ଯେ ଆଗାମୀ ଦିନରେ ଏହାର ଧ୍ୟାନ ରଖନ୍ତୁ । ଭାରତୀୟ ବକ୍ସିଂ ମହାସଂଘ ଅଧ୍ୟକ୍ଷ ଅଜୟ ସିଂହ ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହାକୁ ନେଇ କୌଣସି ବିବାଦ କିମ୍ବା ଝଗଡ଼ା ହୋଇନଥିଲା । ଲଭଲିନା ଏବଂ ସେ ମିଶି ରେଷ୍ଟୋରାଣ୍ଟ ମ୍ୟାନେଜମେଣ୍ଟର ଧ୍ୟାନ ଆକର୍ଷଣ କରିବା ପରେ, ମାଲିକ ତୁରନ୍ତ ନିଜର ଭୁଲ୍ ସ୍ୱୀକାର କରିଥିଲେ ଏବଂ ଖୁବ୍ଶୀଘ୍ର ଏହାକୁ ସୁଧାରି ସଠିକ୍ ମାନଚିତ୍ର ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ଲାସଗୋର ଏହି ରେଷ୍ଟୋରାଣ୍ଟ ଭାରତୀୟ ଖାଦ୍ୟ ପାଇଁ ବେଶ୍ ପରିଚିତ ଏବଂ ପୂର୍ବରୁ ଅନେକ ନାମୀଦାମୀ ଅତିଥିଙ୍କ ଆତିଥେୟତା କରିସାରିଛି । ଏହି ସମ୍ବେଦନଶୀଳ ଘଟଣା ପରେ ରେଷ୍ଟୋରାଣ୍ଟ କର୍ତ୍ତୃପକ୍ଷ ଆଗାମୀ ଦିନରେ ଭାରତର ସଠିକ୍ ମାନଚିତ୍ର ବ୍ୟବହାର କରିବେ ବୋଲି ସ୍ପଷ୍ଟ କରିଛନ୍ତି ।